ଭୁବନେଶ୍ବର: ଓଡ଼ିଶାରେ ଫୁଟ୍ବଲ୍ର ପ୍ରଚାର ଓ ପ୍ରସାର ସହିତ ତୃଣମୂଳସ୍ତରରେ ଏହି ଖେଳର ବିକାଶ ଲାଗି କାମ କରିବାର ପ୍ରତିଶ୍ରୁତି ରଖିଥିବା ଓଡ଼ିଶା ଏଫ୍ସି ନିଜର ମନମୁଖୀ ତଥା ଏକଚାଟିଆ କାରବାର ପାଇଁ ସମାଲୋଚିତ ହେବାରେ ଲାଗିଛି। ଚଳିତ ଆଇଏସ୍ଏଲ୍ରେ ଓଡ଼ିଶା ଏଫ୍ସି ଉନ୍ନତ ପ୍ରଦର୍ଶନ କରି ଶୀର୍ଷ ୪ ଭିତରେ ପ୍ରବେଶ କରିଥିଲେ ମଧ୍ୟ ଶୁକ୍ରବାର ବାହାରିଯାଇଛି। ଏହି କ୍ଲବ୍ ସମାନ ସମୟରେ ରାଜ୍ୟ ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଯିବା ଭଳି ମନେ ହେଉଛି। ପ୍ରବାସୀ ଭାରତୀୟଙ୍କ ମାଲିକାନାରେ ଥିବା ଏହି କ୍ଲବ୍ ଗତ ସପ୍ତାହରେ କଟକରେ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ କରିଥିବା ବେଳେ ବହୁ ଅବ୍ୟବସ୍ଥା ପଦାରେ ପଡ଼ିଥିଲା। ସେ ଭୁଲରୁ ଶିଖିବା ପରିବର୍ତେ କ୍ଲବ୍ ପରିଚାଳକମାନେ ଏବେ ସାମାଜିକ ଗଣମାଧ୍ୟମରେ ଏକ ନୂଆ ବିବାଦର ସୂତ୍ରପାତ ଆରମ୍ଭ କରିଛନ୍ତି। ଫେବ୍ରୁଆରି ୨ ତାରିଖରେ ଓଡ଼ିଶା ଏଫ୍ସିର ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ୍ ଆସିବେ ଏବଂ ‘ଷ୍ଟାଡିୟମ୍ ଟୁର୍’ ଅବସରରେ ପ୍ରଶଂସକଙ୍କୁ ଭେଟିବେ ବୋଲି ଶୁକ୍ରବାର ଏହାର ନିଜସ୍ବ ଟ୍ବିଟର୍ ଏବଂ ଫେସ୍ବୁକ୍ ଆକାଉଣ୍ଟ୍ରେ ସୂଚନା ଦିଆଯାଇଛି। ବିଡ଼ମ୍ବନାର ବିଷୟ ହେଉଛି ଏହି ଅଭିଯାନରେ ସାମିଲ୍ ହେବାକୁ ଆଗ୍ରହୀ ପ୍ରଶଂସକଙ୍କଠାରୁ ୩୦୦ ଟଙ୍କା ଲେଖାଏଁ ମଗାଯାଇଛି। କଟକରେ ପ୍ରତିଭା ଅନ୍ବେଷଣ ବେଳେ ପାଣି ବ୍ୟବସ୍ଥା କରି ନପାରି ସାଥିରେ ବୋତଲ ଅଣିବାକୁ କହି ବିବାଦ ଘେରକୁ ଆସିଥିବା ଏହି କ୍ଲବ୍ ଏବେ ସରକାରଙ୍କଠାରୁ ମୋଫତରେ ପାଇଥିବା ଭିତ୍ତିଭୂମିର ଦୁରୁପୋଯୋଗ କରୁଥିବା ଅଭିଯୋଗ ହେଉଛି। ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସୁଦ୍ଧା ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଷ୍ଟାଡିୟମ୍ ଟୁର୍’ ଲାଗି କଳିଙ୍ଗ ଷ୍ଟାଡିୟମ୍ ପ୍ରବେଶ ଅନୁମତି ନିଆଯାଇନାହିଁ। ଫଳରେ ଫୁଟ୍ବଲ୍ ପ୍ରଶଂସକମାନଙ୍କୁ ଲୁଟିବା ଲାଗି ଓଡ଼ିଶା ଏଫ୍ସିର ଏହି ଅଭିଯାନକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଏ ସମ୍ପର୍କରେ କଳିଙ୍ଗ ଷ୍ଟାଡିୟମ୍ ଭାରପ୍ରାପ୍ତ ଅଧିକାରୀ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।
ଶୀର୍ଷ ୪ରୁ ବାହାର ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ପଏଣ୍ଟ୍ ଟେବୁଲର ଶୀର୍ଷ ୪ରୁ ଖସିଛି ଓଡ଼ିଶା ଏଫ୍ସି। ଶୁକ୍ରବାର ମ୍ୟାଚ୍ରେ ମୁମ୍ବାଇ ସିଟି ଏଫ୍ସି ୧-୦ ଗୋଲ୍ରେ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍ସିକୁ ହରାଇ ଚତୁର୍ଥ ସ୍ଥାନକୁ ଉଠିବା ସହ ଓଡ଼ିଶା ଏଫ୍ସିକୁ ତଳକୁ ଠେଲି ଦେଇଛି। ମୁମ୍ବାଇ ସିଟି ପକ୍ଷରୁ ବିଜୟ ସୂଚକ ଗୋଲ୍ଟି ଡିଏଗୋ କାର୍ଲୋସ ଦେଇଥିଲେ। ସଂପ୍ରତି ଓଡ଼ିଶା ଏଫ୍ସି ୧୫ ମ୍ୟାଚ୍ ଖେଳି ୬ ଲେଖାଏଁ ବିଜୟ ଓ ପରାଜୟ ଏବଂ ୩ ଅମୀମାଂସିତ ରଖି ୨୧ ପଏଣ୍ଟ୍ ସହ ପଞ୍ଚମ ସ୍ଥାନକୁ ଖସିଛି। ସମାନ ମ୍ୟାଚ୍ ଖେଳି ମୁମ୍ବାଇ ସିଟି ୨୩ ପଏଣ୍ଟ୍ ସହ ଚତୁର୍ଥରେ ପହଞ୍ଚିଥିଲା ବେଳେ ଶୀର୍ଷ ୩ ସ୍ଥାନରେ ଏଫ୍ସି ଗୋଆ (୧୫ ମ୍ୟାଚ୍, ୩୦ ପଏଣ୍ଟ୍), ବେଙ୍ଗାଲୁରୁ ଏଫ୍ସି (୧୫ ମ୍ୟାଚ୍, ୨୮ ପଏଣ୍ଟ୍) ଓ ଏଟିକେ ଏଫ୍ସି (୧୪ ମ୍ୟାଚ୍, ୨୭ ପଏଣ୍ଟ୍) ରହିଛନ୍ତି।