ଭୁବନେଶ୍ୱର: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ୨୩ ବର୍ଷରୁ କମ୍ ପୂର୍ବାଞ୍ଚଳ ଦିନିକିଆ ଲିଗ୍ କ୍ରିକେଟ୍। ଏହି ପ୍ରତିଯୋଗିତାରେ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ଚମତ୍କାର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ନିଜର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୭ ଓ୍ଵିକେଟ୍ରେ ଆୟୋଜକ ଝାଡ଼ଖଣ୍ଡକୁ ପରାସ୍ତ କରିଦେଇଛି।
ଝାଡ଼ଖଣ୍ଡ କ୍ରିକେଟ୍ ସଂଘର ଓଭାଲ୍ ପଡ଼ିଆରେ ଟସ୍ ଜିତି ଝାଡ଼ଖଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଓଡ଼ିଶା ବୋଲରଙ୍କ ପ୍ରଭାବୀ ବୋଲିଂ ସାଙ୍ଗକୁ ଚମତ୍କାର କ୍ଷେତ୍ରରକ୍ଷଣ ଯୋଗୁଁ ୫୦ ଓଭର ବିଶିଷ୍ଟ ମ୍ୟାଚ୍ରେ କିନ୍ତୁ ଝାଡ଼ଖଣ୍ଡ ୪୦.୩ ଓଭରରେ ୧୮୭ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ୩ ଜଣ ରନ୍ ଆଉଟ୍ ହୋଇଥିଲା ବେଳେ ଶ୍ରେଷ୍ଠ ସାଗର ୩୩, କୁମାର ସୁରଜ ୩୧, ସୋନୁ କୁମାର ସିଂହ ୩୧, ସୁପ୍ରିୟୋ ଚକ୍ରବର୍ତୀ ୨୯ ଓ ରାହିଲ୍ ରିୟାଜ୍ ଖାନ୍ ୨୪ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସଫଳ ବୋଲର ଭାବେ ତାରାକାନ୍ତ ସାମଲ ୩ ଓ ଜାମଲାଭଞ୍ଜ ମହାପାତ୍ର ୨ ଓ୍ଵିକେଟ୍ ନେଇଥିଲେ।
ଜବାବରେ ରାଜେଶ ଧୂପର (୩୫ ରନ୍, ୪୧ ବଲ୍, ୫ ଚୌକା), ସନ୍ଦୀପ ପଟ୍ଟନାୟକଙ୍କ (୩୬ ରନ୍, ୬୦ ବଲ୍, ୩ ଚୌକା, ୧ ଛକା) ଓ ଦେବାଶିଷ ସାମନ୍ତରାୟ (୧୨)ଙ୍କ ଓ୍ଵିକେଟ୍ ହରାଇ ଓଡ଼ିଶା ୭୯ ବଲ୍ ପୂର୍ବରୁ ସହଜ ବିଜୟ ହାସଲ କରିନେଇଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି (୭୬ ରନ୍, ୬୪ ବଲ୍, ୮ ଚୌକା ଓ ୪ ଛକା) ଧୂଆଁଧାର ଅର୍ଧଶତକ ଜମାଇ ଅପରାଜିତ ରହିଥିଲା ବେଳେ ଦେବେନ୍ଦ୍ର କୁଅଁର ୩୦ ବଲ୍ରୁ ୨୮ (୪ ଚୌକା, ୧ ଛକା) ରନ୍ କରି ଅପରାଜିତ ରହିଥିଲେ। ଶୁଭ୍ରାଂଶୁ ଓ ଦେବେନ୍ଦ୍ର ଅସମାପ୍ତ ଚତୁର୍ଥ ଓ୍ଵିକେଟ୍ରେ ୬୧ ବଲ୍ରୁ ୭୬ ରନ୍ ଯୋଡ଼ିବାରୁ ଓଡ଼ିଶା ୩୬.୫ ଓଭରରେ ୩ ଓ୍ଵିକେଟ୍ ବିନିମୟରେ ୧୮୯ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଏହି ବିଜୟ ଯୋଗୁଁ ପୂରା ୪ ପଏଣ୍ଟ୍ ଅକ୍ତିଆର କରି ଓଡ଼ିଶା ଅଭିଯାନ ଆରମ୍ କରିଛି।
୨୩ ବର୍ଷରୁ କମ୍ ପୂର୍ବାଞ୍ଚଳ ଦିନିକିଆ: ଝାଡ଼ଖଣ୍ଡକୁ ହରାଇ ଓଡ଼ିଶାର ଅଭିଯାନ
/sambad/media/post_attachments/wp-content/uploads/2018/01/below-23-cricket.jpg)