ଝାରସୁଗୁଡ଼ା: ଝାରସୁଗୁଡ଼ାସ୍ଥିତ ଦ୍ବିତୀୟ ଓଏସ୍‌ଏପି ବାଟାଲିୟନ୍‌ ଏବଂ ଓଏସ୍‌ଏପି ମିନି ଷ୍ଟାଡିୟମ୍‌ରେ ଚାଲିଥିବା ସିଆଇଏସ୍‌ସିଇ ସମୂହ ଜାତୀୟ ପ୍ରି-ସୁବ୍ରତୋ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଗୁରୁବାର ୮ଟି ମ୍ୟାଚ୍‌ ଖେଳା ଯାଇଛି। ପ୍ରଥମ ମ୍ୟାଚ୍‌ରେ ନର୍ଥ ଇଣ୍ଡିଆ ୯-୧ ଗୋଲ୍‌ରେ ଛତିଶଗଡ଼କୁ ହରାଇଛି। ମହାରାଷ୍ଟ୍ର ଓ କେରଳ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ୩-୦ ଗୋଲ୍‌ରେ ଉତ୍ତରପ୍ରଦେଶକୁ, ଚତୁର୍ଥରେ ତାମିଲନାଡ଼ୁ ୪-୦ ଗୋଲ୍‌ରେ ନର୍ଥ ୱେ‌ଷ୍ଟ୍‌କୁ ହରାଇଥିଲା। 

Advertisment

ପଞ୍ଚମ ମ୍ୟାଚ୍‌ରେ ବିହାର-ଝାଡ଼ଖଣ୍ଡ ଦଳ ୪-୦ ଗୋଲ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ଓଡ଼ିଶା ଓ ମହାରାଷ୍ଟ୍ର ଷଷ୍ଠ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ନର୍ଥ ଇଣ୍ଡିଆ ଦଳ ୭-୧ ଗୋଲ୍‌ରେ ଉତ୍ତରାଖଣ୍ଡକୁ ହରାଇଥିଲା ବେଳେ ଉତ୍ତରପ୍ରଦେଶ ଓ କେରଳ ମ୍ୟାଚ୍‌ ୨-୨ ଗୋଲ୍‌ରେ ଡ୍ର’ ହୋଇଥିଲା। ଶୁକ୍ରବାର ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ନର୍ଥ ଇଣ୍ଡିଆ, କେରଳ, ବିହାର-ଝାଡ଼ଖଣ୍ଡ, ତାମିଲନାଡ଼ୁ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।