କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା କ୍ରିକେଟ୍‌ ଲିଗ୍‌ରେ ଶୁକ୍ରବାର ଓଡ଼ିଶା ଚିତା‌ସ୍‌ ଓ ଓଡ଼ିଶା ପୁମାସ୍‌ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଚିତାସ୍‌ ୧ ରନ୍‌ରେ ଓଡ଼ିଶା ପାନ୍ଥର୍ସକୁ ପରାସ୍ତ କରିଛି। ଚିତାସ୍‌ ୭ ୱିକେଟ୍‌ ହରାଇ ୧୬୭ ରନ୍‌ କରିଥିଲା। ଚିତାସ୍‌ର ଶ୍ରେୟାଂସ ଭରଦ୍ବାଜ ୩୮ ବଲ୍‌ରୁ ୫୩ ରନ୍‌ କରିଥିଲେ। ଜବାବରେ ପାନ୍ଥର୍ସ ଦଳ ୧୫ ଓଭରରେ ୭ ୱିକେଟ୍‌ ହରାଇ ୧୨୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପାନ୍ଥର୍ସର ରଘୁନାଥ ମୁଳିଆ ୨୭ ବଲ୍‌ରୁ ୪୪ ରନ୍‌ କରିଥିଲେ। ଚିତାସ୍‌ର ଶ୍ରେୟାଂସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଓସିଏ ସଭ୍ୟ ସଂଗ୍ରାମ କେଶରୀ ଗୁମାନସିଂହ ତାଙ୍କୁ ପୁରସ୍କାର ‌ପ୍ରଦାନ କରିଥିଲେ।

Advertisment

ଦ୍ବିତୀୟ ମ୍ୟାଚ୍‌ରେ ପୁମାସ୍‌ ୫ ୱିକେଟ୍‌ରେ ଓଡ଼ିଶା ଜାଗୁଆର୍ସକୁ ପରାସ୍ତ କରିଛି। ଜାଗୁଆର୍ସ ୨୦ ଓଭରରେ ୯ ୱିକେଟ୍‌ ହରାଇ ୯୮ ରନ୍‌ କରିଥିଲା। ସମ୍ବିତ ବରାଳ ୨୭ ରନ୍‌ କରିଥିଲା ବେଳେ ରାଜେଶ ମହାନ୍ତି ୪ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ପୁମାସ୍‌ ୧୫.୧ ଓଭରରେ ୫ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସ୍ବସ୍ତିକ ସାମଲ ୨୬ ବଲ୍‌ରୁ ୪୨ ରନ୍‌ କରିଥିଲେ। ରାଜେଶଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଓସିଏ ସଭ୍ୟ ସତବୀର ସିଂହ ରିଆର ପ୍ରଦାନ କରିଥିଲେ।