ପଦାରେ ପଡ଼ିଲା ଓସିଏ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା

ବିସିସିଆଇ ବାର୍ଷିକ ସ୍ବୀକୃତି କାର୍ଡ ସୂଚନା ଚାପିଦେଲେ

କଟକ: ଓଡ଼ିଶା କ୍ରିକେଟ୍‌ ସ˚ଘ (ଓସିଏ)ରେ ସମ୍ବିଧାନ ଓ ସଦସ୍ୟତା ବିବାଦ ଦୀର୍ଘ ଦିନ ଧରି ଲାଗିରହିଛି। ହେଲେ ସେହି ଆଳରେ ଓସିଏ ପରିଚାଳନା ସମିତି ଓ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀମାନେ ନିଜ ସାଧାରଣ ଦାୟିତ୍ବ ମଧ୍ୟ ଭୁଲି ଯାଉଛନ୍ତି। ଏପରିକି ବିସିସିଆଇରୁ ଆସୁଥିବା ବିଭିନ୍ନ ସୂଚନାକୁ ନଜଣାଇ, ଏହାକୁ ଜାଣିଶୁଣି ଚାପି ଦେଉଛନ୍ତି। ଗଣମାଧ୍ୟମ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ବର୍ତ୍ତମାନ ଓସିଏର ଏହି ଅଧିକାରୀମାନେ ବିସିସିଆଇର ଘରୋଇ ଓ ଆନ୍ତର୍ଜାତିକ ମ୍ୟାଚ୍‌ ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନଧିଙ୍କୁ ପ୍ରତିବର୍ଷ କରିବାକୁ ପଡ଼ୁଥିବା ‘ବାର୍ଷିକ ସ୍ବୀକୃତି କାର୍ଡ’ ଆବେଦନ ସୂଚନାକୁ ଦାବି ଦେଇଥିବା ନଜରକୁ ଆସିଛି। ବେଶ୍ କିଛି ଦିନ ତଳୁ ବିସିସିଆଇ ଏହି ସୂଚନା ଦେଇଥିଲେ ମଧ୍ୟ ଓସିଏ ଏହାକୁ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇ ନଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ଖୋଳ ତାଡ଼ କରିବା ପରେ ଆବେଦନ କରିବାର ଶେଷ ତାରିଖର ମାତ୍ର କିଛି ଘଣ୍ଟା ପୂର୍ବରୁ ସୂଚନା ବାଣ୍ଟିଥିଲେ। ତାହା ପୁଣି ଜଣେ ଦୁଇ ଜଣଙ୍କୁ। ମାତ୍ର କିଛି ଘଣ୍ଟାର ସମୟ ମିଳିଥିବାରୁ ଆବେଦନ ପାଇଁ ଦରକାର ନଥିପତ୍ର ସଂଗ୍ରହ କରି ନପାରି ରାଜ୍ୟର ୯୫ ଭାଗ ଗଣମାଧ୍ୟମ ପ୍ରତିନିଧି ଆବେଦନୁ କରି ପାରି ନାହାନ୍ତି। ଆବେଦନ ନେଇ ଓଡ଼ିଶାର ଗଣମାଧ୍ୟମକୁ ଓସିଏ ସୂଚନା ନଦେବା କ୍ରୀଡ଼ାପ୍ରେମୀ ଏବଂ କ୍ରୀଡ଼ା ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ବିସ୍ମୟ ପ୍ରକଟ କରିଛନ୍ତି। ଏହା ମଧ୍ୟ ଓସିଏରେ କାର୍ଯ୍ୟ କରୁଥିବା ଏବ˚ ଗଣମାଧ୍ୟମ ଦାୟିତ୍ବରେ ଥିବା ଅଧିକାରୀଙ୍କ ବେପରୁଆ ମନୋଭାବକୁ ସୂଚାଉଛି।

ବାର୍ଷିକ ସ୍ବୀକୃତି କାର୍ଡ ପାଇଁ ଜୁଲାଇ ୩୧ ତାରିଖରୁ ବିସିସିଆଇ ପକ୍ଷରୁ ବିଭିନ୍ନ ରାଜ୍ୟ ସ˚ଘମାନଙ୍କୁ ଜଣାଇ ଦିଆଯାଇଥିଲା। ଅଗଷ୍ଟ ୮ ତାରିଖ ଅର୍ଥାତ୍‌ ଗୁରୁବାର ସ˚ଧୢା ୬ଟା ପର୍ଯ୍ୟନ୍ତ ଅବେଦନ କରିବାର ଶେଷ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଆବେଦନ ଅବଧିର ଶେଷ ଦିନ ଅପରାହ୍ନ ପର୍ଯ୍ୟନ୍ତ କୌଣସି ଔପଚାରିକ ସୂଚନା ଦିଆଗଲାନାହିଁ। ବିସିସିଆଇ ସ୍ବୀକୃତି କାର୍ଡ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଅନ୍ୟ ରାଜ୍ୟର ପ୍ରତିନିଧିଙ୍କଠୁ ଜାଣିବା ପରେ ଏବିଷୟରେ ଓସିଏ କତ୍ତୃର୍ପକ୍ଷ ଓ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଓ ଗଣମାଧ୍ୟମ ପ୍ରବନ୍ଧକ ଅଞ୍ଜନ କୁମାର ଖୁଣ୍ଟିଆ ବିସିସିଆଇ ପକ୍ଷରୁ ଏବିଷୟରେ କୌଣସି ଯୋଗାଯୋଗ କରାଯାଇନଥିବା କହିଥିଲେ। ଅନ୍ୟପକ୍ଷରେ ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ କୁମାର ନାୟକ ବିସିସିଆଇରୁ ଇ-ମେଲ ଆସିଥିବା ସ୍ବୀକାର କରିଥିଲେ। କିନ୍ତୁ ସେ ଏହାକୁ କାହାକୁ ଜଣାଇବା ପରିବର୍ତ୍ତେ ନିଜ କମ୍ପ୍ୟୁଟରରେ ସାଇତି ରଖିବାକୁ ପସନ୍ଦ କରିଥିଲେ। ଓସିଏର ଗଣମାଧ୍ୟମ ପ୍ରବନ୍ଧକ ଅଞ୍ଜନ କୁମାର ଖୁଣ୍ଟିଆ ଏନେଇ ବିସିସିଆଇ ସ୍ବୀକୃତି ପ୍ରଦାନକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଆବେଦନ କରିବା ଲାଗି ଅଧିକ ସମୟ ମିଳିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର