ଓଡ଼ିଶା ଏଫ୍‌ସି: ପଦାର୍ପଣରୁ ପ୍ରତିଜ୍ଞା

ଓଡ଼ିଶା ଫୁଟ୍‌ବଲ୍‌କୁ ଫାଇଦା

ଭୁବନେଶ୍ବର: ଭାରତର ଶ୍ରେଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତା ତଥା ବିଶ୍ବସ୍ତରୀୟ ଦୌଡ଼ରେ ସାମିଲ ହୋଇଥିବା ‘ଇଣ୍ଡିଆନ୍ ସୁପର୍‌ ଲିଗ୍‌’ର ଷଷ୍ଠ ଋତୁ ଶନିବାର ଶେଷ ହୋଇଛି। ଓଡ଼ିଶା ଫୁଟ୍‌ବଲ୍‌ ପାଇଁ କିନ୍ତୁ ବୈପ୍ଳବିକ ପରିବର୍ତନର ପ୍ରତିଶ୍ରୁତି ଦେଇଛି ଚଳିତ ଋତୁରେ ପଦାର୍ପଣ କରିଥିବା ‘ଓଡ଼ିଶା ଏଫ୍‌ସି’। ପ୍ରଥମ ଋତୁରେ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥିବା ‘ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌’ ଉଲ୍ଲେଖନୀୟ ଭାବେ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ଲିଗ୍ ପର୍ଯ୍ୟାୟରେ ୧୮ ମ୍ୟାଚ୍‌ ଖେଳି ୧୧ଟିରେ ଅପରାଜିତ ରହିଥିଲା ଏହି ନୂଆ ଦଳ। ୭ ବିଜୟ, ୪ ଅମୀମାଂସିତ ସହିତ ୭ ପରାଜୟରେ ସୀମିତ ରହି ଅଳ୍ପକେ ପ୍ଲେ ଅଫ୍‌ ‌ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଋତୁ ପ୍ରାରମ୍ଭରୁ କଳିଙ୍ଗ ଷ୍ଟାଡିୟମ୍‌ରେ ସ‌ୁଯୋଗ ନ ପାଇବାରୁ ପୁନେରେ ନିଜର ପ୍ରଥମ ୩ ଘରୋଇ ମ୍ୟାଚ୍‌ ଖେଳିଥିଲା ଦଳ। ଶେଷ ଭାଗକୁ ପ୍ରମୁଖ ଖେଳାଳି ଆରିଡାନ୍‌ ସାଣ୍ଟାନାଙ୍କୁ ଆହତ କାରଣରୁ ହରାଇବା ଫଳରେ ଦଳର ଜୟଯାତ୍ରା ଅଟକିଯାଥିଲା। ତଥାପି ପରବର୍ତୀ ଋତୁ ପୂର୍ବରୁ ପ୍ରତିଜ୍ଞା ଓ ପ୍ରତିଶ୍ରୁତିବଦ୍ଧତାର ଅନେକ ପ୍ରମାଣ ଛାଡ଼ିଯାଇଛି ଏହି ଘରୋଇ ଦଳ।

ଓଡ଼ିଶା ଏଫ୍‌ସି ଦଳ
ଗୋଲରକ୍ଷକ: ଅଙ୍କିତ ଭୂ୍ୟାଁ, ଅର୍ଶଦୀପ ସିଂହ, ଫ୍ରାନସିସ୍କୋ ଡେରୋନ୍‌ସୋରୋ। ରକ୍ଷଣଭାଗ: ଅମିତ ଟୁଡୁ, କାର୍ଲୋସ ଡେଲଗାଡୋ, ଗୌରବ ବୋରା, ଲାଲଚୁଆଁମାୱିଆ, ମହମ୍ମଦ ଧୂତ, ନାରାୟଣ ଦାସ, ଗରମି ରାଣା, ଶୁଭମ ଷଡ଼ଙ୍ଗୀ। ପୁରୋଭାଗ: ବିକ୍ରମଜିତ୍‌ ସିଂହ, ଡିୱାନଦୋ ଡାଏଗ୍ନ, ସିସ୍କା ହର୍ଣ୍ଣାଣ୍ଡେଜ୍‌, ଜେରି ମାୱିମିଙ୍ଗଥଙ୍ଗା, ଲାଲରେଜୁଆଲା ସୈଲୁଙ୍ଗ, ମାର୍କୋଟ ଟେବର, ମାର୍ଟିନ ଗୁଏଡସ୍, ନନ୍ଦକୁମାର ସେକର, ରୋମିଓ ଫର୍ନାଣ୍ଡେଜ୍‌, ସିଭିଏଲ୍‌ ‌‌ରେମ୍‌ଲୁଆଙ୍ଗା, ଭିନିତ ରାଏ। ଅଗ୍ରଭାଗ: ଡାନିଏଲ୍‌ ଲାହଲିମ୍ପୁଆ, ଡାନିଏଲ୍‌ ଆରଡାନ୍‌/ମାନୁଏଲ୍ ଓନୁ, ସିମିନମାଙ୍ଗ ମଞ୍ଚୋଙ୍ଗ। ମୁଖ୍ୟ ପ୍ରଶିକ୍ଷକ: ଯୋସେପ୍‌ ଗମ୍ଭାୟୁ, ସହକାରୀ: ଥାଙ୍ଗବୋଇ ସିଙ୍ଗ୍‌ତୋ।

ସେପ୍ଟେମ୍ବରରୁ ସପ୍ତମ ଋତୁ
ଶନିବାର ୨୦୧୯-୨୦ ଋତୁ ଆଇଏସ୍‌ଏଲ୍‌ ଶେଷ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବରରୁ ସପ୍ତମ ଋତୁର ଶୁଭାରମ୍ଭ ହେବ। ‌ତେଣୁ ଖେଳାଳିଙ୍କ ପାଇଁ ବାସ୍ତବରେ ମାତ୍ର ୪ ମାସର ବିରାମ ମିଳିବ। ଜୁଲାଇ ମାସରୁ ପ୍ରାକ୍ ଋତୁ ପ୍ରସ୍ତୁତି କରିବ ଓଡ଼ିଶା ଏଫ୍‌ସି। ଅଫ୍‌ ସିଜନ୍‌ରେ ଆମ ପାଇଁ ବେଶି କାମ ଥାଏ ବୋଲି କୁହନ୍ତି ଓଡ଼ିଶା ଏଫ୍‌ସି ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ସାହ। ଯୁବ ଦଳ ଦିଲ୍ଲୀରୁ ଭୁବନେଶ୍ବର ଆସିବ, ଆମର ରିଜର୍ଭ ଦଳ ବି ପ୍ରସ୍ତୁତ ହେବ। ବ୍ୟାବସାୟିକ ଚୁକ୍ତି, ପ୍ରତିଭା ଅନ୍ବେଷଣ, ତୃଣମୂଳସ୍ତରୀୟ ଫୁଟ୍‌ବଲ୍‌ ବିକାଶ, ଯୁବ ଓ କନିଷ୍ଠ ଦଳର ପ୍ରସ୍ତୁତି ଆଦି କାମ ରହିବ ବୋଲି ସେ ପ୍ରକାଶ କରିଥିଲେ।

ଭୁବନେଶ୍ବର: ଓଡ଼ିଶା ଏଫ୍‌ସିର ଅଭ୍ୟୁଦୟ ରାଜ୍ୟ ଫୁଟ୍‌ବଲ୍‌କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଫାଇଦା ଦେବ ବୋଲି ବିଶ୍ବାସ ଆସିଛି। ଆଇଏସ୍‌ଏଲରେ ଏକ ଓଡ଼ିଶା ଦଳ ଖେଳିବା ରାଜ୍ୟରେ ଫୁଟ୍‌ବଲ୍‌ର ଲୋକପ୍ରିୟତା ବଢ଼ାଇବ। ଓଡ଼ିଶା ଏଫ୍‌ସି ମଧ୍ୟ ତୃଣମୂଳସ୍ତରରେ ଫୁଟ୍‌ବଲ୍‌ର ବିକାଶ କରିବା ସହିତ ପ୍ରତିଭା ଅନ୍ବେଷଣ କରିବ। ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା କାମ ମଧ୍ୟ ଆରମ୍ଭ ହୋଇସାରିଛି। ଆଇଏସ୍ଏଲ୍‌ ଷ୍ଟାଇଲ୍‌ରେ ଯୁବ ଦଳକୁ ବି ତାଲିମ ପ୍ରଦାନ କରାଯାଉଛି। ଆଗକୁ ଓଡ଼ିଶା ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା କାମ ମଧ୍ୟ କରିବ ଓଡ଼ିଶା ଏଫ୍‌ସି। ‘ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ଯୁବ ସମ୍ପ୍ରଦାୟ ହକି ଭଳି ଫୁଟ୍‌ବଲ୍‌କୁ ମଧ୍ୟ ଭଲ ପାଇବା ଦେଉଛନ୍ତି। ବିଶ୍ବର ଏହି ଲୋକପ୍ରିୟ ଖେଳକୁ ଅନୁସରଣ କରୁଛନ୍ତି। ଆମ କ୍ଲବ୍‌ ସହ‌ ସେମାନଙ୍କୁ ଯୋଡ଼ିବା ଯୋଜନା କରାଯାଉଛି। କ୍ଲବ୍‌, ରାଜ୍ୟ ପାଇଁ ଖେଳିବା ପରେ ଦେଶର ପ୍ରତିନିଧିତ୍ବ କରିବା ମୁଖ୍ୟ ଆଭିମୁଖ୍ୟ’ ବୋଲି ‘ସମ୍ବାଦ’ ସହିତ କଥାହେବା‌ ବେଳେ କହିଥିଲେ ଆଶିଷ ସାହ। ରାଜ୍ୟ ସଂଘ (ଫାଓ) ଏବଂ ଆମ ଲକ୍ଷ୍ୟ ଏକା। ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ଉଭୟଙ୍କ ଆଭିମୁଖ୍ୟ। ଏକାଡେମି, ଫୁଟ୍‌ବଲ୍‌ ମହୋତ୍ସବ ଜରିଆରେ ଆମେ ମିଳିତ ଭାବେ କାମ କରିବାର ଯୋଜନା ରହିଛି‌ ବୋଲି ସେ ସୂଚନା ଦେଇଥିଲେ।

ଆରମ୍ଭ ମାତ୍ର, ଯୁବ‌ ଖେଳାଳିଙ୍କୁ ଗଢ଼ିବା ଲକ୍ଷ୍ୟ: ଗମ୍ଭାୟୁ
ବିଦାୟୀ ଋତୁ ସକାରାତ୍ମକ ବିତିଛି। ଏକ ସୁନ୍ଦର କ୍ଲବ୍‌ ପାଇଁ ଏହା ଆରମ୍ଭ ମାତ୍ର। ଅନେକ କଷ୍ଟସାଧ୍ୟ ପଥ ଦେଇ ଗତି କରିଥିଲୁ। ପ୍ରଥମ ୯ ମ୍ୟାଚ୍‌ ବାହାରେ ‌ଖେଳିବାକୁ ପଡ଼ିଥିଲା। ଭୁବନେଶ୍ବର ଆସିବା ପରେ ୬ରୁ ୪ ଜିତିଥିଲୁ। ଯୁବ ଖେଳାଳିଙ୍କୁ‌ ନେଇ ଆମେ ଭଲ ଫୁଟ୍‌ବଲ୍‌ ଖେଳିଲୁ। ସେମିଫାଇନାଲ୍ ଯୋଗ୍ୟତା ପାଇଁ ଢେର ଲଢ଼େଇ କରିଥିଲୁ। ଦଳର ପ୍ରଶିକ୍ଷକ ଭାବେ ମୁଁ ଖୁସି ଏବଂ ଗର୍ବିତ ବୋଲି କହିଛନ୍ତି ଯୋସେପ୍‌ ଗମ୍ଭାୟୁ। ଆମେ ଏକ ଦର୍ଶନରେ ବିଶ୍ବାସ ରଖି ଦଳ ଗଢ଼ିଥିଲୁ। ଅନେକ ଯୁବ ଖେଳାଳିଙ୍କୁ ନେଇଥିଲୁ। ଆମେ କେବଳ ଅଭିଜ୍ଞ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିବାର ଦଳ ନ ଥିଲୁ। ଯୁବ ଖେଳାଳିଙ୍କ ସହ କାମ କରିବାକୁ ମୁଁ ପସନ୍ଦ କରେ। ୧୮ ବର୍ଷୀୟ ଶୁଭମ ଷଡ଼ଙ୍ଗୀ ପ୍ରାୟ ସମସ୍ତ ମ୍ୟାଚ୍‌ ଫୁଲବ୍ୟାକ୍‌ ଭାବେ ଖେଳିଲେ।‌ ଗୌରବ ବୋରା ୧୦ ମ୍ୟାଚ୍ ଏବଂ ଭିନିତ ରାଏ,‌ ଜେରି ମାହିମିଙ୍ଗଥାଙ୍ଗାଙ୍କ ଭଳି ଯୁବ ଖେଳାଳିଙ୍କୁ ପାଇବା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ଆରିଡାନ୍‌ ସାଣ୍ଟାନାଙ୍କ ଆହତ ସମସ୍ୟା ଶେଷ ଆଡକୁ ଆମ ପାଇଁ ବଡ଼ କ୍ଷତି ପହଞ୍ଚାଇଥିଲା, ତାଙ୍କ ବଦଳରେ ଆସିଥିବା ଓନୁ ଚମତ୍କାର ଖେଳିଥିଲେ। ଭୁବନେଶ୍ବର ପ୍ରଶଂସକ ଆମକୁ ଭଲରେ ନେଇଥିଲେ। ଆସନ୍ତା ଋତୁକୁ ସୁବିଧା ସ‌ୁଯୋଗ ଭଲ ହୋଇଯାଇଥିବ ବୋଲି ଆଶା କରିଥିଲେ ଗମ୍ଭାୟୁ।

ସରକାର, ପ୍ରା‌ୟୋଜକ ଖୁସି: ରୋହନ ଶର୍ମା
ଓଡ଼ିଶା ଏଫ୍‌ସିର ପ୍ରଥମ ଋତୁର ପ୍ରଦର୍ଶନକୁ ନେଇ ଖୁସି ଅଛନ୍ତି ଏହାର ପ୍ରବାସୀ ଭାରତୀୟ ମାଲିକ ରୋହନ ଶର୍ମା। ପ୍ରଥମରୁ ଆମ ଯାତ୍ରା କଷ୍ଟକର ଥିଲା, ପଡିଆ ସମସ୍ୟା କାରଣରୁ ବାହାରକୁ ଯିବାକୁ ପଡ଼ିଥିଲା। ଦଳର ଯାତ୍ରାକୁ ନେଇ ଖୁସି। ଆମକୁ ମିଶ୍ରିତ ପ୍ରଦର୍ଶନ ମିଳିଛି। ତଥାପି ଦକ୍ଷତା ଥିବାର ପ୍ରମାଣ ଛାଡ଼ିଦେଇଛୁ। ଦଳର ପ୍ରଦର୍ଶନ ଓ ଅଗ୍ରଗତିରେ ସରକାର ଖୁସି, ପ୍ରା‌ୟୋଜକ ଖୁସି, ପ୍ରଶଂସକ ବି ଖୁସି। ଦଳ ଏକ ବଡ଼ ଲମ୍ଫ ମାରିଛି। ‌ଖେଳାଳି ଓ ପ୍ରଶଂସକମାନେ ମଧ୍ୟ ଏହି ଋତୁକୁ ଢେର ଉପଭୋଗ କରିଛନ୍ତି। ଯଥା ସମ୍ଭବ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି। ଆଗାମୀ ଋତୁ ପାଇଁ ଭଲ ପ୍ରଦର୍ଶନର ପ୍ରତିଶ୍ରୁତି‌ ଦେଇ ହେଉଛି। ଭୁବନେଶ୍ବର କ୍ରମେ ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହେଉଥିବାରୁ ଓଡ଼ିଶାର ପର୍ଯ୍ୟଟନକୁ ନେଇ ମଧ୍ୟ କ୍ରୀଡ଼ା ପର୍ଯ୍ୟଟନର ପରିକଳ୍ପନା କରାଯାଉଛି ବୋଲି କହିଥିଲେ ରୋହନ।

ଓଡ଼ିଶା ଆସିବା ନିଷ୍ପତ୍ତି ଯଥାର୍ଥ: ଆଶିଷ ସାହ
ବିଦାୟୀ ଋତୁ ଉତ୍ସାହଭରା ବିତିଛି। ତଥାପି ପ୍ରଥମରୁ ବଡ଼ ଆହ୍ବାନଭରା ଥିଲା। ଭୁବନେଶ୍ବର ଆସିବା‌ ବେଳକୁ ପଡିଆ ପ୍ରସ୍ତୁତ ନଥିଲା, ଫଳରେ ପୁନେ ଯିବାକୁ ପଡ଼ିଥିଲା। ପିଚ୍‌ ବି ଯେଭଳି ରହିବା କଥା ସେଭଳି ସଠିକ୍ ନଥିଲା। କିନ୍ତୁ ଗୋଟିଏ ଦଳ ଭାବେ ଆମେ ଏସବୁର ମୁକାବିଲା କରି ଆଗକୁ ବଢ଼ିଥିଲୁ। ଫଳାଫଳ ବି ଭଲ ମିଳିଛି। ଫଳରେ ନୂଆଦିଲ୍ଲୀରୁ ଓଡ଼ିଶା ଆସିବା ନିଷ୍ପତ୍ତି ଯଥାର୍ଥ ସାବ୍ୟସ୍ତ ହୋଇଥିବାରୁ ଖୁସି ଲାଗୁଛି। ଆଶା ଅନୁସାରେ ବ୍ୟାବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଫାଇଦା ହୋଇଛି। ପ୍ରାୟୋଜକମାନେ ବି ସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶଂସକମାନଙ୍କୁ ସ୍ବୀକୃତି ମିଳିଛି। ଏବେ ଆମ ଖେଳାଳି ବଜାର, ସିନେମା କି ମଲ୍‌କୁ ଗଲେ ଲୋକମାନେ ସେମାନଙ୍କୁ ଚିହ୍ନି ପାରୁଛନ୍ତି ଏବଂ ସେଲଫି ନେବାକୁ ବି ଆଗ୍ରହ ‌ଦେଖାଉଛନ୍ତି ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ସାହ। ‌ଆମେ ‌ପ୍ଲେ ଅଫ୍‌ର ନିକଟତର ହୋଇ ମଧ୍ୟ ପହଞ୍ଚିପାରିନଥିଲୁ। ଏକମାତ୍ର ଦଳ ଭାବେ ଘରୋଇ ମ୍ୟାଚ୍‌ର ଫାଇଦା ପାଇପାରିନଥିଲୁ। ପ୍ରଥମ ୯ ମ୍ୟାଚ୍‌ ବାହାରେ ଖେଳିବାକୁ ପଡ଼ିଥିଲା। ପ୍ରଥମ ଦୁଇ ମ୍ୟାଚ୍‌ ଯେଭଳି ଖେଳିଥିଲୁ ବିଜୟୀ କିମ୍ବା ଅମୀମାଂସିତ ପାଇବାର ଥିଲା। ସମସ୍ତ ୯ ମ୍ୟାଚ୍‌ ଘରୋଇ ପରିବେଶରେ ଖେଳିଥିଲେ ଅଧିକ ଗୋଟିଏ ଦୁଇଟି ବିଜୟ ଆମକୁ ପ୍ଲେ ଅଫ୍ ପହଞ୍ଚାଇ‌ ପାରିଥାନ୍ତା ବୋଲି କହିଥିଲେ ଆଶିଷ। କାତାର ବିପକ୍ଷ ବିଶ୍ବକପ୍‌ ଯୋଗ୍ୟତା ମ୍ୟାଚ୍‌ ପାଇଁ ଭାରତୀୟ ସମ୍ଭାବ୍ୟ ଦଳରେ ୪ ଜଣ ଓଡ଼ିଶା ଏଫ୍‌ସି ଖେଳାଳି ସ୍ଥାନ ପାଇବା ଯୁବ ଖେଳାଳିଙ୍କୁ ଆମେ ଗୁରୁ୍ତ୍ବ ଦେବାର ପ୍ରମାଣ ବୋଲି କହିଥିଲେ ଆଶିଷ।

ସମ୍ବନ୍ଧିତ ଖବର