କଳିଙ୍ଗ ହ୍ୟାଟ୍ରିକ୍ ଦେଲା ପ୍ଲେ ଅଫ୍ ଆଶା: ମୁମ୍ବାଇ ସିଟିକୁ ୨-୦ରେ ହରାଇଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର, ୧୧ା୧ (ଇମିସ): ଜାମସେଦପୁର ଏଫ୍‌ସି (୨-୧), ଚେନ୍ନାୟିନ୍‌ ଏଫ୍‌ସି (୨-୦) ପରେ ମୁମ୍ବାଇ ସିଟି ଏଫ୍‌ସିକୁ (୨-୦) ଗୋଲ୍‌ରେ ପିଟି ଓଡ଼ିଶା ଏଫ୍‌ସି ନିଜ ଅସଲ ଘରୋଇ ପଡିଆ କଳିଙ୍ଗ ଷ୍ଟାଡିୟମରେ ହ୍ୟାଟ୍ରିକ୍ କରିଛି। ଏଥି ସହିତ ଚଳିତ ଋତୁରେ ପଞ୍ଚମ ବିଜୟ ସହ ଶୀର୍ଷ ୪ ଭିତରକୁ ପ୍ରଥମ ଥର ପ୍ରବେଶ କରି ଇଣ୍ଡିଆନ୍‌ ସୁପର୍ ଲିଗ୍‌ (ଆଇଏସ୍ଏଲ୍‌) ପ୍ଲେ ଅଫ୍‌ ଦୌଡ଼ରେ ନିଜକୁ ସାମିଲ କରି ନେଇଛି। କଳିଙ୍ଗରୁ ମଧୁର ସ୍ମୃତି ନେଇଥିବା ଓଡ଼ିଶା ଏଫ୍‌ସି ନିଜର ପରବର୍ତୀ ୨ ମ୍ୟାଚ୍ ରାଜ୍ୟ ବାହ‌‌ାରେ ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଯଥାକ୍ରମେ ହାଇଦ୍ରାବାଦ ଏଫ୍‌ସି (ଜାନୁିଆରି୧୫) ଓ ବେଙ୍ଗାଲୁରୁ ଏଫ୍‌ସି (ଜାନୁଆରି ୨୨) ସହିତ ଖେଳି କଳିଙ୍ଗ ଫେରିବ। ଜାନୁଆରି ୨୯ରେ ପରବର୍ତୀ ଘରୋଇ ମ୍ୟାଚ୍‌ ଗୋଆ ଏଫ୍‌ସି ସହିତ ଖେଳିବ।
ଶନିବାର ହଳଦିଆ ଜର୍ସିରେ ଆସିଥିବା ମୁମ୍ବାଇ ସିଟି ଏଫ୍‌ସି ଟସ୍ ଜିତି ହକି ଷ୍ଟାଡିୟମ୍‌ ପାର୍ଶ୍ବକୁ ପ୍ରଥମ ୪୫ ମିନିଟ୍‌ ଖେଳିବାକୁ ପସନ୍ଦ କରିଥିଲା। ପ୍ରଥମ ୧୫ ମିନିଟ୍‌ ଖେଳ ମାନ୍ଦା ରହିବା ପରେ କ୍ରମେ ଗତିଶୀଳ ହୋଇଥିଲା। ମୁମ୍ବାଇ ପାଇଁ ପର୍ତ୍ତୁଗିଜ୍‌ ମିଡ୍‌ଫିଲ୍ଡର ମୋଦୋୟୁ ସୌଗୁଧରେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ରୂପାନ୍ତର କରିପାରି ନଥିଲେ। ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ଓଡ଼ିଶା ଏଫ୍‌ସି ଚମତ୍କାର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ମେଳିରୁ ପ୍ରତିପକ୍ଷ ଡିଫେଣ୍ଡରମାନେ ବଲ୍‌କୁ କ୍ଲିୟର କରି ନେଇଥିଲେ। ପରବର୍ତୀ ୩/୪ ମିନିଟ୍‌ ମଧ୍ୟ ଓଡ଼ିଶା ଏଫ୍‌ସି ବଲ୍‌କୁ ମୁମ୍ବାଇ ଗୋଲ୍‌ ଆଗରେ ରଖିବାରେ ସକ୍ଷମ ହୋଇଥିଲା। ମିଡ୍‌ଫିଲଡର୍ ନନ୍ଦକୁମର ଏସ୍‌ଙ୍କ ନିଶ୍ଚିତ ଗୋଲ୍‌ ସଟ୍‌କୁ କିନ୍ତୁ ମୁମ୍ବାଇ ଗୋଲି ଅମ୍ରିନ୍ଦର ସିଂହ ବଞ୍ଚାଇ ନେଇଥିଲେ। ପ୍ରଥମାର୍ଧ ଗୋଲଶୂନ୍ୟ ବିତିଥିଲା।
ଦ୍ବିତୀୟାର୍ଧ କିନ୍ତୁ ପ୍ରଥମରୁ ଘଟଣାବହୂଳ ରହିଥିଲା। ମୁମ୍ବାଇ ସିଟିର ପ୍ରତୀକ ହଳଦିଆ କାର୍ଡ ପାଇବାର ପରବର୍ତୀ ମିନିଟ୍‌ରେ ହିଁ ଓଡ଼ିଶାକୁ ତାରକା ଖେଳାଳି ଆରିଡାନ୍ ସାଣ୍ଟାନା ୧-୦ରେ ଆଗୁଆ କରିନେଇଥିଲେ। ନିଜ ସ୍ପେନୀୟ ସାଥୀ ଫ୍ରାନ୍‌ସିସ୍କୋ ମାର୍କସ ହର୍ଣ୍ଣାଣ୍ଡେଜ୍‌ଙ୍କ ପାସ୍‌ରୁ ହିଁ ସାଣ୍ଟାନା ଚଳିତ ଋତୁରେ ନିଜ ସପ୍ତମ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ କ୍ରମେ ଆକ୍ରମଣ ଓ ପ୍ରତିଆକ୍ରମଣ ଭରା ହୋଇଯିବାରୁ ଏକାଧିକ ହଳଦିଆ କାର୍ଡ ପାଇଥିଲେ ଉଭୟ ଦଳର ଖେଳାଳି। ଓଡ଼ିଶା ଏଫ୍‌ସି କିନ୍ତୁ ପ୍ରଂଶସକ କ୍ଲବ୍‌ ଜଗରନଟ୍ସର ସମର୍ଥନରେ ଉତ୍ସାହିତ ହୋଇ ୭୪ତମ ମିନିଟ୍‌ରେ ମ୍ୟାଚ୍‌କୁ ୨-୦ରେ ପରିଣତ କରି ଦେଇଥିଲା। ପ୍ରଥମ ଗୋଲ୍‌ର ପ୍ଲେ ମେକର୍‌ ଫ୍ରାନ୍‌ସିସ୍କୋ ମାର୍କସ ହର୍ଣ୍ଣାଣ୍ଡେଜ୍ ଏଥର ନିଜେ ଗୋଲ୍‌ ଦେଇଥିଲେ। ପ୍ରଥମ ଗୋଲ୍‌ର ପାଲଟା ସ୍ଥିତି ଭଳି ଏଥର ସାଣ୍ଟାନା ଥିଲେ ‌ପ୍ଲେ ମେକର। ଏହା ପରେ ଓଡ଼ିଶା ଏଫ୍‌ସି ଖେଳାଳିମାନେ ଆଉ ରକ୍ଷଣାତ୍ମକ ନ ଖେଳି ପୂର୍ବ ଭଳି ଆକ୍ରମଣ ଜାରି ରଖିଥିଲେ। ମୁମ୍ବାଇ ସିଟି କିନ୍ତୁ ନିଜ କୌଶଳରେ ନିଷ୍ଫଳ ରହିବାରୁ କଳା ଜର୍ସିରେ ଥିବା ଓଡ଼ିଶା ଏଫ୍‌ସି ପୂରା ପଏଣ୍ଟ୍ ନେଇଯାଇଥିଲା। ଫ୍ରାନ୍‌ସିସ୍କୋ ମାର୍କସ ହର୍ଣ୍ଣାଣ୍ଡେଜ୍‌ ମ୍ୟାଚ୍‌ର ଏବଂ ବିଜୟୀ ପାସ୍‌ ପୁରସ୍କାର ପାଇଥିଲେ। ଜେରି ଉଦୀୟମାନ ଏବଂ ସାଣ୍ଟାନା ମ୍ୟାଚ୍‌ ନାୟକ ସମ୍ମାନ ଗ୍ରହଣ କରିଥିଲେ।

ଓଡ଼ିଶାର ବିଦେଶୀ ମାଲିକ ଦେଖିଲେ ମ୍ୟାଚ୍
ଓଡ଼ିଶା ଏଫ୍‌ସିର ପ୍ରବାସୀ ଭାରତୀୟ ମାଲିକ ଡକ୍ଟର ଅନିଲ ଶର୍ମାଙ୍କ ଆବିର୍ଭାବକୁ ଦଳ ବି ଶନିବାର ନିରାଶ କରିନଥିଲା। ପତ୍ନୀ ଫରିବା ଶର୍ମା ଓ ପୁତ୍ର ତଥା ନିର୍ଦେଶକ ରୋହନ ଶର୍ମା ବି କଳିଙ୍ଗ ଷ୍ଟାଡିୟମ୍‌ ଭିଆଇପି ଗ୍ୟାଲେରିକୁ ଆକର୍ଷଣୀୟ କରିଥିଲେ। ତାଙ୍କର ଅନ୍ୟ ସମ୍ପର୍କିୟ କୋମଲକାନ୍ତ ଶର୍ମା, ନୀତା ଦତ୍ତା, ସୁଷମା ଦତ୍ତା, ଅଜୟ ବାଲି, ରେଣୁ ବାଲି, ଜୟ ବାଲି ମଧ୍ୟ ଉପସ୍ଥିତ ଥିଲେ। ଅତିଥିଭାବେ କିନ୍ତୁ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗ ଦେଇଥିଲେ। ଭିଆଇପି ଗ୍ୟାଲେରିରେ ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମଧ୍ୟ ମ୍ୟାଚ୍‌ର ମଜା ନେଇଥିଲେ।

ପ୍ରଶଂସକଙ୍କୁ ଜାଗିଲା ଜଗରନଟ୍ସ
ଓଡ଼ିଶା ଏଫସିର ସ୍ବୀକୃତିପ୍ରାପ୍ତ ପ୍ରଶଂସକ କ୍ଲବ୍‌ ଜଗରନଟ୍ସ ପାଇଁ ସିରାଜୁଦ୍ଦିନ୍ ଷ୍ଟାଣ୍ଡ୍‌ ଭରପୁର ଥିଲା। ନୂଆ ରୂପରେ ଆସିଥିବା ଜଗରନଟ୍‌ସ ଦଳ ଡ୍ରମ୍‌ ବଜାୟ ପ୍ରତି ଷ୍ଟାଣ୍ଡ୍‌ ବୁଲି ବୁଲି ପ୍ରଶଂସକଙ୍କୁ ଜାଗ୍ରତ ଏବଂ ଉତ୍ସାହିତ କରିବାର ଭିନ୍ନ ପରମ୍ପରା ଆଣିଥିଲେ।

ସମ୍ବନ୍ଧିତ ଖବର