ଚେନାୟିନ୍‌ ଏଫ୍‌ସି ବିପକ୍ଷରୁ ଓଡ଼ିଶାର ନୂଆବର୍ଷ ଅଭିଯାନ

ଭୁବନେଶ୍ବର: ଜାମସେଦପୁର ବିପକ୍ଷରେ ନିଜର ପ୍ରଥମ ଘରୋଇ ମ୍ୟାଚ୍‌ (କଳିଙ୍ଗ ଷ୍ଟାଡିୟମ)ରେ ବିଜୟୀ ହୋଇଥିଲା ଓଡ଼ିଶା ଏଫ୍‌ସି। ଏହି ବିଜୟ ସହ ଘରୋଇ ଦର୍ଶକଙ୍କୁ ନୂଆ ବର୍ଷର ଭେଟି ଦେଇଥିଲା ଏହି ଭୁବନେଶ୍ବର ଦଳ। ଏବେ ଚେନ୍ନାୟିନ୍‌ ‌ଏଫ୍‌ସି ବିପକ୍ଷ ନିଜର ପରବର୍ତୀ ମ୍ୟାଚ୍‌ ଉପରେ ଦଳ ନଜର ରଖିଛି। ଚଳିତ ମାସ ୬ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ୨୦୨୦ ବର୍ଷର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ଓଡ଼ିଶାର ନିଜସ୍ବ ଦଳ ଓଡ଼ିଶା ଏଫ୍‌ସି। ୯୦୦୦ ଦର୍ଶକଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସି କଳିଙ୍ଗ ଷ୍ଟାଡିୟମ୍‌ରେ ଜାମସେଦପୁର ଏଫ୍‌ସି ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। ଏହି ସମାନ ପ୍ରଦର୍ଶନ ଆଗାମୀ ମ୍ୟାଚ୍‌ରେ ଦଳ ଦୋହରାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟ ପ୍ରଶିକ୍ଷକ ଜୋ‌ସେଫ୍‌ ଗୋମ୍ବାଉ। ଚେନାୟିନ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଓଡ଼ିଶା ଏଫ୍‌ସି ୨-୨ରେ ଅମୀମାଂସିତ ରଖିଥିଲା।

ଶେଷରେ ଘରୋଇ ପଡ଼ିଆରେ ଖେଳିବାର ସୁଯୋଗ ପାଇଥିବାରୁ ଏହା ଆମ ପାଇଁ ସୁନ୍ଦର ଅନୁଭବ। କଳିଙ୍ଗ ଷ୍ଟାଡିୟମର ଆମର ପ୍ରଥମ ମ୍ୟାଚ୍‌ରେ ‌ଉପସ୍ଥିତ ରହି ଆମକୁ ସମର୍ଥନ ଅଜାଡ଼ି ଥିବା ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ। ଚେନାୟିନ୍‌ ବିପକ୍ଷ ଆମର ‌ପରବର୍ତୀ ମ୍ୟାଚ୍‌ ନିଶ୍ଚିତ ଚମତ୍କାର ହେବ। ଏହି ମ୍ୟାଚ୍‌ ଜିତିବା ଲାଗି ଆମେ କଠିନ ଅଭ୍ୟାସ କରୁଛୁ ବୋଲି କହିଛନ୍ତି ଗୋମ୍ବାଉ। ଗତ ମ୍ୟାଚ୍‌ ଆମର ପ୍ରଥମ ଘରୋଇ ମ୍ୟାଚ୍‌ ଥିଲା ଏବଂ ‌ଷ୍ଟାଡିୟମରେ ଭଲ ସଂଖ୍ୟାରେ ଦର୍ଶକ ରହିବା ସହ ଆମକୁ ସମର୍ଥନ ଦେଇଥିଲେ। ଆମେ ମଧ୍ୟ ବିଜୟୀ ହୋଇଥିଲୁ। ଆମେ ଆଶା କରୁଛି ଆଗାମୀ ମ୍ୟାଚ୍‌ରେ ଅଧିକ ଦର୍ଶକ ରହିବେ। ମୁଁ ଆଶା କରୁଛି ଆମ ଖେଳାଳିମାନେ ମଧ୍ୟ ନିଜ ନିଜର ଶ୍ରେଷ୍ଠ ଦେବେ ବୋଲି କହିଛନ୍ତି ୨୦୧୭-୧୮ ସଂସ୍କରଣ ବିଜେତା ଦଳ ଚେନ୍ନାୟିନ୍‌ର ସଦସ୍ୟ ତଥା ସଂପ୍ରତି ଓଡ଼ିଶା ଏଫ୍‌ସିର ମଧ୍ୟଭାଗ ଖେଳାଳି ବିକ୍ରମଜିତ ସିଂହ।

ସମ୍ବନ୍ଧିତ ଖବର