ଓଡ଼ିଶାକୁ ଯୁଗଳ ବିଜୟ; ଗାଙ୍ଗ୍‌ପୁର ହାରିଲା

ଭୁବନେଶ୍ୱର: ଜାତୀୟ ଉପକନିଷ୍ଠ ବାଳକ ହକି (ଡିଭିଜନ୍‌-ଏ)ରେ ଶୁକ୍ରବାର ଓଡ଼ିଶା ଦଳ ଯୁଗଳ ବିଜୟ ପାଇଥିଲା ବେଳେ ଗାଙ୍ଗ୍‌ପୁର-ଓଡ଼ିଶା ଦଳ ପରାଜୟ ବରଣ କରିଛି। ସାରଦା ନନ୍ଦ ତିଓ୍ଵାରୀଙ୍କ ହ୍ୟାଟ୍ରିକ୍‌ (କ୍ରମାଗତ ୩ ଗୋଲ୍‌) ବଳରେ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ୭-୨ ଗୋଲ୍‌ରେ ଗାଙ୍ଗ୍‌ପୁରକୁ ପରାସ୍ତ କରିଦେଇଛି। ଅଧିନାୟକ ସୁଦୀପ ଚିର୍‌ମାକୋ (୩୩ ଓ ୪୯ ମିନିଟ୍‌) ଗାଙ୍ଗ୍‌ପୁର ଦଳ ପକ୍ଷରୁ ଦୁଇଟିଯାକ ଗୋଲ୍‌ କରିଥିଲା ବେଳେ ବିଜୟୀ ସାଇ ପକ୍ଷରୁ କାଲୁ ଅଲ୍ଲୀ (୨୫ ମିନିଟ୍‌), ରଞ୍ଜନ ଟପ୍ପୋ (୨୯ ମିନିଟ୍‌), ସାରଦା ନନ୍ଦ ତିଓ୍ଵାରୀ (୩୧, ୫୧ ଓ ୫୬ ମିନିଟ୍‌), ରାହୁଲ୍‌ ଯାଦବ (୬୮ ମିନିଟ୍‌) ଓ ମହିପାଲ୍‌ (୭୦ ମିନିଟ୍‌) ଗୋଲ୍‌ ସ୍କୋର୍‌ କରିଥିଲେ।
ଅନ୍ୟପକ୍ଷରେ ବୁଧବାର ଭୋପାଳ ବିପକ୍ଷ ଅସମାପ୍ତ ମ୍ୟାଚ୍‌ ଖେଳିବା ପରେ ଓଡ଼ିଶା ଦଳ ବିହାର ସହ ମଧ୍ୟ ମ୍ୟାଚ୍‌ ଖେଳିଥିଲା। ଆଉ ଉଭୟ ମ୍ୟାଚ୍‌ରେ ମଧ୍ୟ ଓଡ଼ିଶାକୁ ବିଜୟ ମିଳିଥିଲା। ପ୍ରଥମେ ଭୋପାଳକୁ ୬-୦ ଗୋଲ୍‌ରେ ହରାଇଥିବା ଓଡ଼ିଶା ଶୁକ୍ରବାରର ଶେଷ ମ୍ୟାଚ୍‌ରେ ବିହାରକୁ ୪-୧ରେ ପରାସ୍ତ କରିଥିଲା। ଭୋପାଳ ବିପକ୍ଷରେ ନିରଞ୍ଜନ କିଣ୍ଡୋ (୩ ଓ ୫୮ ମିନିଟ୍‌) ଦୁଇଟି, ପୌଲସ୍‌ ଲାକ୍ରା (୨୮ ମିନିଟ୍‌), ମାତିଆସ୍‌ ଡାଙ୍ଗ୍‌ (୩୭ ମିନିଟ୍‌), ସୁବାସ ବାର୍ଲା (୪୮ ମିନିଟ୍‌) ଓ ଲିବନ୍‌ ଏକ୍କା (୬୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଏହାପରେ ବିହାର ବିପକ୍ଷ ମ୍ୟାଚ୍‌ରେ ସୁମିତ ଟପ୍ପୋ (୨୬ ମିନିଟ୍‌), ନିରଞ୍ଜନ କିଣ୍ଡୋ (୪୪ ମିନିଟ୍‌), ଲାବନ୍‌ ଲୁଗୁନ୍‌ (୪୭ ମିନିଟ୍‌) ଏବଂ ରୋହିତ ବେକ୍‌ (୫୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲା ବେଳେ ବିହାର ପାଇଁ ଏକମାତ୍ର ଗୋଲ୍‌ ତର୍ତନ୍‌ ମିଞ୍ଜ୍‌ କରି ବ୍ୟବଧାନ କମାଇଥିଲେ।

ସମ୍ବନ୍ଧିତ ଖବର