ପଏଣ୍ଟ୍‌ ଖାତା ଖୋଲିବା ଆଶାରେ ଓଡ଼ିଶା ଏଫ୍‌ସି, ଆଜି ମୁମ୍ବାଇ ସିଟିକୁ ଭେଟିବ

ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍‌ରେ ଗୁରୁବାର ମୁମ୍ବାଇ ଫୁଟ୍‌ବଲ୍‌ ଏରେନାଠାରେ ଘରୋଇ ମୁମ୍ବାଇ ସିଟି ଏଫ୍‌ସିକୁ ଭେଟିବ ଓଡ଼ିଶା ଏଫ୍‌ସି। ଓଡ଼ିଶାର ଏହା ତୃତୀୟ ବାହାର ମ୍ୟାଚ୍‌। ପ୍ରଥମ ଦୁଇ ମ୍ୟାଚ୍‌ ଜାମସେଦପୁର ଏଫ୍‌ସି ଏବଂ ନର୍ଥ ୟୁନାଇଟେଡ୍‌ ଏଫ୍‌ସି ନିକଟରୁ ହାରି ଯାଇଛି। ଫଳରେ ଷଷ୍ଠ ସଂସ୍କରଣ ବିଜେତା ମୁମ୍ବାଇ ସିଟିକୁ ହରାଇ ପଏଣ୍ଟ୍‌ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ଦିଲ୍ଲୀ ଡାଇନାମୋସରୁ ଓଡ଼ିଶା ଏଫ୍‌ସି ନାମରେ ପରିବର୍ତନ ହୋଇଥିବା ଏହି ଦଳ। ଅନ୍ୟପକ୍ଷରେ ପ୍ରଥମ ଘର ମ୍ୟାଚ୍‌ ଖେଳିବା ପାଇଁ ଉତ୍ସାହିତ ରହିଛି ମୁମ୍ବାଇ ସିଟି। କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଏବଂ ଚେନ୍ନାୟିନ ଏଫ୍‌ସି ବିପକ୍ଷରେ କ୍ରମାଗତ ଦୁଇଟି ବାହାର ମ୍ୟାଚ୍‌ ଖେଳି ସଂସ୍କରଣ ଆରମ୍ଭ କରିଛି ମୁମ୍ବାଇ ସିଟି। କୋଚିଠାରେ ପୁରା ତିନି ପଏଣ୍ଟ୍‌ ପାଇଥିବା ବେଳେ ଚେନ୍ନାଇରେ ଗୋଟିଏ ପଏଣ୍ଟ୍‌ରେ ସନ୍ତୁଷ୍ଟ ହୋଇଥିଲା ଏହି ଦଳ। ବାହାର ପଡ଼ିଆରେ କିଛିଟା ସଫଳତା ପାଇବା ପରେ ମୁମ୍ବାଇ ଦଳ ଓଡ଼ିଶା ବିପକ୍ଷରେ ମ୍ୟାଚ୍‌ ଜିତିବାକୁ ଲକ୍ଷ୍ୟ ରଖିଛି।

‘‘ଆମେ ପ୍ରଥମ ଦୁଇ ମ୍ୟାଚ୍‌ରେ ସଫଳତା ପାଇନାହୁଁ। ପ୍ରଥମଟିରେ ଆମେ ପାସ୍‌ ଦେବାରେ କିଛିଟା ଭୁଲ କରିଥିଲୁ। କିନ୍ତୁ ମୁଁ ଭାବୁଛି ଦ୍ବିିତୀୟ ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲୁ। ଅବଶ୍ୟ ଛୋଟ ଛୋଟ ଭୁଲ ପାଇଁ ଗୋଲ୍‌ ଖାଇଥିଲୁ। କିନ୍ତୁ ଆମେ ଖେଳକୁ ନିଜ ନିୟନ୍ତ୍ରଣରେ ରଖି ଅନେକ ସୁଯୋଗ ସୃଷ୍ଟି କରିଥିଲୁ। ମୋର ଧାରଣା ଆମ ଦଳ ଭଲ ଖେଳୁଥିବାରୁ ଶୂନ୍ୟ ପଏଣ୍ଟରେ ରହିବାର ହକଦାର ନୁହେଁ। ଆସନ୍ତା କାଲି ଦଳ ସଫଳତା ପାଇବ ବୋଲି ମୋର ଦୃଢ ବିଶ୍ୱାସ ରହିଛି।’’ ଏକଥା କହିଛନ୍ତି ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଯୋଶେପ ଗୋମ୍ବାଉ।

ଓଡିଶା ଏଫସିକୁ ହାଲୁକା ଭାବେ ନେଉ ନାହାନ୍ତି କୋଷ୍ଟା। ‘‘ପୂର୍ବରୁ ଦିଲ୍ଲୀ ଡାଇନାମୋସ ନାମରେ ପରିଚିତ ଓଡ଼ିଶା ଏଫସି ଗତ ସିଜନରେ ଭଲ ଖେଳିଥିଲା ଏବଂ ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା। ତେଣୁ ଆମେ ତାଙ୍କୁ ସମ୍ମାନ ଦେବା ଉଚିତ। ପ୍ରଥମ ଦୁଇଟି ମ୍ୟାଚ୍‌ ନେଇ ମୁଁ ଶତ ପ୍ରତିଶତ ଖୁସି ନୁହେଁ। ଆହୁରି ଅଧିକ ପରିଶ୍ରମ କରି ଭଲ ଖେଳିବାକୁ ପଡ଼ିବ’’ ‌ବୋଲି କହିଛନ୍ତି ମୁମ୍ବାଇ ସିଟି ପ୍ରଶିକ୍ଷକ କୋ‌ଷ୍ଟା।

ଏଟିକେର ଦ୍ବିତୀୟ ବିଜୟ
ଚେନ୍ନାଇ : ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଏଟିକେ ଦ୍ବିତୀୟ ବିଜୟ ପାଇଛି। ବୁଧବାର ଏଟିକେ ୧-୦ ଗୋଲ୍‌ରେ ଚେନ୍ନାୟିନ୍‌ ଏଫ୍‌ସିକୁ ତା ଘରୋଇ ପଡ଼ିଆରେ ହରାଇ ଦେଇଛି। ଏହି ବିଜୟସୂଚକ ଗୋଲ୍‌ଟି ଏଟିକେର ଡେଭିଡ ୱିଲିୟମ୍ସ (୪୮ ମିନିଟ୍‌) ଦେଇଥିଲେ। ଏହି ବିଜୟ ଫଳରେ ଏଟିକେ ଦୁଇଟି ମ୍ୟାଚ୍‌ରେ ଅପରାଜେୟ ରହି ୬ ପଏଣ୍ଟ୍‌ ସହ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ଚେନ୍ନାୟିନ୍‌ ନିଜର ଦୁଇଟି ଯାକ ମ୍ୟାଚ୍‌ ହାରି ପଏଣ୍ଟ୍‌ ଶୂନ୍ୟ ରହି ଅ‌ଷ୍ଟମରେ ରହିଛି।

ସମ୍ବନ୍ଧିତ ଖବର