ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ୮୨ତମ ମ୍ୟାଚ୍ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା। ସେମିଫାଇନାଲ୍ ଖେଳିବାର ଅଶା ବଳବତ୍ତର ରଖିବା ନେଇ ଘରୋଇ ପଡ଼ିଆରେ ଓହ୍ଲାଇଥିଲା ଓଡ଼ିଶା ଏଫ୍ସି। ସାମ୍ନାରେ ଥିଲା ନର୍ଥଇଷ୍ଟ୍ ୟୁନାଇଟେଡ୍। ଓଡ଼ିଶା ପାଇଁ ଏହି ମ୍ୟାଚ୍ ଜିତିବା ଜରୁରି ଥିଲା। ଘରୋଇ ଦର୍ଶକ ସମ୍ମୁଖରେ ଏହା କରି ଦେଖାଇଛି ମଧ୍ୟ ଘରୋଇ ଦଳ। ଚମତ୍କାର ଖେଳି ଓଡ଼ିଶାର ଏହି ନିଜସ୍ବ ଦଳ ୨-୧ ଗୋଲ୍ରେ ନର୍ଥଇଷ୍ଟ୍ ୟୁନାଇଟେଡ୍କୁ ମାତ୍ ଦେଇ ସେମିଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ କରିଛି। ୨୪ ପଏଣ୍ଟ୍ ସହ ଟେବୁଲ୍ର ପଞ୍ଚମ ସ୍ଥାନକୁ ଉଠିଛି ଓଡ଼ିଶା ଏଫ୍ସି।
ଏହି ବିଜୟ ସହିତ ଗୁଆହାଟୀ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଓଡ଼ିଶା ଏଫ୍ସି। କଳିଙ୍ଗ ଷ୍ଟାଡିୟମ୍ରେ ମଧ୍ୟ ଓଡ଼ିଶା ୫ ମ୍ୟାଚ୍ରୁ ୪ ବିଜୟ ସହିତ ଶେଷ ଲିଗ୍ରେ ବିଜୟର ଆଶା ଦେଖାଇଛି। ଫେବ୍ରୁଆରି ୨୩ରେ ଓଡ଼ିଶା ଏଠାରେ କେରଳା ବ୍ଲାଷ୍ଟର୍ସକୁ ଭେଟିବ। ଗୋଆ, ଏଟିକେ, ବେଙ୍ଗାଲୁରୁ ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏବେ ଚତୁର୍ଥ ସ୍ଥାନଟି ପାଇଁ ମୁମ୍ବାଇ, ଓଡ଼ିଶା ଏବଂ ଜାମସେଦପୁର ଏଫ୍ସି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ଶୁକ୍ରବାର ମ୍ୟାଚ୍ ଆରମ୍ଭରୁ ଘରୋଇ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ତୃତୀୟ ମିନିଟ୍ରେ ହିଁ ଓଡ଼ିଶା ସୁଯୋଗ ପାଇଥିଲା। ରକ୍ଷଣଭାଗ ଖେଳାଳି ଗୌରବ ବୋରା ଏକାକୀ ନର୍ଥଇଷ୍ଟ୍ ଖେଳାଳିଙ୍କୁ ପଛରେ ପକାଇ ଦଳ ପାଇଁ ପ୍ରଥମ ଗୋଲ୍ର ଆଶା ସଞ୍ଚାର କରିଥିଲେ। ହେଲେ ବୋରା ଦେଇଥିବା ପାସ୍କୁ ପେରେଜ ଗୁଏଦିଜ୍ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା। ଏହା ପରେ ଓଡ଼ିଶା ବହୁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳତା ପାଇ ପାରି ନଥିଲା। ୨୪ତମ ମିନିଟ୍ରେ ମାର୍ଟିନ୍ ନିକୋଲାସ ଗାର୍ସିଆ ଗୋଲ୍ ଦେଇ ଅତିଥି ଦଳକୁ ଅଗ୍ରଣୀ ପ୍ରଦାନ କରିଥିଲେ। ଫଳରେ ପ୍ରଥମାର୍ଧ ୧-୦ ଗୋଲ୍ରେ ଅତିଥି ଦଳ ଆଗୁଆ ରହିଥିଲା।
ପ୍ରଥମାର୍ଧ ପଛରେ ପଡ଼ିବା ପରେ ଓଡ଼ିଶା ଏଫ୍ସି ଦ୍ବିତୀୟାର୍ଧରେ ଆରମ୍ଭରୁ ଗୋଲ୍ କରିବାରେ ସକ୍ଷମ ହୋଇଥିଲା। ନନ୍ଦକୁମାର ଶେଖରଙ୍କ ପାସ୍କୁ ମାନୁଏଲ୍ ଓନୁ (୪୬ ମିନିଟ୍) ଗୋଲ୍ ଦେଇ ସ୍ଥିତି ସମାନ କରି ଦେଇଥିଲେ। ୭୨ତମ ମିନିଟ୍ରେ ଓନୁଙ୍କ ପାସ୍କୁ ମାର୍ଟିନ୍ ପେରେଜ ଗୁଏଦିଜ୍ ଗୋଲ୍ରେ ପରିଣତ କରି ଓଡ଼ିଶାକୁ ୨-୧ରେ ଅଗୁଆ କରିଥିଲେ। ଏହା ପରେ ଉଭୟ ଦଳ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଥିଲେ। ହେଲେ ଉଭୟ ଦଳର ଗୋଲ୍ରକ୍ଷକଙ୍କ ଚମତ୍କାର ପ୍ରଦର୍ଶନ ଗୋଲ୍ ହେବାକୁ ଦେଇନଥିଲା। ଶେଷରେ ଓଡ଼ିଶା ଏଫ୍ସି ୨-୧ ଗୋଲ୍ରେ ମ୍ୟାଚ୍ ଜିତି ପୂରା ୩ ପଏଣ୍ଟ୍ କରାୟତ୍ତ କରି ସେମିଫାଇନାଲ୍ ଦୌଡ଼ରେ ନିଜକୁ ରଖିଥିଲା। ଅନ୍ୟପକ୍ଷରେ ନର୍ଥଇଷ୍ଟ୍ ୟୁନାଇଟେଡ୍ (୧୩ ପଏଣ୍ଟ୍) ଅଷ୍ଟମ ପରାଜୟ ସହ ପୂର୍ବ ପରି ନବମ ସ୍ଥାନରେ ରହିଥିଲା। ଶୁକ୍ରବାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମାର୍କସ ହର୍ନାଦିଜ୍ଙ୍କୁ ମିଳିଥିଲା ବେଳେ ନିମ ଦୋର୍ଜି ତମାଙ୍ଗ ଉଦୀୟମାନ ଖେଳାଳି ଏବଂ ମାନୁଏଲ୍ ଓନୁ ଲିମିଟ୍ଲେସ୍ ଖେଳାଳି ଓ ବିଜୟୀ ପାସ୍ ପୁରସ୍କାର ପାଇଥିଲେ।