କଟକ: ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଆୟୋଜିତ ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ (ଓସିଏଲ୍) ସୋମବାରଠାରୁ ଡ୍ରିମ୍ସ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦ୍ଘାଟନ ମ୍ୟାଚ୍ରେ ଓଡ଼ିଶା ଲାୟନ୍ସ ଓ ଓଡ଼ିଶା ଚତାସ୍ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଲାୟନ୍ସ ୫୦ ରନରେ ଓଡ଼ିଶା ଟାଇଗର୍ସକୁ ହରାଇଛି। ଓଡ଼ିଶା ଲାୟନ୍ସ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ରାମଚନ୍ଦ୍ର ବେହେରା ୪୮ ରନ୍ ଓ ଅମିନ୍ ଖାନ ୩୯ ରନ୍ କରିଥିଲେ। ଜବାବରେ ଓଡ଼ିଶା ଟାଇଗର୍ସ ୧୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ଓଡ଼ିଶା ଲାୟନ୍ସର ପ୍ରଦୀପ କୁମାର ପ୍ରଧାନ ୩ ୱିକେଟ୍ ନେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପାଇଥିଲେ।
ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଚିତାସ୍ ୩ ୱିକେଟରେ ଓଡ଼ିଶା ଜାଗୁଆର୍ସକୁ ହରାଇଛି। ଗୋବିନ୍ଦ ପୋଦ୍ଦାରଙ୍କ ୧୨୦ ରନ୍ର ଶତକୀୟ ପାଳି ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଜାଗୁଆର୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଜବାବରେ ଓଡ଼ିଶା ଚିତାସ୍ ୧୯.୨ ଓଭରରେ ୭ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଗୌରବ ଚୌଧୁରୀ ୧୧୦ ରନ୍ କରି ଜାଗୁଆର୍ସ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଯେଉଁଥିପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ପୂର୍ବରୁ ହୋଇଥିବା ଉଦ୍ଘାଟନ ଉତ୍ସବରେ ପୂର୍ବତନ ଅନ୍ତର୍ଜାତିକ କ୍ରିକେଟର ଭେଙ୍କଟପତି ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡ୍ରିମ୍ର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ, ଓସିଏ ସଭ୍ୟ ଧୀରେନ ପଲାଇ, ଆପେକ୍ସ କାଉନସିଲ ସଭ୍ୟ ରାକେଶ ମହାନ୍ତି, ଓସିଏ ସଭ୍ୟ ଶିବବ୍ରତ ମଲ୍ଲିକ, ଅମିତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।