ଓଡ଼ିଶା କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ବୟ, ବସନ୍ତ ମହାନ୍ତି

ଭୁବନେଶ୍ବର(ସୁରେଶ ସ୍ବାଇଁ): ଚଳିତ ବର୍ଷର ଜାନୁଆରି ମାସରେ ରଣଜୀ ଟ୍ରଫିର ଏକ ମ୍ୟାଚ୍‌ରେ ମଧ୍ୟପ୍ରଦେଶର ବାମହାତୀ ସ୍ପିନର୍‌ ରବି ଯାଦବ ହ୍ୟାଟ୍ରିକ୍ ଅର୍ଜନ କରି ଚର୍ଚାରେ ଥିଲେ। ରଣଜୀ ଟ୍ରଫିରେ ୮୫ ବର୍ଷ ଇତିହାସରେ ଏହା ଥିଲା ୭୯ତମ ହ୍ୟାଟ୍ରିକ୍। ୨୮ ବର୍ଷୀୟ ରବି କିନ୍ତୁ ବିରଳ କ୍ଲବ୍‌ର ପ୍ରତିଷ୍ଠାତା ହୋଇଛନ୍ତି। ପଦାର୍ପଣ ରଣଜୀ ଟ୍ରଫି ମ୍ୟାଚ୍‌ର ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେବାରେ ସେ ହୋଇଛନ୍ତି ପ୍ରଥମ ବୋଲର। ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ରବି ନିଜ ସ୍ପିନ୍‌ ଜାଲରେ ଆର୍ଯ୍ୟନ ଜୁ‌ୟୋଲ, ଅଙ୍କିତ ରାଜପୁତ ଓ ସମୀର ରିଜଭିଙ୍କୁ ଲଗାତାର ବଲ୍‌ରେ ଆଉଟ୍ କରି ଏହି ଗୌରବ ଆଣିଛନ୍ତି। କ୍ରିକେଟ୍‌ ପଡ଼ିଆରେ ଏଭଳି ବିରଳ ସଫଳତାର ଶ୍ରେୟ ଖୁବ୍ କ୍ବଚିତ ବୋଲରଙ୍କ ଭାଗ୍ୟରେ ଜୁଟିଥାଏ। ଓଡ଼ିଶା କ୍ରିକେଟ୍‌ ଉପରେ ନଜର ବୁଲାଇଲେ ଏଭଳି ସଫଳତାର ଉଦାହରଣ ବି ରହିଛି। ୭୦ ଋତୁ ହେବ ରଣଜୀ ଟ୍ରଫିରେ ଖେଳି ଆସୁଥିବା ଓଡ଼ିଶାର ୩ ଜଣ ବୋଲର ରଣଜୀ ହ୍ୟାଟ୍ରିକ୍‌ କ୍ଲବ୍‌ରେ ରହିଛନ୍ତି। ସେମାନେ ହେଲେ ସୌରଜିତ ମହାପାତ୍ର, ଅଜୟ ବାରିକ ଏବଂ ବସନ୍ତ ମହାନ୍ତି। ଏମାନେ ସଭିଏଁ ଡାହାଣହାତୀ ଦ୍ରୁତ ବୋଲର ହୋଇଥିଲେ ମଧ୍ୟ ଅଲଗା ଅଲଗା ପିଢ଼ିରେ ଖେଳିଥିଲେ। ଓଡ଼ିଶା ବିପକ୍ଷରେ ୪ ଜଣ ହ୍ୟାଟ୍ରିକ୍ ଅର୍ଜନ କରିଥିବାରୁ ଓଡ଼ିଶା ୩-୪ ସ୍ଥିତିରେ ରହିଛି।

ସୌରଜିତ ମହାପାତ୍ର
ଓଡ଼ିଶା କ୍ରିକେଟ୍‌ ପାଇଁ ସର୍ବପ୍ରଥମ ହ୍ୟାଟ୍ରିକ ଗୌରବ ଆଣିଥିଲେ କଟକର ସୌରଜିତ ମହାପାତ୍ର। ୧୯୮୭-୮୮ ଋତୁରେ ବାରବାଟୀ ଷ୍ଟାଡିୟମ୍‌ରେ ତ୍ରିପୁରା ବିପକ୍ଷରେ ସୌରଜିତ ବାବୁ ଏହି ସଫଳତା ଆଣିଥିଲେ। କେବଳ ହ୍ୟାଟ୍ରିକ୍ ନୁହେଁ ମୋଟ ଉପରେ ଏହି ମ୍ୟାଚ୍‌ରେ ସେ ୧୩ ୱିକେଟ୍ ଦଖଲ କରିବାରୁ ଓଡ଼ିଶା ୧୦ ୱିକେଟ୍‌ରେ ସହଜ ବିଜୟ ହାସଲ କରିଥିଲା। ପ୍ରଥମ ପାଳିରେ ସେ ୧୧.୩-୨-୨୩-୬ ଏବଂ ଦ୍ବିତୀୟ ପାଳିରେ ୧୪.୩-୩-୪୦-୭ ବୋଲିଂ ଚିତ୍ର ସହ ତ୍ରିପୁରାକୁ ଲଜ୍ଜାଜନକ ପରାଜୟ ମୁହାଁ କରିଥିଲେ। ତ୍ରିପୁରାର ପ୍ରଥମ ପାଳିରେ ସଂଜୀବ ପଲ୍‌ (କଟ୍‌ ବିହାଇଣ୍ଡ), ହୀରାଲାଲ ଦତ୍ତ (ଏଲ୍‌ବିଡବ୍ଲୁ) ଏବଂ ଅଭିଜିତ୍ ଦାସ (କଟ୍‌ ବିହାଇଣ୍ଡ୍‌)ଙ୍କ ୱିକେଟ୍ ଲଗାତାର ବଲ୍‌ରେ ନେଇ ହ୍ୟାଟ୍ରିକ୍ ପୂରଣ କରିଥିଲେ। ରଂଜୀବ ବିଶ୍ବାଳ, ସ୍ବପନ ମିତ୍ର ଏବଂ ଅବିନାଶ ଖଟୁଆଙ୍କ ଅର୍ଧଶତକ ବଳରେ ଓଡ଼ିଶା ପ୍ରଥମ ପାଳିରେ ୩୬୯ ରନ୍ କରିବା ପରେ ସୌରଜିତଙ୍କ ବୋଲିଂ ଆଗରେ ହାର୍ ମାନି ଫଲୋଅନ୍ ଖେଳି (୧୩୪ ଓ ୮୪) ତ୍ରିପୁରା ପରାଜୟ ବରଣ କରିଥିଲା।

ଓଡ଼ିଶା ବିପକ୍ଷରେ ୪
ରଣଜୀ ଟ୍ରଫିରେ ଓଡ଼ିଶାର ୩ ଜଣ ହ୍ୟାଟ୍ରିକ୍ ନେଇଛନ୍ତି, ଓଡ଼ିଶା ଦଳ ବିପକ୍ଷରେ କିନ୍ତୁ ୪ ଜଣ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଓଡ଼ିଶା ବିପକ୍ଷ ପ୍ରଥମ ହ୍ୟାଟ୍ରିକ୍‌ର ସାକ୍ଷୀ ମଧ୍ୟ ବାରବାଟୀ ଷ୍ଟାଡିୟମ୍‌। ୧୯୫୪-୫୫ ଋତୁରେ ବେଙ୍ଗଲର ପ୍ରବୀର ସେନ୍‌ ନେଇଥିଲେ ହ୍ୟାଟ୍ରିକ୍‌। ଓଡ଼ିଶାର ଦ୍ବିତୀୟ ପାଳିର ଶେଷ ୩ ୱିକେଟ୍ ରୂପରେ ଟି ରାମ ଶାସ୍ତ୍ରୀ, ଏନ୍ ପାଢ଼ୀ, ଟିଏନ୍ ଶାସ୍ତ୍ରୀଙ୍କୁ ହ୍ୟାଟ୍ରିକ୍ ଶିକାର କରି ପ୍ରବୀର ସେନ୍‌ ପାଇଥିଲେ ୩.୪-୧-୪-୩ ବୋଲିଂ ଚିତ୍ର। ଓଡ଼ିଶା ଏହି ମ୍ୟାଚ୍‌କୁ ପାଳି ଓ ୧୪୫ ରନ୍‌ରେ ହାରିଯାଇଥିଲା। ଓଡ଼ିଶା ବିପକ୍ଷରେ ଦ୍ବିତୀୟ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ ମହାନ ସ୍ପିନର୍‌ ଅନିଲ କୁମ୍ବଲେ। ୧୯୯୭-୯୮ ଋତୁରେ ରାଉରକେଲାର ଇସ୍ପାତ ଷ୍ଟାଡିୟମ୍‌ରେ କର୍ଣ୍ଣାଟକ ପାଇଁ କୁମ୍ବଲେ ଖେଳୁଥିବା ବେଳେ ଓଡ଼ିଶା ଦ୍ବିତୀୟ ପାଳିରେ ଦୁଇ ପେସାଦାର ଖେଳାଳି ରବିନ୍ ମୋରିସ୍‌, ଗୌତମ ଗୋପାଳ ଏବଂ ଏସ୍‌ସି ମହନ୍ତିଙ୍କ ୱିକେଟ୍‌ ନେଇଥିଲେ। କୁମ୍ବଲେ ଏହି ମ୍ୟାଚ୍‌ରେ ୧୦ ୱିକେଟ୍ ସଫଳତା (୧୯-୭-୩୪-୫ ଓ ୬-୩-୧୯-୫) ପାଇଥିଲେ। ଓଡ଼ିଶା ଏହି ମ୍ୟାଚ୍‌କୁ ମଧ୍ୟ ପାଳି ଓ ୧୨୩ ରନ୍‌ ବ୍ୟବଧାନରେ ହାରିଥିଲା। ଓଡ଼ିଶା ବିପକ୍ଷରେ ତୃତୀୟ ହ୍ୟାଟ୍ରିକ୍‌ଟି ଅର୍ଜନ କରିଥିଲେ ତାମିଲନାଡୁର ଦାମୋଦରନ ଦେବାନନ୍ଦ। ୧୯୯୮-୯୯ ଋତୁରେ ଚେନ୍ନାଇରେ ଖେଳାଯାଇଥିବା ସୁପରଲିଗ୍‌ର ଏହି ମ୍ୟାଚ୍‌ରେ ଶିକାର ହୋଇଥିଲେ ଗୌତମ ଗୋପାଳ, ସଞ୍ଜୟ ଶତପଥୀ ଏବଂ ସାହିଦ୍‌ ଖାନ୍। ଓଡ଼ିଶା ଏହି ମ୍ୟାଚ୍‌କୁ ପାଳି ଓ ୪୧ ରନ୍‌ରେ ହାରିଥିଲା।। ଚତୁର୍ଥ ହ୍ୟାଟ୍ରିକଟି ଅର୍ଜନ କରିଥିଲେ ପଞ୍ଜାବର ଭିଆର୍‌ଭି ସିଂହ। ୨୦୦୭-୦୮ ଋତୁରେ ମୋହାଲିଠାରେ ଓଡ଼ିଶା ପାଳିର ରଶ୍ମି ରଂଜନ ପରିଡ଼ା, ରଶ୍ମିରଂଜନ ଦାସ, ସୌରଭ ସେହଗାଲ ହୋଇଥିଲେ ଶିକାର। ଓଡ଼ିଶା ମଧ୍ୟ ଏହି ସୁପର ଲିଗ୍‌ (୭ ୱିକେଟ୍) ମ୍ୟାଚ୍‌କୁ ହାରିଥିଲା। ପ୍ରଥମ ପାଳିରେ ୱିକେଟ୍ ପାଇନଥିଲେ ମଧ୍ୟ ଭିଆର୍‌ଭି ଦ୍ବିତୀୟ ପାଳିରେ ୧୦-୧-୨୫-୫ ଚିତ୍ର ସହ ପଞ୍ଜାବକୁ ବିଜୟୀ କରାଇଥିଲେ।

ଅଜୟ ବାରିକ
ସୌରଜିତ୍‌ଙ୍କ ସଫଳତାର ୧୩ ଋତୁ ପରେ ଓଡ଼ିଶା ପାଇଁ ଦ୍ବିତୀୟ ହ୍ୟାଟ୍ରିକ୍ ସଫଳତା ଆଣି ଦେଇଥିଲେ ଅଜୟ ବାରିକ। ୨୦୦୦-୦୧ ଋତୁରେ ବାଲେଶ୍ବର ପରମିଟ୍‌ ପଡିଆରେ ଆସାମ ବିପକ୍ଷରେ ଏଭଳି ସଫଳତା ଅର୍ଜନ କରିଥିଲେ ଅଜୟ। ଲଗାତାର ୩ ବଲ୍‌ରେ ସେ ଆଉଟ୍ କରିଥିଲେ ବଚନ ସିଂହ, ଡିଜେ ଗୋକୁଳକୃଷ୍ଣନ୍‌ ଓ ସୁଖବିନ୍ଦର ସିଂହଙ୍କୁ। ଆସାମ ୫୨୨ ରନ୍‌କୁ ପିଛା କରୁଥିବା ବେଳେ ୫୫ତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲରେ ଏହି ସଫଳତା ଆଣିଥିଲେ ଅଜୟ। ଓଡ଼ିଶାର ପ୍ରଥମ ପାଳି ସ୍କୋର୍‌ ୧୭୪ ରନ୍ ଜବାବରେ ଆସାମ ମାତ୍ର ୭୪ ରନ୍ କରିଥିଲା। ଦ୍ବିତୀୟ ପାଳିରେ ରଶ୍ମି ପରିଡ଼ା (୧୧୭) ଏବଂ ସଜୟ ରାଉଳ (୧୬୨)ଙ୍କ ଶତକ ବଳରେ ଓଡ଼ିଶା ୪୨୩ ରନ୍ କରିଥିଲା। ଆସାମ କିନ୍ତୁ ୯୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଆତ୍ମସମର୍ପଣ କରିଥିଲା। ଆସାମର ପ୍ରଥମ ପାଳିରେ ଦେବାଶିଷ ମହାନ୍ତି ଓ ସଂଜୟ ଶତପଥୀ ୫-୫ ୱିକେଟ୍ ନେଇଥିବା ବେଳେ ଅଜୟ ୱିକେଟ୍ ଶୂନ୍ୟ ରହିଥିଲେ। ଦ୍ବିତୀୟ ପାଳ‌ିରେ କିନ୍ତୁ ହ୍ୟାଟ୍ରିକ୍ ସହିତ ଅଜୟ ୧୦.୨-୩-୧୮-୫ ବୋଲିଂ ଚିତ୍ର ସହ ‌ନିଜ ଖେଳ ଜୀବନର ସ୍ମରଣୀୟ ସଫଳତା ପାଇଥିଲେ। ଓଡ଼ିଶା ୪୨୯ ରନ୍‌ରେ ଜିତି ସମ୍ପୂର୍ଣ୍ଣ ୮ ପଏଣ୍ଟ ଅର୍ଜନ କରିଥିଲା।

ବସନ୍ତ ମହାନ୍ତି
ଓଡ଼ିଶା କ୍ରିକେଟ୍‌ର ଅନ୍ୟତମ ଅଗ୍ରଣୀ ବୋଲର ବସନ୍ତ ମହାନ୍ତି ହୋଇଥିଲେ ତୃତୀୟ ହ୍ୟାଟ୍ରିକ୍‌ ହାସଲକାରୀ। ଭୁବନେଶ୍ବରର କିଟ୍‌ କ୍ରିକେଟ୍ ଷ୍ଟାଡି୍ୟମ୍‌ରେ ୨୦୧୫-୧୬ ଋତୁର ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଦିଲ୍ଲୀ ବିପକ୍ଷରେ ଅର୍ଜନ କରିଥିଲେ ଏହି ସଫଳତା। ଲଗାତାର ବଲ୍‌ରେ ପୁନିତ ବିଷ୍ଟ୍‌, ସୁବୋଧ ଭଟ୍ଟି, ପୁଲକିତ ନାରଙ୍ଗଙ୍କୁ ପ୍ୟାଭିଲିଅନ୍ ପଠାଇ ୩ ପିଢ଼ିକୁ ବ୍ୟାପ୍ତ କରିଥିଲେ ହ୍ୟାଟ୍ରିକ୍‌ ସଫଳତା। ଦିଲ୍ଲୀର ପ୍ରଥମ ପାଳିକୁ ୩୧୧ ରନ୍‌ରେ ରୋକିନେଇଥିଲେ ମଧ୍ୟ ଓଡ଼ିଶା ଅଗ୍ରଣୀ ସୁଯୋଗ ହାତଛଡ଼ା କରିଥିଲା। ମାତ୍ର ୨୨ ରନ୍‌ ଭିତରେ ୬ ୱିକେଟ୍ ହରାଇବାରୁ ଓଡ଼ିଶା (୨୧୭) ହାତରୁ ମ୍ୟାଚ୍‌ ଚାଲିଯାଇଥିଲା। ଦିଲ୍ଲୀ ଦ୍ବିତୀୟ ପାଳିର ୩୦ତମ ଓଭରରେ ବସନ୍ତ ପ୍ରଥମ ୩ ବଲ୍‌ରେ ୱିକେଟ୍ ନେଇ ନିଜ ଖେଳ ଜୀବନର ଏକ ଅଧୁରା ସ୍ବପ୍ନକୁ ପୂର୍ଣ୍ଣ କରିଥିଲେ। ଏହି ମ୍ୟାଚ୍‌ ଅମୀମାଂସିତ ରହିବାରୁ ପାଳି ଅଗ୍ରଣୀରେ ଦିଲ୍ଲୀ ଆଗକୁ ବଢ଼ିଥିଲା। ବସନ୍ତ ପ୍ରଥମ ପାଳିରେ ୩୯-୧୦-୮୦-୩ ଏବଂ ଦ୍ବିତୀୟ ପାଳିରେ ୯.୩-୦-୩୯-୬ ବୋଲିଂ ଚିତ୍ର ପାଇଥିଲେ। କିନ୍ତୁ ଓଡ଼ିଶା ପ୍ରଥମ ପାଳିରେ ଦିଲ୍ଲୀ ଦ୍ରୁତ ବୋଲର ପ୍ରଦୀପ ସାଙ୍ଗୱାନ (୭/୩୮) ପ୍ରଭାବୀ ବୋଲିଂ କରି ଗୌତମ ଗମ୍ଭୀରଙ୍କ ଦଳକୁ ଫାଇଦାରେ ରଖିଥିଲେ।

ସମ୍ବନ୍ଧିତ ଖବର