ଓଡ଼ିଶା କ୍ରିକେଟ୍‌କୁ ବଡ଼ ସଫଳ : କନିଷ୍ଠ ଏସିଆ କପ୍‌ ଦଳରେ ରାଜେଶ

ତୁଳସୀପୁରର ତୁଳସୀ

ତୁଳସୀ ଦୁଇ ପତ୍ରରୁ ବାସିବା ଭଳି କ୍ରିକେଟ୍‌ ପ୍ରତିଭା ରାଜେଶ ମହାନ୍ତିଙ୍କୁ ଠିକଣା ସମୟରେ ଚିହ୍ନଟ କରିଥିଲେ ପୂର୍ବତନ ଖେଳାଳି ତଥା ଚୟନକର୍ତା ଦୀପକ ମଙ୍ଗରାଜ। ସହି ଯୁବ ପ୍ରତିଭା ଜଣଙ୍କ ଆଜି ଭାରତୀୟ ଦଳର ସମ୍ପତ୍ତି ପାଲଟିଛନ୍ତି। ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍‌ରୁ ନିଜ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ରାଜେଶ କ୍ଲବ୍‌ର କନିଷ୍ଠ କ୍ରିକେଟ୍‌ ଉପରେ ହେଉଥିବା ନିରଂତର ପ୍ରୟାସର ପରିଣତି ଭାବେ ଉଭା ହୋଇଛନ୍ତି। ନୟାଗଡ଼ର ବଣମଲ୍ଲିରୁ ଆସି ଏବେ ବଡ଼ ତାରକା ହେବାକୁ ଯାଉଛନ୍ତି। ନୟାଗଡ଼ ସହରଠାରୁ ମାତ୍ର ୨ କିଲୋମିଟର ଦୂର ତୁଳସୀପୁର ଗାଁର କିଶୋର ମହାନ୍ତି ଏବଂ ମନୋରମା ମହାନ୍ତିଙ୍କ ଏକମାତ୍ର ପୁଅ ରାଜେଶ ନିଜ ଇଚ୍ଛାଶକ୍ତି ବଳରେ ହିଁ କ୍ରିକେଟ୍‌କୁ ଆସିଛନ୍ତି। ୨୦୧୪ ମସିହାରେ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ କ୍ଲବ୍‌ ପକ୍ଷରୁ ହୋଇଥିବା ସ୍କୁଲସ୍ତରୀୟ ପ୍ରତିଯୋଗିତାରେ ରାମେଶ୍ୱର ସ୍ପୋର୍ଟିଂ ପାଇଁ ପ୍ରତିନିଧିତ୍ୱ କରିବାର ପ୍ରଥମ ସୁଯୋଗ ମିଳିଥିଲା। ଏହା ପୂର୍ବରୁ ସେ ନୟାଗଡ଼ରେ କ୍ରିକେଟ୍‌ ଖେଳୁଥିଲେ, କିନ୍ତୁ ଟେନିସ୍‌ ବଲ୍‌ରେ। ଭୁବନେଶ୍ୱର ଆସିବା ଏବଂ ନୟାଗଡ଼ ପାଇଁ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବା ପରେ କ୍ରିକେଟ୍‌କୁ ଗମ୍ଭୀରତାର ସହ ନେଇଥିଲେ। ୨୦୦୦ ମସିହା ମେ’ ୨୦ ତାରିଖରେ ଜନ୍ମିତ ରାଜେଶ ଏହି ସମୟରୁ ରାମେଶ୍ୱର ସ୍ପୋର୍ଟିଂର ସମ୍ପାଦକ ତଥା ପୂର୍ବତନ ଦ୍ରୁତ ବୋଲର ଦୀପକ ମଙ୍ଗରାଜଙ୍କୁ ନିଜ ଗୁରୁ, ଆଦର୍ଶ ଓ ବଡ଼ ଭାଇ ଭାବେ ଗ୍ରହଣ କରି ଆଗକୁ ବଢ଼ିଛନ୍ତି। ସହିଦ ସ୍ପୋର୍ଟିଂ ପ୍ରତିଯୋଗିତାରେ ଖେଳିବା ବର୍ଷ ସେ ଅନ୍ତଃଜିଲ୍ଲାରେ ଭୁବନେଶ୍ୱର ବିପକ୍ଷରେ ପଦାର୍ପଣ ମ୍ୟାଚ୍‌ରେ ୫ ଓ୍ଵିକେଟ୍‌ ସଫଳତା ପାଇବା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ପ୍ରଥମେ ଜଣେ ବ୍ୟାଟିଂ ଅଲରାଉଣ୍ଡର୍‌ ଭାବେ ଖେଳୁଥିବା ରାଜେଶ ପ୍ରଶିକ୍ଷକ ଦୀପକଙ୍କ ସଂସ୍ପର୍ଶରେ ଆସିବା ପରେ ଦ୍ରୁତ ବୋଲିଂ ଉପରେ ଏକାଗ୍ରତା ଆଣିଥିଲେ। ତାଙ୍କ ପରାମର୍ଶରେ ହିଁ ମୁଁ ଦ୍ରୁତ ବୋଲିଂକୁ ଆସିଥିଲି। ଅନେକ କିଛି ଶିଖିଛି ଓ ତ୍ରୁଟିରେ ସଂଶୋଧନ ଆଣି ସଫଳ ହୋଇଛି। ରନ୍‌ ଅପ୍‌, ଫଲୋ ଥ୍ରୁ, ବଲ୍‌ ରିଲିଜ୍‌ ଏବଂ ଆକ୍ସନ ସବୁକିଛିକୁ ସେ ମୋର ଶାଣିତ କରିଥିଲେ ବୋଲି ରାଜେଶ ପ୍ରକାଶ କରିଥିଲେ।
୨୦୧୬ରେ ନୟାଗଡ଼ ପାଇଁ ୧୯ ବର୍ଷରୁ କମ୍‌ ଏବଂ କଳାହାଣ୍ଡି କପ୍‌ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ଖେଳିବା ପରେ ୫ ମ୍ୟାଚ୍‌ରୁ ୧୭ ଓ୍ଵିକେଟ୍‌ ନେଇଥିଲେ। ଏହା ପରେ ରାଜ୍ୟ ଦଳରୁ ଖେଳିବାର ସୁଯୋଗ ପାଇଥିଲେ। ଓଡ଼ିଶା ପାଇଁ ନେଇଥିବା ୧୦ ଓ୍ଵିକେଟ୍‌ ତାଙ୍କୁ ଜୋନାଲ୍‌ କ୍ରିକେଟ୍‌ ଏକାଡେମି ପାଇଁ ପୂର୍ବାଞ୍ଚଳ ଦଳରେ ସୁଯୋଗ ଦେଇଥିଲା। ତ୍ରିପୁରା ବିପକ୍ଷ ବିଡ଼ାନାସୀ ମ୍ୟାଚ୍‌ରେ ମୋଟ ୯ ଓ୍ଵିକେଟ୍‌ (୬ ଓ ୩) ନେବା ତାଙ୍କୁ ନଜରକୁ ଆଣିଥିଲା। ଜେଡ୍‌ସିଏ ପରେ ଏନ୍‌ସିଏରେ ପ୍ରଥମ ଥର ସାମିଲ ହୋଇଥିଲେ। ଡାହାଣହାତୀ ଦ୍ରୁତ ବୋଲର ରାଜେଶ ପାକିସ୍ତାନର ମହମ୍ମଦ ଆମିର ଏବଂ ଭାରତର ଉମେଶ ଯାଦବଙ୍କ ବୋଲିଂକୁ ଅନୁସରଣ କରିଥାନ୍ତି।
ଦୁଇ ବେଳା ଟ୍ରେନ୍‌ ଯାତ୍ରା
ରାଜେଶଙ୍କ ଆଦ୍ୟ ଖେଳ ଜୀବନର କ୍ରିକେଟ୍‌ ଯାତ୍ରାଠୁ ଅଭ୍ୟାସ ଯାତ୍ରା ସବୁଠାରୁ କଷ୍ଟକର ଥିଲା। ଘରର ଏକମାତ୍ର ପୁଅ ହୋଇଥିବାରୁ କ୍ରିକେଟ୍‌ ଖେଳିବାକୁ ବାପା ଅରାଜି ଥିଲେ। କିନ୍ତୁ ମନାଇବାକୁ ପଡ଼ିଥିଲା। ଜଟଣୀରେ ମାମୁଁ ବିଜୟ କୁମାର ମହାନ୍ତିଙ୍କ ଘରେ ରହି ପ୍ରତ୍ୟେହ ଦୁଇ ବେଳା ଟ୍ରେନ୍‌ରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ଆସୁଥିଲେ ଅଭ୍ୟାସ ପାଇଁ। ଏହି କଷ୍ଟକର ଯାତ୍ରା ଏବେ ତାଙ୍କ ଖେଳ ଜୀବନର ସବୁଠୁ ସ୍ମରଣୀୟ ହେବାକୁ ଯାଉଛି।
ଭୁବନେଶ୍ୱର: ସଂଘର୍ଷମୟ ସମୟରେ ଗତି କରୁଥିବା ଓଡ଼ିଶା କ୍ରିକେଟ୍‌କୁ ବଡ଼ ସଫଳତା ମିଳିଛି। ଅନ୍ତର୍ଜାତୀୟ ପଦାର୍ପଣର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ପ୍ରମୁଖ ପ୍ରତିଯୋଗିତା ଲାଗି ଭାରତୀୟ କନିଷ୍ଠ (୧୯ ବର୍ଷରୁ କମ୍‌) ଦଳରେ ସ୍ଥାନ ପାଇଛନ୍ତି ଏହି ନୟାଗଡ଼ ପ୍ରତିଭା। ମଙ୍ଗଳବାର ଘୋଷିତ ଚତୁସ୍କୋଣୀୟ ଏବଂ କନିଷ୍ଠ ଏସିଆ କପ୍‌ ଲାଗି ରାଜେଶଙ୍କୁ ମିଳିଛି ସୁଯୋଗ। ସେପ୍ଟେମ୍ବର ୧୨ରୁ ଲକ୍ଷ୍ନୌରେ ଚତୁଷ୍କୋଣୀୟ ପ୍ରତିଯୋଗିତାରେ ରାଜେଶ ୧୯ ବର୍ଷରୁ କମ୍‌ ଭାରତ ‘ଏ’ ଦଳରୁ ଏବଂ ସେପ୍ଟେମ୍ବର ୨୯ରୁ ଢାକାରେ ଆୟୋଜିତ କନିଷ୍ଠ ଏସିଆ କପ୍‌ରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବେ। ବାଙ୍ଗାଲୋର୍‌ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ପ୍ରଭାବୀ ପ୍ରଦର୍ଶନ କରି ରାଜେଶ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ।

ରାଜ୍ୟ ୧୬ ଏବଂ ୧୯ ବର୍ଷରୁ କମ୍‌ ଦଳରୁ ପ୍ରତିନିଧିିତ୍ୱ କରିଥିବା ରାଜେଶ ଏହି ଦୁଇ ବୟସ ବର୍ଗର ଏନ୍‌ସିଏ ଶିବିରରେ ନିୟମିତ ସ୍ଥାନ ପାଇଆସୁଥିଲେ। ୨୦୧୬ ମସିହା ଜୁନ୍‌ ୧୪ ତାରିଖରେ ’ସମ୍ବାଦ’ରେ ପ୍ରକାଶିତ ‘ତୁଳସୀପୁରର ତୁଳସୀ’ ଶୀର୍ଷକ ବିଶେଷ କାହାଣୀରେ ମଧ୍ୟ ରାଜେଶ ଭାରତୀୟ ଦଳର ଉଜ୍ୱଳ ଭବିଷ୍ୟତ ବୋଲି ପୂର୍ବାନୁମାନ କରାଯାଇଥିଲା। ୨ ବର୍ଷ ପରେ ଏହା ବାସ୍ତବ ରୂପ ନେଇଛି। ରାଜେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ ପଲ୍ଲାଇ ଏବଂ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ସୋମବାର ବାଙ୍ଗାଲୋର୍‌ରେ ଅନୁଷ୍ଠିତ ଚୟନ ସମିତି ବୈଠକରେ ଓଡ଼ିଶାର ଉଦୀୟମାନ ବ୍ୟାଟସମ୍ୟାନ୍‌ ରଘୁନାଥ ମଲ୍ଲଙ୍କ ନାମ ମଧ୍ୟ ଚର୍ଚାକୁ ଆସିଥିଲା। କିନ୍ତୁ ୫ ଜଣ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଉପଲବ୍‌ଧ ଥିବାରୁ ମଲ୍ଲ ପଛରେ ପଡ଼ିଯାଇଥିଲେ। ତଥାପି ମାତ୍ର ୫ ଦିନ ତଳେ ଦେବାଶିଷ ମହାନ୍ତି ବିସିସିଆଇ କନିଷ୍ଠ ଚୟନ ସମିତିର ସଦସ୍ୟ ମନୋନୀତ ହେବା ପରେ ଓଡ଼ିଶାରୁ ଜଣେ ଭାରତୀୟ ଦଳରେ ସ୍ଥାନ ପାଇବା ମଧ୍ୟ ରାଜ୍ୟ କ୍ରିକେଟ୍‌ ପାଇଁ ଶୁଭବେଳାର ଶୁଭାରମ୍ଭ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର