ରାଜ୍ୟରେ ନୂଆ ଧାରା: ଓଡ଼ିଶା ଏଫ୍‌ସି ଫ୍ୟାନ୍ କ୍ଲବ୍‌

ଭୁବନେଶ୍ବର: ଭାରତରେ ଖେଳ ଓ ଖେଳାଳିଙ୍କୁ ସର୍ବଦା ସମର୍ଥନ ଦେବା ଲାଗି ପ୍ରଶଂସକମାନେ ଏକାଠି ହୋଇ ଫ୍ୟାନ୍ କ୍ଲବ୍‌ ଗଢ଼ିବାର ଧାରା ଅଧିକ ମାତ୍ରାରେ ନ ଥିଲେ ବି ବିରଳ ନୁହେଁ। ଭାରତୀୟ ହକି ଦଳ ପାଇଁ ‘ୱାନ୍‌ ଟିମ୍ ୱାନ୍ ଡ୍ରିମ୍‌’ ନିରତଂର ଭାବେ ବିଶ୍ବବ୍ୟାପୀ ଭ୍ରମଣ କରି ଜାତୀୟ ଦଳକୁ ସମର୍ଥନ ଦେଉଥିବାର ଉଦାହରଣ ରହିଛି। ଏବେ ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ପ୍ରତିଷ୍ଠା ଦୌଡ଼ରେ ସାମିଲ ହୋଇଥିବାରୁ ଏଭଳି ନୂଆ ଧାରା ଓଡ଼ିଶାକୁ ମଧ୍ୟ ବ୍ୟାପିଛି। ହକି ପାଇଁ ପୂର୍ବରୁ ‘ହକି ଲଭର୍ସ ଓଡ଼ିଶା’ ଗଠିତ ହୋଇଥିଲା। ଏହି ପରମ୍ପରା ଏବେ ଅଧିକ ସଂଗଠିତ ଏବଂ ବ୍ୟବସ୍ଥିତ ଢଙ୍ଗରେ ଆଗକୁ ବଢ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି ଏଥର ଫୁଟ୍‌ବଲ୍ ପାଇଁ ଓଡ଼ିଶାର ଯୁବ ପ୍ରଶଂସକମାନେ ଏକାଠି ହୋଇଛନ୍ତି। ଆଇଏସ୍‌ଏଲ୍ ପଦାର୍ପଣ କରିବାକୁ ଯାଉଥିବା ‘ଓଡ଼ିଶା ଏଫ୍‌ସି’ ହିଁ ରାଜ୍ୟର ପ୍ରଥମ ଆନୁଷ୍ଠାନିକ ଫ୍ୟାନ୍ କ୍ଲବ୍‌ର ମାନ୍ୟତା ପାଇବାକୁ ଯାଉଛି।

ଜଗନ୍ନାଥରୁ ‘ଜଗର୍‌ନଟ୍‌ସ’
ଓଡ଼ିଶା ଏଫ୍‌ସିର ଆନୁଷ୍ଠାନିକ ଫ୍ୟାନ୍ କ୍ଲବ୍‌ ନାମ ରଖାଯାଇଛି ‘ଦ ଜଗର୍‌ନଟ୍‌ସ’(ରଥ ଅବା ବୃହତ୍‌ଶକ୍ତି)। ବିଶ୍ବବିଖ୍ୟାତ ପ୍ରଭୂ ଜଗନ୍ନାଥଙ୍କ ବ୍ୟାପକତା ଅଧାରରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି ଲାଗି ଏଭଳି ନାମ କରଣ କରାଯାଇଛି। ଗତ ମାସରେ ଦିଲ୍ଲୀ ଡାଇନାମସ୍‌ ଦଳ ଓଡ଼ିଶା ଏଫ୍‌ସି ନାମରେ ନାମିତ ହେବା ଏବଂ ଚୁକ୍ତି ସ୍ବାକ୍ଷର ପରଠାରୁ ହିଁ ଏହି ଫ୍ୟାନ୍ କ୍ଲବ୍‌ ନିରଂତର ଭାବେ ଲାଗି ପଡ଼ିଛନ୍ତି ନିଜ କାୟା ବିସ୍ତାର କରିବାରେ। ଖୁବ୍ କମ୍ ଦିନ ମଧ୍ୟରେ ପ୍ରାୟ ୪୦୦ ପ୍ରଶଂସକ ଯୋଡ଼ି‌ ହୋଇ ସାରିଛନ୍ତି ‘ଜଗର୍‌ନଟ୍ସ’ ସହିତ। ଟ୍ବିଟର୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମରେ ସୀମିତ ନ ରହି ଓଡ଼ିଶା ଏଫସିର ପରିଚାଳନା ସହିତ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି ଏହି ଯୁବ ଗୋଷ୍ଠୀ। ଓଡ଼ିଶା ଏଫସିର ଲୋଗୋ ଉନ୍ମୋଚନ ଠାରୁ ଆରମ୍ଭ କରି ପ୍ରଶିକ୍ଷକ ଯୋସେପ୍ ଗୋମ୍ବାୟୁଙ୍କୁ ସ୍ବାଗତ କରିବା ପର୍ଯ୍ୟନ୍ତ ବି ବାହ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ନେଇଛନ୍ତି। ମଙ୍ଗଳବାର ‘ଦ ଜଗର୍‌ନଟ୍ସ’ ମଧ୍ୟ ନିଜ ଲୋଗୋ ଉ‌େନ୍ମାଚନ କରିଛି। ଲୋ‌ଗୋ ପ୍ରତିଯୋଗିତା ପରେ ହିଁ ଚୂଡାନ୍ତ ହୋଇଥିଲା ଏହା। ଏଥିରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପ୍ରତିଫଳନ ନଜରକୁ ଆସିଛି। ‘ଏବେ ଏହା ହିଁ ହେବ ଆମ ପରିଚୟ, ଏକାଠି ନିଜ ସ୍ବାଭିମାନକୁ ପୁନଃସ୍ଥାପନ କରିବୁ’ ବୋଲି କୁହାଯାଇଛି। ଓଡ଼ିଶାର ପରମ୍ପରା ସହିତ ସ୍ବଚ୍ଛ ଜାତୀୟ ଭାବନାକୁ ଯୋଡ଼ିବାର ଏହା ଏକ ମାଧ୍ୟମ ହେବ ବୋଲି କହିଛନ୍ତି ଏହି ଫ୍ୟାନ୍ କ୍ଲବ୍‌ର ଅନ୍ୟତମ ଅଗ୍ରଜ ପ୍ରଜ୍ବଳ ଦାସ। ‘ଆମ ଖେଳ..ଆମ ଦଳ.. ହେବ ଆମ ସ୍ବାଭିମାନର ପ୍ରତୀକ ବୋଲି ପ୍ରକାଶ କରିଛନ୍ତି କ୍ଲବ୍‌ ଗଠନର ଅନ୍ୟତମ ପ୍ରମୁଖ ଦେବଜିତ ପଟ୍ଟନାୟକ।

ମିଳିଛି ସରକାରୀ ଓ କ୍ଲବ୍‌ ସମର୍ଥନ
ଫ୍ୟାନ୍ କ୍ଲବ୍‌ ଗଠନ ଲାଗି ପ୍ରଥମେ ଏହି ଯୁବ‌ ଗୋଷ୍ଠୀ ଓଡ଼ିଶା ଏଫ୍‌ସିର ପରିଚାଳନା ନିର୍ଦେଶକ ରୋହନ ଶର୍ମା, ସିଇଓ ଆଶିଷ ସାହା ଏବଂ ସହଯୋଗୀ ଆକାଶ ନରୁଲାଙ୍କ ସହ ଯୋଗାଯୋଗ କରିଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ନିର୍ଦେଶକ ଭିନିଲ କ୍ରିଷ୍ଣାଙ୍କ ସହ ମଧ୍ୟ ସମ୍ପର୍କ ଯୋଡ଼ିଥିଲେ। ସମସ୍ତଙ୍କଠାରୁ ସମର୍ଥନ ମିଳିବା ପରେ ଉତ୍ସାହିତ ଏହି ଦଳ ଏବେ ଓଡ଼ିଶା କ୍ରୀଡ଼ାରେ ଏକ ନୂଆ ଧାରା ଆରମ୍ଭ କରିବାକୁ ଯାଉଛନ୍ତି। ଓଡ଼ିଶାରେ ଫୁଟ୍‌ବଲ୍ ସସ୍କୃତିକୁ ବିକଶିତ କରିବାକୁ ଉଦ୍ୟମ କରିଛୁ ଏବଂ ଅନ୍ୟମାନଙ୍କ ସମର୍ଥନର ଲୋଡୁଛୁ ବୋଲି କହିଛନ୍ତି କ୍ଲବ୍ ସଦସ୍ୟ ଶୁଭମ୍ ଦାସ। ଓଡ଼ିଶା ଏଫ୍‌ସିର ଏକମାତ୍ର ଓଡ଼ିଆ ତାରକା ଅନ୍ତର୍ଜାତୀୟ ଖେଳାଳି ଶୁଭମ ଷଡ଼ଙ୍ଗୀ ମଧ୍ୟ ‘ଜଗର୍‌ନଟ୍‌ସ’କୁ ସମର୍ଥନ କରିଛନ୍ତି।

ଜୟ ପରାଜୟଠୁ ଫୁଟ୍‌ବଲ୍‌ ଊର୍ଧ୍ବରେ
ଆମେ କ୍ରିକେଟ୍‌ ଭଳି ବିଜୟ ବେଳେ ସାବାସୀ, ପରାଜୟ ବେଳେ ନିନ୍ଦାରେ ବିଶ୍ବାସ କରୁନାହୁଁ। ଫୁଟ୍‌ବଲ୍ ଭଳି ସୁନ୍ଦର ଖେଳ ବି ଏହାଠାରୁ ଢେର ଊର୍ଧ୍ବରେ। ରାଜ୍ୟରେ ଫୁଟ୍‌ବଲ୍ ସଂସ୍କୃତିରେ ବ୍ୟାପକ ପରିବର୍ତନ ସହିତ ତୃଣମୂଳ ସ୍ତରରେ ଫୁଟ୍‌ବଲ୍‌କୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ଜଗର୍‌ନଟ୍ସ କାମ କରିବ। କେବଳ ଓଡ଼ିଶା ଏଫ୍‌ସିକୁ ସମର୍ଥନ କରିବା ଲାଗି ଷ୍ଟାଡିୟମ୍ ଭରିବା କାମ ନୁହେଁ, ବରଂ ସମ୍ପୂର୍ଣ୍ଣ ୯୦ ମିନିଟ୍‌ ଧରି ଏହି ଖେଳକୁ ଉପଭୋଗ କରିବା ଏବଂ ଜୋସ୍‌ ବଳବତ୍ତର ରଖିବା ଆମ କାମ ହେବ‌ ବୋଲି କହିଛନ୍ତି ପ୍ରଜ୍ବଳ ଦାସ। ରାଜ୍ୟର ଅନ୍ୟ ଫୁଟ୍‌ବଲ୍ କ୍ଲବ୍‌ର ବିକାଶ, ପ୍ରଶିକ୍ଷଣ, ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ, ଖେଳାଳିଙ୍କ ପାଇଁ ପ୍ରାୟୋଜକ ଯୋଗାଡ଼ ଆଦି କ୍ଷେତ୍ରରେ ବି ଜଗର୍‌ନଟ୍ସ ପ୍ରମୁଖ ଭୂମିକା ତୁଲାଇବ ବୋଲି ସୂଚନା ଦେଇଛନ୍ତି। କେବଳ ସହରରେ ସୀମିତ ନ ରହି ପ୍ରତି ଜିଲ୍ଲାରେ ବି ପହଞ୍ଚିବାର ପ୍ରୟାସ ରହିବ ବୋଲି କହିଛନ୍ତି ଶ୍ରୀ ଦାସ।

‘ହର୍ ଗେମ୍ ଠୁ’
କେବଳ ଓଡ଼ିଶା ଏଫସି ନୁହେଁ ଓଡ଼ିଶାକୁ ଘର କରିଥିବା ଭାରତୀୟ ଯୁବ ଦଳ (୧୬ ଏବଂ ୧୯ ବର୍ଷରୁ କମ୍‌), ଇଣ୍ଡିଆନ୍ ଆରୋଜ୍‌କୁ ମଧ୍ୟ ସମର୍ଥନ କରିବ ଜଗର୍‌ନଟ୍ସ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଫୁଟ୍‌ବଲ୍ ଦଳର ପ୍ରତିଟି କ୍ଷଣରେ ବି ଯୋଡ଼ି ହୋଇ ରହିବ ଏବଂ ପ୍ରଚାର ଓ ପ୍ରସାରରେ ପ୍ରମୁଖ ଭୂମିକା ନେବ ଏହି କ୍ଲବ୍‌। ଓଡ଼ିଶାର ପୁରୁଷ ଓ ମହିଳା ଦଳକୁ ମଧ୍ୟ ଅନୁକରଣ କରୁଛୁ। ମହିଳା ଦଳ ଏବଂ ଖେଳାଳିକୁ ସମର୍ଥନ କରିବା ଲାଗି ‘ହର୍ ଗେମ୍‌ ଠୁ’ ବୋଲି ସ୍ଲୋଗାନ୍ ମଧ୍ୟ ରଖିଛୁ। ଭାରତୀୟ ମହିଳା ଫୁଟବଲ୍‌ର ଅଦିତି ଚୌହାନ ବି ଆମକୁ ଅନୁସରଣ କରୁଛନ୍ତି। ପଡ଼ିଆ ଭିତର ସମର୍ଥନ ଲାଗି ଆମେ ଆମେ ସଂଗୀତ, ସ୍ଲୋଗାନ,‌ ଗୋଲ୍, ତାଳି ଆଦିର ଅଲଗା ଅଲଗା‌ ଯୋଜନା ବି କରିଛୁ ବୋଲି କ୍ଲବ୍‌ ପକ୍ଷରୁ କୁହାଯାଇଛି। ଭବିଷ୍ୟତରେ ଏଥି ଲାଗି ବ୍ଲଗ୍‌ ଲେଖିବାର ପରିକଳ୍ପନା ମଧ୍ୟ କରିଛି କ୍ଲବ୍‌।

ସମ୍ବନ୍ଧିତ ଖବର