ଭୁବନେଶ୍ବର(ସୁରେଶ ସ୍ବାଇଁ): ଖ୍ୟାତନାମା ପୂର୍ବତନ ବ୍ୟାଟସମ୍ୟାନ୍ ଶ୍ରୀତମ ଦାସ ଓଡ଼ିଶା କ୍ରିକେଟ୍ ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ। କିନ୍ତୁ ତାଙ୍କର ଏମିତି କିଛି କୃତିତ୍ବ ଓ କାହାଣୀ ରହିଛି ଯାହା ରାଜ୍ୟର କ୍ରିକେଟ୍ ଦୁନିଆ ପାଇଁ ସ୍ବଳ୍ପ ଅଜଣା ଓ ଅଛପା। କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ସହିତ ବର୍ତମାନର ଉଦୀୟମାନ ଯୁବ ପ୍ରତିଭା ପୃଥ୍ବୀ ସ’ଙ୍କ ଭଳି ଖେଳାଳିଙ୍କ ବିରଳ କ୍ଲବ୍ରେ ରହିଛନ୍ତି ଓଡ଼ିଶା ରଣଜୀ ଦଳର ଏହି ପୂବର୍ତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍। ଏହି କୀର୍ତ୍ତିମାନ କ୍ଲବ୍ଟି ହେଉଛି ଭାରତର ଅନ୍ୟତମ ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଦଲିପ ଟ୍ରଫିରେ ଶତକ ହାସଲ କରିବାରେ ସବୁଠୁ କନିଷ୍ଠ ଖେଳାଳି। ଦୀର୍ଘ ୩୪ ବର୍ଷ ତଳେ ଶ୍ରୀତମ ମାତ୍ର ୧୮ ବର୍ଷ ୭୧ ଦିନର ହୋଇଥିବା ବେଳେ ପୂର୍ବାଞ୍ଚଳ ପାଇଁ ଖେଳି କେନ୍ଦ୍ରାଞ୍ଚଳ ବିପକ୍ଷରେ (୨୦ ଅକ୍ଟୋବର ୧୯୮୬, ପୁନେର ନେହେରୁ ଷ୍ଟାଡିୟମ୍) ଶତକ ହାସଲ କରିଥିଲେ। ଏହା ମଧ୍ୟ ଶ୍ରୀତମଙ୍କ ପଦାର୍ପଣ ଦଲିପ ଟ୍ରଫି ମ୍ୟାଚ୍ ଥିଲା। ପ୍ରଥମ ପାଳିରେ ୪ ରନ୍ କରିଥିଲେ ମଧ୍ୟ ଦ୍ବିତୀୟ ପାଳିରେ ପଙ୍କଜ ରାୟଙ୍କ ସହିତ ପ୍ରଥମ ୱିକେଟ୍ ପାଇଁ ୧୫୬ ରନ୍ ଭାଗୀଦାରି ଗଢ଼ିଥିଲେ। ଶ୍ରୀତମ ୧୨୩* ରନ୍ ଏବଂ ପଙ୍କଜ ୭୬ ରନ୍ କରିଥିଲେ। ଏହି ମ୍ୟାଚ୍ ଅମୀମାଂସିତ ରହିଥିଲେ ମଧ୍ୟ ପୂର୍ବାଞ୍ଚଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବିଜୟୀ ହୋଇଥିଲା। ପ୍ରାୟ ୫ ବର୍ଷ ଧରି ଏହି କୀର୍ତିମାନ ଶ୍ରୀତମଙ୍କ ନାମରେ ଅତୁଟ ରହିଥିଲା।
ଦୀର୍ଘ ୪ ଋତୁ ଓ ୫ ବର୍ଷ ପରେ ଶ୍ରୀତମଙ୍କ ସର୍ବକନିଷ୍ଠ ଦଲିପ ଟ୍ରଫି ଶତକ କୀର୍ତ୍ତିମାନକୁ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଗୋଟିଏ ମ୍ୟାଚ୍ରେ ଭାଙ୍ଗିଥିଲେ। ୧୯୯୧ ମସିହା ଜାନୁଆରି ୧୧ରୁ ୧୫ ତାରିଖ ମଧ୍ୟରେ ଗୁଆହାଟୀଠାରେ ଖେଳାଯାଇଥିବା ପୂର୍ବାଞ୍ଚଳ-ପଶ୍ଚିମାଞ୍ଚଳ ମୁକାବିଲାରେ ପଶ୍ଚିମାଞ୍ଚଳ ପାଇଁ ସଚିନ ତେନ୍ଦୁଲକର (୧୫୯) ଏବଂ ପୂର୍ବାଞ୍ଚଳ ପାଇଁ ସୌରଭ ଗାଙ୍ଗୁଲି (୧୨୪*) ଶତକ ହାସଲ କରିଥିଲେ। ସେତେବେଳେକୁ ସଚିନଙ୍କୁ ୧୭ ବର୍ଷ ୨୬୨ ଦିନ ଏବଂ ଗାଙ୍ଗୁଲିଙ୍କୁ ୧୮ ବର୍ଷ ୧୮୭ ଦିନ ହୋଇଥିଲା। ଶ୍ରୀତମଙ୍କଠାରୁ କୀର୍ତ୍ତିମାନ ଛଡ଼ାଇନେବାର ଦୀର୍ଘ ୨୯ ଋତୁ ପର୍ଯ୍ୟନ୍ତ ସଚିନ ଏବେ ବି ସର୍ବକନିଷ୍ଠ ଦଲିପ ଟ୍ରଫି ଶତକ ହାସଲକାରୀ ଭାବେ ଏହି ବିରଳ କ୍ଲବ୍ର ଶୀର୍ଷରେ ରହିଛନ୍ତି। ଏହାର ପରବର୍ତୀ ମ୍ୟାଚ୍ରେ ସଚିନ ମଧ୍ୟ ଶତକ ହାସଲ କରିବାରୁ ଏହି ଟେବୁଲ୍ର ଦ୍ବିତୀୟ ସ୍ଥାନ (୧୭ ବର୍ଷ ୨୬୯ ଦିନ)ରେ ରହିଛନ୍ତି। ଏହି ଘଟଣାର ଦୀର୍ଘ ୨୭ ଋତୁ ପରେ ୨୦୧୭ ମସିହାରେ ଇଣ୍ଡିଆ ରେଡ୍ ପାଇଁ ଖେଳି ପୃଥ୍ବୀ ସ’ ଇଣ୍ଡିଆ ବ୍ଲୁ ବିପକ୍ଷରେ ଶତକ ହାସଲ କରିବାରୁ ଶ୍ରୀତମଙ୍କୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛନ୍ତି। ପୃଥ୍ବୀଙ୍କ ବୟସ ସେତେବେଳେ ୧୭ ବର୍ଷ ୩୨୦ ଦିନ ହୋଇଥିଲା। ସେହି ଋତୁରେ ପୃଥ୍ବୀ ଉଭୟ ରଣଜୀ ଟ୍ରଫି ଏବଂ ଦଲିପ ଟ୍ରଫିର ପଦାର୍ପଣ ମ୍ୟାଚ୍ରେ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ସଚିନ ତେନ୍ଦୁଲକର ମଧ୍ୟ ରଣଜୀ ଟ୍ରଫି, ଦଲିପ ଟ୍ରଫି ଏବଂ ଈରାନୀ ଟ୍ରଫି ପଦାର୍ପଣରେ ଶତକ ହାସଲ କରିବାର ବିରଳ କୀର୍ତ୍ତିମାନ ରଚିଥିଲେ। ତେବେ ମୋଟାମୋଟି ଭାବେ ଶ୍ରୀତମ ଏହି ବିରଳ କ୍ଲବ୍ରେ ଦୀର୍ଘ ୩୪ ବର୍ଷ ଧରି ଶୀର୍ଷ ୫ରେ ରହିଛନ୍ତି।
ରଣଜୀ ପଦାର୍ପଣ ପାଳିରେ ଶତକ
କେବଳ ଦଲିପ ଟ୍ରଫି ପଦାର୍ପଣରେ ସବର୍କନିଷ୍ଠ ଭାବେ ଶତକ ହାସଲ ନୁହେଁ ଶ୍ରୀତମ ମଧ୍ୟ ଓଡ଼ିଶା ପାଇଁ ରଣଜୀ ଟ୍ରଫି ପଦାର୍ପଣ ପାଳିରେ ଶତକ ହାସଲ କରିବାର ଗୌରବ ରଖିଛନ୍ତି। କିନ୍ତୁ ନିଜ ପ୍ରଥମ ମ୍ୟାଚ୍ରେ ବ୍ୟାଟିଂରୁ ବଞ୍ଚିତ ହୋଇଥିବାରୁ ଏହା ପଦାର୍ପଣ ଶତକରେ ଗଣାଯାଉନାହିଁ। ୧୯୮୫-୮୬ ଋତୁରେ ବାଲେଶ୍ବରର ପରମିଟ୍ ପଡିଆରେ ଆସାମ ବିପକ୍ଷ ମ୍ୟାଚ୍ରେ ସେ ପଦାର୍ପଣ କରିଥିଲେ। ଶ୍ରୀତମ ୬/୭ ନମ୍ବରରେ ବ୍ୟାଟିଂ କରିବାର ଥିଲା। କିନ୍ତୁ ଓଡ଼ିଶା ୪ ୱିକେଟ୍ ବିନିମୟରେ ୪୧୯ ରନ୍ କରିବା ସହ ଆସାମକୁ ଫଲୋଅନ୍ ଖେଳାଇ ପାଳି ବ୍ୟବଧାନରେ ମ୍ୟାଚ୍ ଜିତିଯାଇଥିବାରୁ ସେ ବଞ୍ଚିତ ହୋଇଥିଲେ। ସେ କିନ୍ତୁ ରଣଜୀ ଟ୍ରଫିରେ ନିଜର ପ୍ରଥମ ବ୍ୟାଟିଂ ପାଳିରେ ଶତକ ହାସଲ କରିବାର ବିରଳ ସଫଳତା ପାଇଥିଲେ। ବାଲେଶ୍ବର ପରେ ତାଳଚେରଠାରେ ଓଡ଼ିଶା ନିଜର ଦ୍ବିତୀୟ ମ୍ୟାଚ୍ରେ ତ୍ରିପୁରାକୁ ପାଳି ବ୍ୟବଧାନରେ ହରାଇଥିଲେ ମଧ୍ୟ ଶ୍ରୀତମ ପାଳି ଆରମ୍ଭ କରିବାର ସୁଯୋଗ ପାଇ ୧୨୪ ରନ୍ କରିଥିଲେ। ସେହି ଦୃଷ୍ଟିରୁ ପୃଥ୍ବୀ ସ’ ଓ ସଚିନଙ୍କ ଭଳି ଉଭୟ ଦଲିପ ଟ୍ରଫି ଓ ରଣଜୀ ଟ୍ରଫିର ପଦାର୍ପଣ ପାଳିରେ ଶତକ ହାସଲ କୃତିତ୍ବରୁ ଶ୍ରୀତମ ଅଳ୍ପକେ ବଞ୍ଚିତ ହୋଇଥିଲେ। କିନ୍ତୁ ୧୯ ବର୍ଷ ନ ପୁରୁଣୁ ଦେଶର ଦୁଇ ଶ୍ରେଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତାରେ ଶତକ ହାସଲ କରିବା କୃତିତୃ ଅର୍ଜନ କରିଥିଲେ। ସଚିନ ତେନ୍ଦୁଲକର ୧୮ ବର୍ଷ ନ ପୁରୁଣୁ ସମସ୍ତ ୩ ଫର୍ମାଟ (ରଣଜୀ, ଦଲିପ ଓ ଈରାନୀ)ରେ ଶତକ ହାସଲର ବିରଳ କୀର୍ତ୍ତିମାନ ରଖିଛନ୍ତି।
ସଚିନ ସୌରଭ କାଟିଥିବାରୁ ଗର୍ବିତ
ଖେଳ ଜୀବନର ଆଦ୍ୟାବସ୍ଥା କଥା କୌଣସି ଖେଳାଳି ପାଇଁ ଅଭୁଲା ନ ଥାଏ। ଶ୍ରୀତମ ନିଜର ଏହି ବିରଳ ସର୍ବକନିଷ୍ଠ ଶତକ କୃତିତ୍ବ କଥାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଲକ୍ଡାଉନ୍ ପ୍ରଭାବରେ ଶ୍ରୀତମ ଏବେ କୋଲକାତାରେ ନିଜ କର୍ମକ୍ଷେତ୍ରରେ ଫସି ରହିଥିବା ବେଳେ ଭୁବନେଶ୍ବରରେ ଥିବା ତାଙ୍କ ଦଶମ ଷ୍ଟାଣ୍ଡାର୍ଡ ଝିଅ ରୁହିକା ହିଁ ଏହି କୃତିତ୍ବ କଥା ବାପାଙ୍କୁ ମନେ ପକାଇଥିଲେ। ଦଲିପ ଟ୍ରଫିର ବିରଳ ସର୍ବକନିଷ୍ଠ ଶତକ କ୍ଲବ୍ର ଏକ ପରିସଂଖ୍ୟାନର ସ୍କ୍ରିନ୍ ସଟ୍ ପିତାଙ୍କ ପାଖକୁ ପଠାଇ ସ୍ମୃତି ରୋମନ୍ଥନ କରିଥିଲେ। ଶ୍ରୀତମଙ୍କୁ ଏହା ଅଭିଭୂତ କରି ଦେଇଥିଲା। ‘ଝିଅର ଉତ୍ସୁକତା କାରଣରୁ ମୁଁ ପୁରୁଣା ଦିନକୁ ଫେରି ଯାଇଥିଲି। ସେଦିନର ସ୍ମୃତି ଭିତରେ ବି ହଜିଯାଇଥିଲି। ଏବେ କ୍ରିକେଟ୍ ସମ୍ପର୍କିତ କିଛି କାମ କରିବାକୁ ବି ଆଗ୍ରହ ବଢ଼ିଛି। ମୋ କୀର୍ତ୍ତିମାନକୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ ଖେଳାଳିମାନେ ଭାଙ୍ଗିଥିବାରୁ ନିଶ୍ଚିତ ଖୁସି ଓ ଗୌରବର ବିଷୟ। ଏହା ମୋ ସହ ଚିର ଦିନ ରହିବ। ସଚିନ ଛାଡ଼ିଯାଇଥିବା ଅନେକ କ୍ରିକେଟ୍ କୃତିତ୍ବ ଅତୁଟ ରହିବ, ତାଙ୍କ ଭଳି କେହି ହୋଇପାରିବେ ନାହିଁ।’ ବୋଲି ‘ସମ୍ବାଦ’କୁ କୋଲକାତାରୁ କହିଥିଲେ ୫୨ ବର୍ଷୀୟ ଶ୍ରୀତମ। ଝିଅକୁ ମୁଁ ନିଶ୍ଚିତ କୃତଜ୍ଞତା ଜଣାଇବି ବୋଲି ପ୍ରକାଶ କରିଥିଲେ।ଓପନିଂ କଷ୍ଟସାଧ୍ୟ ଥିଲା
ଏବେ ପୁରୁଣା ଦିନକୁ ଫେରିଯାଇଛି। ସେତେବେଳେ କ୍ରିକେଟ୍ ଜୀବନରେ କ’ଣ କରିବାର ଥିଲା କ’ଣ କରିବାର ନ ଥିଲା ଏବେ ବୁଝି ପାରୁଛି। ପରିପକ୍ବତା ଥିଲେ ନିଶ୍ଚିତ ଆଗକୁ ବଢ଼ିପାରିଥାନ୍ତି। ବର୍ତମାନ ଭଳି ସୁବିଧା ସୁଯୋଗ, ତାଲିମ, ଶାରୀରିକ ସକ୍ଷମତା, ସପୋର୍ଟ ଷ୍ଟାଫ, ପ୍ରଶିକ୍ଷକ ଆଦି ସେତେବେଳେ ନ ଥିଲା। ସମ୍ରାଟ ହାର୍ଡ ବଲ୍ରେ ଖେଳାଯାଉଥିବାରୁ ଓପନିଂ କରିବା ମଧ୍ୟ କଷ୍ଟକର ଥିଲା। ବଲ୍ ଅଧିକ ମୁଭମେଣ୍ଟ୍ କରୁଥିବାରୁ ଖେଳିବା କଷ୍ଟକର ହେଉଥିଲା। ୯୦ ଓଭର ଓ ୪୦ ଓଭର ଭିତରେ ଆବଶ୍ୟକ ରନ୍ ନିୟମ ବି ଚାପ ରଖୁଥିଲା। ଜଣେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ପାଇଁ ସେ ସମୟରେ ଦ୍ବିଶତକ, ତ୍ରିଶତକ ହାସଲ ମଧ୍ୟ କଷ୍ଟକର ଥିଲା। କନିଷ୍ଠ ବର୍ଗରେ ଭଲ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିନଥିଲି। ଦଲିପ ଟ୍ରଫିରେ ଭଲ ପ୍ରଦର୍ଶନ କରି ଚୟନକର୍ତାଙ୍କୁ ପ୍ରଭାବିତ କରିପାରିନଥିଲି ବୋଲି କହିଥିଲେ ଶ୍ରୀତମ। ଉପେକ୍ଷିତ ହେବା ଏବଂ ଏକାଗ୍ରତା ହରାଇବା କାରଣରୁ ମୁଁ ଆଗକୁ ବଢ଼ି ପାରିନଥିଲି। ମନସ୍ତାତ୍ତ୍ବିକ ଓ ମାନସିକ ସ୍ବାସ୍ଥ୍ୟର ଦେଖଣା କେହି କରୁନଥିଲେ। ୱିଲ୍ସ ଟ୍ରଫି ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଅଧିନାୟକ ମନିନ୍ଦର ସିଂହ ମୋ ଭଳି ଜଣେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍କୁ ୧୦ ନମ୍ବରରେ ବ୍ୟାଟିଂ ପଠାଇବା ଭଳି ଚାପର ଶିକାର ହୋଇଥିଲି ବୋଲି କହିଥିଲେ ଶ୍ରୀତମ।
ବିଶ୍ବ, ଶିବ ଓ ସଚିନ
ସର୍ବକନିଷ୍ଠ ଖେଳାଳି ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ କୃତିତ୍ବ ଅର୍ଜନ କରିବାରେ ମଧ୍ୟ ଅନ୍ୟ ଦୁଇ ଓଡ଼ିଆ ଖେଳାଳିଙ୍କ ନାମ ଆସିଥାଏ। ସେମାନେ ହେଲେ ଟେଷ୍ଟ୍ ତାରକା ଶିବସୁନ୍ଦର ଦାସ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ବିବିସିସି ମହାପାତ୍ର (ବିଶ୍ବ ବିଜୟ ଚନ୍ଦ୍ରଚୂଡ ମହାପାତ୍ର)। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସର୍ବକନିଷ୍ଠ ଶତକ କୃତିତ୍ବ ପଞ୍ଜାବର ଧୃବ ପାଣ୍ଡବ (୧୪ ବର୍ଷ ୨୯୩ ଦିନ)ଙ୍କ ନାମରେ ରହିଛି। ଏହି ତାଲିକାରେ ବିବିସିସି ମହାପାତ୍ର (୧୬ ବର୍ଷ ୧୩୧ ଦିନ) ଅଷ୍ଟମ ସ୍ଥାନରେ ରହିଛନ୍ତି। ୧୯୯୭-୯୮ ଋତୁରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଆସାମ ବିପକ୍ଷରେ ସେ ୧୦୯ ରନ୍ କରିଥିଲେ। ଏହା ମଧ୍ୟ ବିବିସିସିଙ୍କ ପଦାର୍ପଣ ରଣଜୀ ମ୍ୟାଚ୍ ଥିଲା। ସେହିଭଳି ଦଲିପ ଟ୍ରଫିରେ ସର୍ବକନିଷ୍ଠ କ୍ରିକେଟର୍ ଭାବେ ଅର୍ଧଶତକ ହାସଲ କରିବା ତାଲିକାର ସପ୍ତମ ସ୍ଥାନରେ ଶିବସୁନ୍ଦର ଦାସଙ୍କ ନାମ ରହିଛି। ୧୭ ବର୍ଷ ୩୫୦ ଦିନ ହୋଇଥିବା ବେଳେ ଶିବସୁନ୍ଦର ନାଗପୁରଠାରେ ପଶ୍ଚିମାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳ ପାଇଁ ୬୨ ରନ୍ କରିଥିଲେ। ସଚିନ ମଧ୍ୟ ଏହି କ୍ଲବ୍ରେ ୨ ଥର ରହିଛନ୍ତି। ଓଡ଼ିଶା ସମ୍ପର୍କ ଦେଖିଲେ ୧୯୯୦-୯୧ରେ ରାଉରକେଲାଠାରେ ସଚିନ ଦକ୍ଷିଣାଞ୍ଚଳ ବିପକ୍ଷରେ ପଶ୍ଚିମାଞ୍ଚଳ ପାଇଁ ୧୩୧ ରନ୍ ପାଳି ଖେଳିବା ବେଳେ ତାଙ୍କୁ ୧୭ ବର୍ଷ ୨୬୯ ଦିନ ହୋଇଥିଲା।
ଭାରତୀୟ ଦଳ ଦ୍ବାରରୁ ଫେରିଥିଲେ
ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଶ୍ରୀତମ ୨୩ ମ୍ୟାଚ୍ରୁ ୩୧.୨୯ ହାରରେ ୯୭୦ ରନ୍ କରିଥିଲେ। ଏହା ମଧ୍ୟରେ ୩ ଶତକ, ୨ ଅର୍ଧଶତକ ସାମିଲ ଅଛି। ୯ ଋତୁ ଧରି ଖେଳିଥିବା ଶ୍ରୀତମ ୭ଟି ଲିଷ୍ଟ ‘ଏ’ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ମାର୍ଗଦର୍ଶନ ଅଭାବରୁ ଉପେକ୍ଷିତ ହୋଇଥିଲେ ମଧ୍ୟ ଏହି ସଂକ୍ଷିପ୍ତ ସମୟ ମଧ୍ୟରେ ଭାରତୀୟ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍, ପାକିସ୍ତାନ ୨୫ ବର୍ଷରୁ କମ୍ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବୋର୍ଡ ସଭାପତି ଦଳରେ ସୁଯୋଗ ପାଇଥିଲେ। ଦଲିପ ଟ୍ରଫି, ଦେଓଧର ଟ୍ରଫି, ୱିଲ୍ସ ଟ୍ରଫିରେ ଖେଳିବାର ଅଭିଜ୍ଞତା ଅର୍ଜନ କରିଥିଲେ। ଭାରତୀୟ ଷ୍ଟାରଲେଟ୍ସ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ଇଂଲଣ୍ଡରେ ୩ ଋତୁ ପାଇଁ ପେସାଦାର କ୍ରିକେଟ୍ ଖେଳିଥିଲେ। ରଣଜୀ ଟ୍ରଫି ଖେଳିବା ପୂର୍ବରୁ କୁଚ୍ ବେହାର ଟ୍ରଫି ପଦାର୍ପଣରେ ଶତକ, ବିଜୟ ମର୍ଚାଣ୍ଟ ଦ୍ବିତୀୟ ମ୍ୟାଚ୍ରେ ଶତକ ଅର୍ଜନ କରିଥିଲେ। ପ୍ରଶିକ୍ଷଣ ଜୀବନରେ ଓଡ଼ିଶା ରଣଜୀ ଦଳ ସହ ଅଢ଼େଇ ବର୍ଷ (୨୦୦୫-୦୭), ୧୯ ବର୍ଷରୁ କମ୍ ଦଳ ସହ ୬ ମାସ, ଓପିଏଲ୍ ଦଳ ଅନୁଗୁଳ ଟସ୍କର୍ସ ସହିତ ଅଭିଜ୍ଞତା ରଖିଥିଲେ। ପୁରସ୍କାର ଓ ସମ୍ମାନ ତାଲିକା ଦେଖିଲେ ଶ୍ରୀତମଙ୍କୁ ବିସିସିଆଇ ଶ୍ରେଷ୍ଠ ସବ୍ଜୁନିୟର୍ ଖେଳାଳି (ଦଲିପ ସିଂହଜୀ ପୁରସ୍କାର ୧୯୮୪) ସମ୍ମାନ ମଧ୍ୟ ମିଳିଥିଲା। ସେହି ବର୍ଷ ରାଜ୍ୟପାଳ ଏବଂ ୧୯୮୯ରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଶ୍ରେଷ୍ଠ କ୍ରିକେଟର୍ ପୁରସ୍କାର ପାଇଥିଲେ। ସମ୍ପ୍ରତି ଶ୍ରୀ ଦାସ କୋଲକାତାସ୍ଥିତ ଏମ୍ସିଏଲ୍ ମୁଖ୍ୟାଳୟରେ ମ୍ୟାନେଜର (ପରସୋନେଲ୍) ଭାବେ କାର୍ଯ୍ୟରତ ଅଛନ୍ତି।