ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଦିବଂଗତ ନେତା ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ସିଟି କ୍ଲବ୍ ଓ ଡ. ଦେବେନ୍ଦ୍ର ପ୍ରଧାନ ମେମୋରିଆଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଆନୁକୂଲ୍ୟରେ ସ୍ଥାନୀୟ ଭୁବନେଶ୍ବର ଫୁଟ୍ବଲ୍ ଏକାଡେମୀଠାରେ ପ୍ରଥମ ନିଖିଳ ଓଡ଼ିଶା ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତା ମାର୍ଚ୍ଚ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ରାଜ୍ୟରେ ଫୁଟ୍ବଲ୍ର ବିକାଶ ଓ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଅଂଶଗ୍ରହଣ କରିବେ।
ଏହି ଦଳଗୁଡ଼ିକ ହେଲେ କିଶୋର କ୍ଲବ୍ ଭୁବନେଶ୍ବର, ମଙ୍ଗଳା କ୍ଲବ୍ କଟକ, ସମଲେଶ୍ବରୀ ସ୍ପୋର୍ଟିଂ (ସମ୍ବଲପୁର ଫୁଟ୍ବଲ୍ ଏକାଡେମୀ), ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ୍ ଭୁବନେଶ୍ବର, ରାଉରକେଲା ରେଡ୍ ୟୁନାଇଟେଡ୍ ରାଉରକେଲା, ୟୁନାଇଟେଡ୍ ଏଫ୍ସି ବରଗଡ଼, ହରି ପ୍ଲାଷ୍ଟ ଟାଇଟନ୍ସ ବାଲେଶ୍ବର, ରାଧା ରମଣ କ୍ଲବ୍ କଟକ। ନକ୍ଆଉଟ୍ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ଶୀର୍ଷ ୪ଟି ଦଳ ସେମିଫାଇନାଲ୍ରେ ପ୍ରବେଶ କରିବେ। ସେଠାରୁ ଦୁଇ ଫାଇନାଲିଷ୍ଟ ବଛାଯିବେ। ପ୍ରତିଯୋଗିତା ଲାଗି ମୋଟ ୧୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ରଖାଯାଇଛି।
ଆହୁରି ପଢ଼ନ୍ତୁ: Mohan Charan Majhi: ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ସେହିଭଳି ଅନ୍ୟଏକ ସ୍ବାଗତଯୋଗ୍ୟ ଘଟଣାକ୍ରମେ ଅନ୍ତର୍ଜାତୀୟ ଫୁଟ୍ବଲର୍ ତଥା ମୋହନ ବାଗାନ ଓ ମହିନ୍ଦ୍ରା ୟୁନାଇଟେଡ୍ ଭଳି ପ୍ରତିଷ୍ଠିତ କ୍ଲବ୍ ପକ୍ଷରୁ ଖେଳିଥିବା ଓଡ଼ିଶାର ପ୍ରାକ୍ତନ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ଏହି ପ୍ରତିଯୋଗିତାର ବ୍ରାଣ୍ଡ ଆମ୍ପାସାଡାର ନିଯୁକ୍ତ କରାଯାଇଛି। ଆଗାମୀ ସମୟରେ ପୁରୁଷଙ୍କ ସହ ମହିଳା ଲିଗ୍ ମଧ୍ୟ ଆୟୋଜନ କରିବା ଏବଂ ଡ. ପ୍ରଧାନଙ୍କ ନାଁରେ ପ୍ରତିଭାବାନ ଖେଳାଳି କ୍ରୀଡ଼ା ବୃତ୍ତି ପ୍ରଦାନ କରିବାର ଯୋଜନା ରହିଥିବା ଡ. ଦେବେନ୍ଦ୍ର ପ୍ରଧାନ ମେମୋରିଆଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ୍ର ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ର ସଭାପତି ସମୀର ମହାନ୍ତି, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାର, ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍ର ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ଭୁବନେଶ୍ବର ବିଜେପିର ସଭାପତି ନିରଞ୍ଚନ ମିଶ୍ର, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, କ୍ରୀଡ଼ା ସଂଗଠକ ସହଦେବ ରାଉତ ଓ ଆୟୋଜକ କମିଟି ସଂପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/14/football-2026-02-14-17-40-19.jpg)