ଓଡ଼ିଶା କ୍ରିକେଟ୍‌ର ଯୁବ ତାରକା ଦେବାଶିଷ : ‘ଭାରତୀୟ ଦଳର ସ୍ବପ୍ନ ସବୁବେଳେ ଅସ୍ତବ୍ୟସ୍ତ କରୁଛି’

କଟକ: ଓଡ଼ିଶା କ୍ରିକେଟ୍‌ର ନୂଆ ବ୍ୟାଟି˚ ଅସ୍ତ୍ର ଭାବେ ଉଭା ହୋଇଛନ୍ତି ଯୁବ ଖେଳାଳି ଦେବାଶିଷ ସାମନ୍ତରାୟ। ମାତ୍ର ୨୩ ବର୍ଷ ବୟସରେ ନିଜର ବ୍ୟାଟି˚ କୌଶଳ ଓ ଲମ୍ବା ପାଳି ଖେଳିବା ଧୈର୍ଯ୍ୟ ଯୋଗୁଁ ସେ ଏବେ ଦଳର ତାରକା ଖେଳାଳିର ପରିଚୟ ପାଇଛନ୍ତି। ଚଳିତ ରଣଜୀ ଋତୁରେ ସେ ଦୁଇଟି ଶତକ ମାରି ଦଳର ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇପାରିଛନ୍ତି। ଏବେ ସେ ରନ୍‌ କରିବା ପାଇଁ ଏତେ ଭୋକିଲା ଅଛନ୍ତି ଯେ ଲିଗ୍‌ ପର୍ଯ୍ୟାୟରେ ସନ୍ତୁଷ୍ଟ ହେବାକୁ ସେ ଚାହିଁନାହାନ୍ତି। ଦଳକୁ ଫାଇନାଲ୍‌ ପର୍ଯ୍ୟନ୍ତ ନେବା ତାଙ୍କର ଲକ୍ଷ୍ୟ ରହିଛି। ବ୍ୟକ୍ତିଗତ ଭାବେ ଭାରତୀୟ ଦଳର ସ୍ବପ୍ନ ତାଙ୍କୁ ସବୁବେଳେ ଅସ୍ତବ୍ୟସ୍ତ କରୁଥିବା ସେ କହିଛନ୍ତି।

୨୦୧୫ରେ ଓଡ଼ିଶା ପାଇଁ ଆମନ୍ତ୍ରଣୀୟ କ୍ରିକେଟ ମ୍ୟାଚ୍‌ରେ ଖେଳିବା ପରେ ୨୦୧୬ ପରଠୁ ରାଜ୍ୟ ଦଳର ନିୟମିତ ସଦସ୍ୟ ହୋଇସାରିଥିଲେ। ତିନି ବର୍ଷ ପର୍ଯ୍ୟନ୍ତ ସେ ୨୩ ବର୍ଷରୁ କମ୍‌ ଦଳରେ ଖେଳିଆସୁଥିଲେ। ତାଙ୍କ ଦକ୍ଷତାକୁ ପରଖିବା ପରେ ଚୟନକର୍ତ୍ତା ତାଙ୍କୁ ୨୦୧୮-୧୯ ଋତୁରେ ଓଡ଼ିଶାର ଅଧିନାୟକ ଦାୟିତ୍ବ ଦେଇଥିଲେ। ଅଧିନାୟକ ହେବା ପରେ ତାଙ୍କର ପ୍ରଦର୍ଶନ ଆହୁରି ମାର୍ଜିତ ହୋଇପାରିଥିଲା। ଯାହାଫଳରେ ସେହିବର୍ଷ ତାଙ୍କୁ ଓଡ଼ିଶା ରଣଜୀ ଦଳରେ ଖେଳିବାକୁ ସୁଯୋଗ ମିଳିଥିଲା। ରାଜସ୍ଥାନ ବିପକ୍ଷରେ ଖେଳିଥିବା ପଦାର୍ପଣ ମ୍ୟାଚ୍‌ରେ ସେ ଅର୍ଧଶତକ (୫୦) ଅର୍ଜନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ଜମ୍ମୁ କାଶ୍ମୀର ବିପକ୍ଷରେ ୮୫ ରନ୍‌ର ପାଳି ଖେଳି ରଣଜୀ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ। ଏତିକିରେ ସେ ସନ୍ତୁଷ୍ଟ ନହୋଇ ସର୍ଭିସେସ୍‌ ବିପକ୍ଷରେ ପ୍ରଥମ ଶତକ (୧୦୨) ଅର୍ଜନ କରିବା ସହ ପ୍ରତିଯୋଗିତାରେ ୪ ମ୍ୟାଚ୍‌ରୁ ମୋଟ ୩୨୬ ରନ୍‌ କରିଥିଲେ। ଚଳିତ ଋତୁରେ ସେ ୭ ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରେ ଦୁଇ ଶତକ ଓ ୧ ଅର୍ଧଶତକ ସାମିଲ ଅଛି। ଡ୍ରିମ୍ସରେ ସର୍ଭିସେସ୍‌ ବିପକ୍ଷରେ ସେ ୧୯୫ ରନ୍‌ର ପାଳି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏଥିସହ ଝାଡ଼ଖଣ୍ତ ବିପକ୍ଷରେ ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚ୍‌ରେ ୧୫୬ ଓ ୬୪* ରନ୍‌ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଲିଗ୍‌ ପର୍ଯ୍ୟାୟରେ ୫୧.୮୮ ହାରରେ ଓଡ଼ିଶା ପାଇଁ ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇଥିଲେ। ତେବେ ସମସ୍ତ ମ୍ୟାଚ୍‌ ମଧ୍ୟରୁ ଝାଡ଼ଖଣ୍ତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ତାଙ୍କ ଜୀବନର ଶ୍ରେଷ୍ଠ ମ୍ୟାଚ୍‌ ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ, ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ ଅପେକ୍ଷା ଏହି ମ୍ୟାଚ୍‌ରେ ଚାପ ଅଧିକ ଥିଲା। ପ୍ରଥମରୁ ବଡ଼ ସ୍କୋର୍‌ କରିବା ଆମର ଲକ୍ଷ୍ୟ ରହିଥିଲା। ପିଚ୍‌ ଯେଉଁଭଳି ଥିଲା, ସେଥିରେ ୪୦୦ ରନ୍‌ ସ୍କୋର କରିବା ସହଜ ନୁହେଁ। ତଥାପି ସମସ୍ତଙ୍କ ସହଯୋଗରେ ଆମେ ଭଲ ସ୍ଥିତିରେ ପହଞ୍ଚିପାରିଥିଲୁ।

ଢେଙ୍କାନାଳ ମହାବୀର ବଜାର ନିବାସୀ ଅଶୋକ କୁମାର ସାମନ୍ତରାୟ ଓ କବିତା ସାମନ୍ତରାୟଙ୍କ ପୁଅ ଦେବାଶିଷ ପିଲାବେଳୁ କ୍ରିକେଟ ପ୍ରତି ଆଗ୍ରହ ରଖିଥିଲେ। ବାପା ଓଡ଼ିଶା ପୁଲିସ୍‌ର ଫୁଟ୍‌ବଲ ଖେଳାଳି ହୋଇଥିବାରୁ ଦେବାଶିଷ ମଧ୍ୟ ଖେଳ ପ୍ରତି ଦୁର୍ବଳତା ରଖିଥିଲେ। ବିଦ୍ୟାଳୟରେ ଜ୍ୟୋତିର˚ଜନ ପରିଡ଼ାଙ୍କ ପାଖରୁ କ୍ରିକେଟ୍‌ର ଏବିସିଡି ଶିଖିଥିଲେ। ପରେ ବାପାଙ୍କର ଭୁବନେଶ୍ବର ବଦଳି ହୋଇଯିବାରୁ ତାଙ୍କର ଭାଗ୍ୟ ଫିଟିଥିଲା। ଭୁବନେଶ୍ବରର ପାରାମାଉଣ୍ଟ ସ୍ପୋର୍ଟି˚ରେ ସେ ମହମ୍ମଦ ଆଝାରଙ୍କ ପାଖରେ ଅଭ୍ୟାସ କରିଥିଲେ। ଏଠାରୁ ସେ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ଭୁବନେଶ୍ବରକୁ ପ୍ରତିନିଧିତ୍ବ କରିବା ସହ ରାଜ୍ୟ ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲେ। ପରେ ୨୩ ବର୍ଷରୁ କମ୍‌ ଦଳର ଅଧିନାୟକ ହେବା ସହ ବର୍ତ୍ତମାନ ରଣଜୀ ଦଳର ସକ୍ରିୟ ସଦସ୍ୟ ହୋଇପାରିଛନ୍ତି। ଦେବାଶିଷ କହିଛନ୍ତି ଯେ ସେ ଯେତେବେଳେ ଭଲ ଖେଳନ୍ତି କିମ୍ବା ମ୍ୟାଚ୍‌ ଖରାପ ଯାଏ, ସବୁବେଳେ ବାପା ଓ ମା’ ତାଙ୍କୁ ସାହସ ଦେଇଆସିଛନ୍ତି। ଏବେ ରଣଜୀ ଦଳ ଆଉ ଏକ ପରିବାର ହୋଇପାରିଛି। ବରିଷ୍ଠ ଖେଳାଳିଙ୍କଠୁ ଭଲ ପରାମର୍ଶ ମିଳୁଛି। ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସମର୍ଥନ କରୁଛୁ। ସଚିନ୍‌ ତେନ୍ଦୁଲକରଙ୍କୁ ଆଦର୍ଶ ଭାବେ ମାନିଥିବା ଦେବାଶିଷଙ୍କୁ ଆଲିଷ୍ଟର କୁକ୍‌ଙ୍କ ଖେଳ ବହୁତ ପସନ୍ଦ ଲାଗେ ବୋଲି ସେ କହିଛନ୍ତି।

ରଣଜୀ ଦଳରେ ପ୍ରୀତ୍‌ ସି˚ହ ଚୌହାନ
କଟକ: ବେଙ୍ଗଲ ବିପକ୍ଷରେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ ପାଇଁ ଓଡ଼ିଶା ଦଳରେ ଯୁବ ଦ୍ରୁତ ବୋଲର ପ୍ରୀତ୍‌ ସି˚ହ ଚୌହାନ ସ୍ଥାନ ପାଇଛନ୍ତି। ଏହାବ୍ୟତୀତ ପୂର୍ବ ଦଳ ଅପରିବର୍ତ୍ତିତ ରହିଛି। ଫଳରେ ୧୬ଜଣିଆ ଓଡ଼ିଶା ଦଳ ଡ୍ରିମ୍ସରେ ଉପସ୍ଥିତ ରହିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଆହତ ଯୋଗୁଁ ପ୍ରଥମ ମ୍ୟାଚ ପରଠୁ ବାଦ୍‌ ପଡ଼ିଥିବା ସନ୍ଦୀପ ପଟ୍ଟନାୟକ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାସତ୍ତ୍ବେ ଚୟନ ସମିତି ତାଙ୍କ ଉପରେ ଆସ୍ଥାପ୍ରକଟ କରିପାରିନାହିଁ। ପ୍ରୀତ୍‌ ସି˚ ଚୌହାନ ଓଡ଼ିଶା ୨୩ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲାବେଳେ ଗତ ସି.କେ. ନାୟୁଡୁ ଟ୍ରଫିରେ ୯ ମ୍ୟାଚରୁ ମୋଟ ୬୫ ଵିକେଟ ପାଇଛନ୍ତି। ସେଥିମଧ୍ୟରୁ ୭ଥର ୫ଵିକେଟ ସଫଳତା ପାଇଥିଲେ। ସେହିପରି ଦିନିକିଆରେ ୮ମ୍ୟାଚରୁ ସେ ୧୩ ଵିକେଟ ପାଇଥିଲେ। ଆହତ ରାଜେଶ ମହାନ୍ତିଙ୍କ ସ୍ଥାନରେ ସେ ଦଳରେ ସ୍ଥାନ ପାଇଥିବା ଓସିଏ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର