ଖୁବ୍‌ଶୀଘ୍ର ଓଡ଼ିଶା କ୍ରିକେଟ୍‌ ଲିଗ୍‌: ଟିସିଏମ୍‌ ସହ ତିନିବର୍ଷିଆ ଚୁକ୍ତି

ଫ୍ୟାନ୍‌ କୋଡ୍‌ ଆପ୍‌ରେ ସିଧାପ୍ରସାରଣ

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ପକ୍ଷରୁ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌) ଟ୍ବେଣ୍ଟି-୨୦ ଲିଗ୍‌ ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପୂର୍ବରୁ ଏହି ପ୍ରତିଯୋଗିତାରୁ ଖେଳାଳି ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଡିସେମ୍ବର ୧୪ ତାରିଖରୁ ଏହି ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଓସିଏ ଲକ୍ଷ୍ୟ ରଖିଥିଲେ ବି ସରକାରଙ୍କ କୋଭିଡ୍‌ ନିୟମାବଳୀ ଉପରେ ଏହାର ଭବିଷ୍ୟତ ନିର୍ଭର କରୁଛି।

ମଙ୍ଗଳବାର ଓସିଏ କ୍ଲବ୍‌ରେ କର୍ମକର୍ତ୍ତା, ବିତ୍ତିୟ ସମିତି ଓ ପ୍ରତିଯୋଗିତା ସମିତିର ମିଳିତ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ଉପରେ ଆଲୋଚନା ହୋଇଛି। ଓସିଏଲ୍‌ ଆରମ୍ଭ ହେବା ପୂର୍ବରୁ ୧୬୮ ଜଣ ଖେଳାଳିଙ୍କୁ କଟକ ଡକାଯାଇ ଚୟନ କରାଯିବ। ଅନ୍ତଃକ୍ଲବ ପ୍ରତିଯୋଗିତାର ସଫଳ ପ୍ରଦର୍ଶନକାରୀଙ୍କ ସହ ୨୩ ବର୍ଷରୁ କମ୍‌ ଓ ରଣଜୀ ଖେଳାଳିମାନଙ୍କୁ ନେଇ ୧୨ଟି ଦଳ ଗଠନ କରାଯିବ। ଦୁଇଟି ଗ୍ରୁପ୍‌ କରାଯାଇ କଟକର ୬ଟି ପଡ଼ିଆରେ ମ୍ୟାଚ ଅନୁଷ୍ଠିତ ହେବ। ଡିସେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କରାଯିବାକୁ ଯୋଜନା ରହିଛି। ଏହି ପ୍ରତିଯୋଗିତାରୁ ୮୪ ଜଣ ଖେଳାଳିଙ୍କୁ ଓସିଏଲ୍‌ ପାଇଁ ଚୟନ କରାଯିବ। ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଏସ୍‌ଓପି ସହ ଜୈବ ବଳୟ ମଧ୍ୟରେ ଖେଳାଳିମାନଙ୍କୁ ରଖାଯାଇ କୋଭିଡ୍‌ ପରୀକ୍ଷା କରାଯିବ।

ଓସିଏଲ୍‌ ପାଇଁ ଟ୍ବେଣ୍ଟିଏଥ୍‌ ସେଞ୍ଚୁରି ମ୍ୟାନେଜମେଣ୍ଟ (ଟିସିଏମ୍‌) ସ୍ପୋର୍ଟ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ତିନିବର୍ଷିଆ ଚୁକ୍ତି କରାଯାଇଛି। ଏହି ସ˚ସ୍ଥା ପୂର୍ବରୁ ଆଇପିଏଲ୍‌, ଆଇସିସି ବିଶ୍ବକପ୍‌, ଖେଲୋ ଇଣ୍ତିଆ, ଆଇଏସ୍‌ଏଲ୍‌ ଭଳି ପ୍ରତିଯୋଗିତା ଆୟୋଜନ କରିବାରେ ଅଭିଜ୍ଞତା ରଖିଛି। ଏଥିସହ ଆସାମ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ତ, ପୁଡୁଚେରୀ, ବେଙ୍ଗଲ, କେରଳରେ ଘରୋଇ ଟ୍ବେଣ୍ଟି-୨୦ ଲିଗ୍‌ ଆୟୋଜନ ମଧ୍ୟ କରୁଛି। କଟକରେ ଓସିଏ ଓ ଟିସିଏମ୍‌ ମିଳିତ ସହଭାଗିତାରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ମୋଟ ୮୪ ଖେଳାଳିଙ୍କୁ ନେଇ ୬ଟି ଦଳ କରାଯିବ। ପ୍ରତ୍ୟେକ ଦଳରେ ୧୪ଜଣ ଲେଖାଏଁ ଖେଳାଳି ରହିବେ। ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଯଦି ସରକାର ଅନୁମତି ଦିଅନ୍ତି ତାହେଲେ ପ୍ରତ୍ୟେକ ରାତିରେ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ ନଚେତ୍‌ ଦିନବେଳା ଦୁଇଟି ଲେଖାଏଁ ମ୍ୟାଚ କରାଯିବ। ବିନା ଦର୍ଶକରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ମ୍ୟାଚ୍‌ର ସ୍କୋର ଓ ଭିଡିଓ ଫ୍ୟାନ କୋଡ୍‌ ଆପ୍‌ ମାଧ୍ୟମରେ ସିଧାପ୍ରସାରଣ କରାଯିବ। ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁଥିବା ଖେଳାଳି ଓ ଅନ୍ୟାନ୍ୟ କର୍ମଚାରୀ, ଓସିଏ କର୍ମଚାରୀ, ମ୍ୟାଚ ପରିଚାଳନା ଅଧିକାରୀ ଏବ˚ ମ୍ୟାଚ ସହ ଜଡ଼ିତ ହେବାକୁଥିବା ପ୍ରତ୍ୟେକ ଲୋକଙ୍କୁ ଜୈବ ବଳୟ ମଧ୍ୟରେ ରହିବାକୁ ପଡ଼ିବ। ସମସ୍ତଙ୍କର ଦୁଇଥର କୋଭିଡ୍‌ ପରୀକ୍ଷା କରାଯିବ। ଏଥିପାଇଁ ସିଡିଏମ୍‌ଓଙ୍କ ସହିତ ଓସିଏର ଆଲୋଚନା ହୋଇସାରିଛି। ବିସିସିଆଇ ଜାରି କରିଥିବା ଏସ୍‌ଓପି ଅନୁଯାୟୀ ଜୈବ ବଳୟ ସୁରକ୍ଷା ପରିଚାଳନା କରାଯିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି।

ମୁସ୍ତାକ ଅଲ୍ଲୀ, ବିଜୟ ହଜାରେ ପାଇଁ ଓସିଏର ଆଗ୍ରହ
ଡିସେମ୍ବର ୨୦ ତାରିଖରୁ ଘରୋଇ ପ୍ରତିଯୋଗିତା ଆୟୋଜନ ପାଇଁ ବିସିସିଆଇ ଦେଇଥିବା ପ୍ରସ୍ତାବ ଉପରେ ଜବାବ ରଖିଛି ଓସିଏ। ଡିସେମ୍ବର ପରିବର୍ତ୍ତେ ଜାନୁଆରିରୁ ଘରୋଇ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଓସିଏ ତାହାର ପ୍ରତିକ୍ରିୟା ଜଣାଇଦେଇଛି। ପ୍ରଥମେ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ଏବ˚ ପରେ ବିଜୟ ହଜାରେ ଟ୍ରଫି ଆୟୋଜନ କରିବାକୁ ଓସିଏ ଆଗ୍ରହ ଦେଖାଇଛି। ରଣଜୀ ଟ୍ରଫି ଆୟୋଜନ ପାଇଁ ଅଧିକ ସମୟ ଆବଶ୍ୟକ ହେବ। ତେଣୁ ଜୋନାଲ୍‌ ଭିତ୍ତିରେ ରଣଜୀ ଟ୍ରଫି ଆୟୋଜନ କରାଯାଉ ବୋଲି ଅନ୍ୟଏକ ପ୍ରସ୍ତାବ ରଖାଯାଇଛି। ପ୍ରତ୍ୟେକ ଜୋନ୍‌ରୁ ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳଙ୍କୁ ନେଇ ନକ୍‌ଆଉଟ ପର୍ଯ୍ୟାୟ ଆୟୋଜନ ହେଉ ବୋଲି ଓସିଏ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ସମ୍ପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର