ପ୍ରକାଶ ପାଇଲା ବିଜ୍ଞପ୍ତି: ଓସିଏ ନିର୍ବାଚନ ୨୭ରେ, ୨୦ରୁ ନାମାଙ୍କନ

ପୁଣି ଆଇଜିଆର‌୍‌କୁ ରିମାଇଣ୍ତର ପଠାଇଲା ଓସିଏ

କଟକ: ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୨୦ ତାରିଖରୁ ନାମାଙ୍କନ ଦାଖଲ କରାଯିବ ଏବ˚ ୨୧ ତାରିଖରେ ନାମାଙ୍କନ ଯାଞ୍ଚ ହେବା ପରେ ୨୨ ତାରିଖରେ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏସ˚କ୍ରାନ୍ତରେ ଶନିବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୨ ତାରିଖ ସୁଦ୍ଧା ସଦସ୍ୟମାନେ ସେମାନଙ୍କ ପ୍ରତିନିଧିଙ୍କ ନାମ ପଠାଇବାକୁ କୁହାଯାଇଥିଲା ବେଳେ ୧୩ ତାରିଖରେ ପ୍ରସ୍ତାବିତ ଭୋଟର ତାଲିକା ପ୍ରକାଶ ପାଇବ। ୧୪ ତାରିଖ ସୁଦ୍ଧା ତାଲିକା ଉପରେ ଆପତ୍ତି ଅଭିଯୋଗର ବିଚାର କରାଯିବ ଏବ˚ ୧୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଶୁକ୍ରବାର ବିସିସିଆଇ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ପରେ ୨୮ ତାରିଖ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ପ୍ରଶାସନିକ ସମିତି (ସିଓଏ) ରୋକ୍‌ଠୋକ୍‌ କହିଥିଲା। ଯଦି ନିର୍ଧାରିତ ସମୟରେ ନିର୍ବାଚନ ଶେଷ ନହୁଏ, ତାହେଲେ ଅନୁଦାନ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହାଉପରେ ଶନିବାର ଓସିଏ ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାରଙ୍କ ସହିତ ବିଚାର ବିମର୍ଶ କରାଯିବା ପରେ ଓସିଏ ସ୍ବୀକୃତିପ୍ରାପ୍ତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ରାଜ୍ୟର ତିନିଜଣ ଆନ୍ତର୍ଜାତିକ ଖେଳାଳି ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସ˚ଜୟ ରାଉଳଙ୍କ ପାଖକୁ ମଧ୍ୟ ବିଜ୍ଞପ୍ତି ପଠାଯାଇଛି। ୨୭ ତାରିଖ ଦିନ ୧୧ଟାରେ ସ୍ବତନ୍ତ୍ର ସାଧାରଣ ବୈଠକ ଡକାଯାଇଛି। ବୈଠକରେ ନିର୍ବାଚନ ହେବା ସହ, ଭୋଟ ଗଣତି ଓ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

ଓସିଏର ନୂତନ କର୍ମକର୍ତ୍ତାଙ୍କ ଭାଗ୍ୟ ନିର୍ଧାରଣର ଦାୟିତ୍ବ ୭୩ ଜଣ ଭୋଟରଙ୍କ ଉପରେ ନ୍ୟସ୍ତ ହେବ। ସେଥିମଧ୍ୟରେ ତିନିଜଣ ଆନ୍ତର୍ଜାତିକ ଖେଳାଳିଙ୍କୁ ବାଦ୍‌ ଦେଲେ ୩୧ ଜିଲ୍ଲା ସଦସ୍ୟ, ୧୧ ବିଦ୍ୟାଳୟ, ୩ ମହାବିଦ୍ୟାଳୟ, ୨୦ କ୍ଲବ୍‌ଙ୍କ ସହିତ କିଟ୍‌, ରେଭେନ୍ସା ବିଶ୍ବବିଦ୍ୟାଳୟ, ପୂର୍ବତଟ ରେଳବାଇ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭୋଟ ଦେବେ। ଯଦିଓ କିଟ୍‌ ଓ ପାରାଦୀପ ପୋର୍ଟର ସଦସ୍ୟତାକୁ ନେଇ ମାମଲା କୋର୍ଟରେ ବିଚାରାଧିନ ରହିଛି, ତଥାପି କୌଣସି ରହିତାଦେଶ ହୋଇନଥିବାରୁ ସେମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ତଥାପି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ହେଭିେଵଟ୍‌ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଦୁଇ ଆଶାୟୀ ଗୋଷ୍ଠୀ କସରତ୍‌ ଜୋର‌୍‌ଦାର କରିଦେଇଥିବା ଜଣାପଡିଛି।

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ସମ୍ବିଧାନ ପଞ୍ଜୀକରଣକୁ ନେଇ ଆଶଙ୍କା ବଢିବାରେ ଲାଗିଛି। ନିୟମ ଅନୁସାରେ ଏଜିଏମ୍‌ର ଅନୁମୋଦନ ବିନା ସମ୍ବିଧାନରେ ସ˚ଶୋଧନକୁ ଗ୍ରହଣ କରାଯାଇପାରିବନି। ଯେଉଁଥିପାଇଁ ଆଇଜିଆର‌୍‌ ପକ୍ଷରୁ ସମ୍ବିଧାନ ପଞ୍ଜୀକରଣ କରିବାକୁ ମନା କରାଯାଉଛି। ବିସିସିଆଇ ପ୍ରଶାସନିକ ସମିତି (ସିଓଏ) ମଧ୍ୟ ଦ୍ବନ୍ଦାତ୍ମକ ଟିପ୍ପଣୀ ଦେଉଥିବାରୁ ସମ୍ବିଧାନ ପଞ୍ଜୀକରଣରେ ବାଧା ସୃଷ୍ଟି ହେଉଥିବା କୁହାଯାଇଛି। ପ୍ରଥମେ ସମ୍ବିଧାନ ନିୟମ ଅନୁସାରେ ସ˚ଶୋଧିତ ସମ୍ବିଧାନ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିୟମ ଅନୁସାରେ ଏଜିଏମ୍‌ରେ ଅନୁମୋଦନ ପାଇବା ପରେ ଉକ୍ତ ସମ୍ବିଧାନକୁ ପଞ୍ଜୀକରଣ ପାଇଁ ପଠାଯିବ। ହେଲେ ଶୁକ୍ରବାର ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସାଧାରଣ ବୈଠକରେ ସ˚ଶୋଧିତ ସମ୍ବିଧାନକୁ ସାଧାରଣ ବୈଠକ ଗ୍ରହଣ କରିବ କିମ୍ବା ନାକଚ କରିବ ତାହା କୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇନଥିବା ସିଓଏ ସ୍ପଷ୍ଟ କରିଛି। ଏହାକୁ ଆଧାର କରି ଓସିଏ ପକ୍ଷରୁ ପୁଣି ଥରେ ଆଇଜିଆର‌୍‌କୁ ରିମାଇଣ୍ତର ପଠାଯାଇଛି। ତେବେ ଆଇଜିଆର‌୍‌ ପକ୍ଷରୁ ଏହି ନିର୍ଦ୍ଦେଶନାମାକୁ ଗ୍ରହଣ କରାଯାଉଛି ନା ସମ୍ବିଧାନ ଅନୁସାରେ ସ˚ଶୋଧିତ ସମ୍ବିଧାନକୁ ପଞ୍ଜୀକରଣ କରାଯିବା ନିୟମରେ ଅଟଳ ରହିବ ତାହାକୁ ଅପେକ୍ଷା କରିବାକୁ ହେବ। ତଥାପି ଶନିବାର ବିସିସିଆଇ ପକ୍ଷରୁ ଜାରି ହୋଇଥିବା ସଦସ୍ୟତା ସ୍ଥିତି ବିବରଣୀରେ ଓସିଏକୁ କାଟାଗୋରୀ ବି’ରେ ରଖାଯାଇଛି। ଓସିଏ ପରି ଆଉ ୯ ରାଜ୍ୟ ସ˚ଘ ଏହି କାଟାଗୋରୀରେ ଅଛନ୍ତି। ତେବେ ଓସିଏର ଭୋଟଦାନ ଅଧିକାର ଉପରେ ଏହା ପ୍ରଭାବ ପକାଇବନାହିଁ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି।

ସମ୍ବନ୍ଧିତ ଖବର