ଭୁବନେଶ୍ବର : ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ଲିଗ୍ରେ ରବିବାର ଓଡ଼ିଶା ଏଫସି ନୂଆ ବର୍ଷର ପ୍ରଥମ ମ୍ୟାଚ୍ ଖେଳିବ। ଗତବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଏହି ଭୁବନେଶ୍ବର ଦଳ ନୂଆ ଆଶା ସହ ପଡ଼ିଆକୁ ଓହ୍ଲାଇବ। ରବିବାରର ପ୍ରତିଦ୍ବନ୍ଦ୍ବୀ ରହିଛି ପଡୋଶୀ ଇଷ୍ଟବେଙ୍ଗଲ୍। ଉଭୟ ଦଳ ୭ ଲେଖାଏଁ ମ୍ୟାଚ୍ ଖେଳି ବିଜୟ ଶୂନ୍ୟ ରହିଥିବାରୁ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି। ଇଷ୍ଟବେଙ୍ଗଲ୍ ୩ ଏବଂ ଓଡ଼ିଶା ୨ ଅମୀମାଂସିତ ରଖିଥିବାରୁ ୧୧ ଦଳୀୟ ଏହି ପ୍ରତିଯୋଗିତାରେ ଶେଷ ଦୁଇ ସ୍ଥାନରେ ସଂଘର୍ଷ କରୁଛନ୍ତି। ଶନିବାର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫସି ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍ କହିଥିଲେ, ପୂର୍ବର ସମସ୍ତ ମ୍ୟାଚ୍ ପାଖାପାଖି ଥିଲା, ଆମେ କିନ୍ତୁ ନିଜ ପକ୍ଷକୁ ଆଣିପାରିନଥିଲୁ। ଦଳର ଗୋଲ୍ରକ୍ଷକ ଅର୍ଶଦୀପ ସିଂହଙ୍କ ସଂଗତିପୂର୍ଣ୍ଣ ପ୍ରଦର୍ଶନକୁ ସେ ପ୍ରଶଂସା କରିଥିଲେ। ଗୋଲ୍ରକ୍ଷକଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଚାଲିଛି ବୋଲି ପ୍ରକାଶ କରିଥିଲେ ଅର୍ଶଦୀପ। କମଲଜିତ୍ ସିଂହ ଏବଂ ରବି କୁମାର ଅତି ଅଭିଜ୍ଞ। ଅଙ୍କିତ ଭୂୟାଁ ଦିନକୁ ଦିନ ଉନ୍ନତି କରୁଛନ୍ତି।
ଦ୍ବିତୀୟ ଚରଣ ସୂଚୀ ଘୋଷିତ
ଆଇଏସଏଲ୍ର ଦ୍ବିତୀୟ ଚରଣ ସୂଚୀ ଶନିବାର ଘୋଷିତ ହୋଇଛି। ଐତିହାସିକ କୋଲକାତା ଡର୍ବିରେ ଏଟିକେ ମୋହନ ବାଗାନ ସହ ଇଷ୍ଟ ବେଙ୍ଗଲର ମ୍ୟାଚ୍ ଫେବ୍ରୁଆରି ୧୯ରେ ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଖେଳାଯିବ ବୋଲି ଜଣାପଡ଼ିଛି। ଜାନୁଆରି ୧୨ ତାରିଖରୁ କିନ୍ତୁ ଦ୍ବିତୀୟ ଚରଣ ମୁକାବିଲା ନର୍ଥଇଷ୍ଟ୍ ୟୁନାଇଟେଡ୍ ଓ ବେଙ୍ଗାଲୁରୁ ଏଫସିରୁ ଆରମ୍ଭ ହେବ। ପ୍ଲେ ଅଫ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳସୁଚୀ ପରେ ଘୋଷିତ ହେବ।
କେରଳ ବ୍ଲାର୍ଷ୍ଟର୍ସକୁ ୨-୦ରେ ହରାଇଲା ମୁମ୍ବାଇ ସିଟି
ପଣଜୀ: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ଶନିବାର ମ୍ୟାଚ୍ରେ ମୁମ୍ବାଇ ସିଟି ୨-୦ ଗୋଲ୍ରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ମ୍ୟାଚ୍ର ଦୁଇଟି ଯାକ ଗୋଲ୍ ପ୍ରଥମାର୍ଧରେ ଦେଖିବାକୁ ମିଳିଥିଲା। ତୃତୀୟ ମିନିଟ୍ରେ ଆଦାମ ଲି’ ଫଣ୍ଡ୍ରେ ଦେଇଥିବା ଗୋଲ୍ ବଳରେ ମୁମ୍ବାଇ ଆଗୁଆ ହୋଇ ଯାଇଥିଲା। ଏହାର ମାତ୍ର ୮ ମିନିଟ୍ ପରେ ହୁ ଗୋ ବୁମସ୍ ଦେଇଥିବା ଏକ ସୁନ୍ଦର ଫିଲ୍ଡ ଗୋଲ୍ ସହାୟତାରେ ମୁମ୍ବାଇ ଏହାକୁ ୨-୦ କରି ନେଇଥିଲା। ପ୍ରଥମାର୍ଧର ବଳକା ୩୪ ମିନିଟ୍ ସହ ସଂପୂର୍ଣ୍ଣ ଦ୍ବିତୀୟାର୍ଧ ଓ ଆହତ ସମୟରେ ଉଭୟ ଦଳ କେହି କାହାରିକୁ ଆଉ ଗୋଲ୍ ଦେଇ ପାରି ନଥିଲେ। ଫଳରେ ମୁମ୍ବାଇ ସେହି ୨-୦ ସ୍କୋର ଲାଇନ୍ରେ ବିଜୟୀ ହୋଇ ପଏଣ୍ଟ୍ ତାଲିକାର ଶୀର୍ଷ ସ୍ଥାନରେ ରହିଥିଲା। ମୁମ୍ବାଇ ଏବେ ୧୯ ପଏଣ୍ଟ୍ ପାଇଥିଲା ବେଳେ ଏଟିକେ ମୋହନ ବାଗାନ ୧୭ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛି।