ଭୁବନେଶ୍ବର: ଓଡ଼ିଶାର ପ୍ରଥମ ତଥା ଏକମାତ୍ର ପେସାଦାର ଫୁଟ୍ବଲ୍ କ୍ଲବ୍ ‘ଓଡ଼ିଶା ଏଫ୍ସି’ର ଭବିଷ୍ୟତକୁ ନେଇ ସଂଶୟ ଜାରି ରହିଛି। ରାଜ୍ୟରେ କ୍ଷମତାସୀନ ନୂଆ ସରକାର ଏବଂ ଓଡ଼ିଶା ଏଫ୍ସି କ୍ଲବ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକପ୍ରକାର ଶୀତଳଯୁଦ୍ଧ ଚାଲିଛି। ଗତ ଜାନୁଆରି ମାସ ପ୍ରଥମ ସପ୍ତାହରେ ‘ସମ୍ବାଦ’ରେ ‘ଓଡ଼ିଶା ଛାଡ଼ିବ ଓଡ଼ିଶା ଏଫ୍ସି’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଆଶଙ୍କା କରାଯାଇଥିଲା ସରକାରଙ୍କ ସହ ବୁଝାମଣାପତ୍ର ନବୀକରଣ ହୋଇ ନଥିବାରୁ ଏହି କ୍ଲବ୍ ଛାଡ଼ି ପଳାଇବ। ତେବେ ସରକାରଙ୍କ ସମର୍ଥନ କାରଣରୁ ବିନା ବୁଝାମଣାପତ୍ରରେ ବି ୨୦୨୪-୨୫ ଋତୁ ଖେଳିଲା ଓଡ଼ିଶା ଏଫ୍ସି। ଶୁକ୍ରବାର କିନ୍ତୁ ଓଡ଼ିଶା ଏଫ୍ସିର ମାଲିକ ରୋହନ ଶର୍ମା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କରିଥିବା ବିଷୋଦ୍ଗାର ପୁଣି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବର୍ତ୍ତମାନର ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ରୋହନ ସରକାରୀ ଷଡ଼୍ଯନ୍ତ୍ରକୁ ନେଇ ସନ୍ଦିହାନ ଥିବା ପ୍ରକାଶ କରିଛନ୍ତି।
ଶୁକ୍ରବାର ‘ଏକ୍ସ’ରେ ଏମିତି ଲେଖିଛନ୍ତି ରୋହନ ଶର୍ମା-‘ଚଳିତ ଋତୁରେ କ୍ଲବ୍ ଲାଇସେନ୍ସ ଅର୍ଜନରେ ବିଫଳ ହେବାକୁ ଯାଉଛି। ଦୁର୍ଭାଗ୍ୟଜନକ ଭାବେ ସରକାରଙ୍କଠାରୁ ଷ୍ଟାଡିୟମ୍ ଓ ଅଭ୍ୟାସ ପଡ଼ିଆ ବ୍ୟବହାର ପାଇଁ ଏ ପର୍ଯ୍ୟନ୍ତ କୌଣସି ଚିଠି ଆସିନାହିଁ। ବୁଝାମଣାପତ୍ର ସମ୍ପର୍କରେ ଏକାଧିକ ଥର ବ୍ୟକ୍ତିଗତ ଭାବେ ଓ ଚିଠି ମାଧ୍ୟମରେ ଯୋଗାଯୋଗ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସମ୍ମତି ମିଳିପାରିନାହିଁ। ମୁଁ ବ୍ୟକ୍ତିଗତ ଭାବେ ବି ବରିଷ୍ଠ ମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରି ବିଫଳ ହୋଇଛି। ସରକାର ସମ୍ଭବତଃ ଆମେ ଆଉ ଓଡ଼ିଶାରେ ନ ରହିବା ଭଳି ଅନୁଭବ ଦେଇଛନ୍ତି। ଆମେ ନମ୍ରତା ଓ ସମ୍ମାନର ସହ ସବୁ ଚେଷ୍ଟା କରିଛୁ। ସରକାର ଚାହୁଛନ୍ତି ୨୦୨୯ ବୁଝାମଣାପତ୍ର କାଏମ ରହୁ। ଯାହା ପଛରେ କିଛି ଯୁକ୍ତିସଂଗତ କାରଣ ନାହିଁ। ଆମେ ରାଜନୀତିରେ ନଥିଲେ ମଧ୍ୟ ଆମ ପ୍ରତି ଏକ ପ୍ରୋ ବିଜେଡ଼ି ଧାରଣା ରହିଛି। ମୁଁ ଆମେରିକାର ନାଗରିକ, ଦୁବାଇରେ ବ୍ୟବସାୟ କରେ ଏବଂ ଭାରତରେ ଫୁଟ୍ବଲ୍ କ୍ଲବ୍ରେ ପୁଞ୍ଜିନିବେଶ କରିଛୁ। ଗତବର୍ଷ ସରକାର ବଦଳିଯିବା ପରେ ସେମାନେ ପ୍ରାକ୍ଟିସ୍ ପଡ଼ିଆ ଭେଣ୍ଡରକୁ ବଦଳାଇ ଦେଇଥିଲେ। ପୂର୍ବ ଭେଣ୍ଡର୍ ଫିଫା ଅନୁମୋଦିତ ଥିଲା, ନୂଆ ଭେଣ୍ଡର୍ କିନ୍ତୁ ଦୁର୍ବଳ ପରିଚାଳନା କରିଥିଲେ। ଏପରିକି ପିଚ୍ରୁ ଘାସ କାଟିବାକୁ ଭୁଲିଯାଉଥିଲେ। ଏଭଳି କିଛି ନ ଘଟୁ ବୋଲି ମୁଁ ବିଶ୍ବାସ ରଖୁଛି। ବୁଝାମଣାପତ୍ର ଜରିଆରେ ଆମ ସମ୍ପର୍କକୁ ଦୃଢ଼ କରିବା ସହ ଏକାଠି କାମ କରିପାରିବୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ ଯଦି ଚାହୁନାହାନ୍ତି ତେବେ ଜଣାଇଦେଲେ ମୁଁ ତଦନୁଯାୟୀ ଯୋଜନା କରିବି। ଟ୍ରେନିଂ ଗ୍ରାଉଣ୍ଡ୍ ଓ ଷ୍ଟାଡିୟମ୍ ପାଇଁ ଆମେ ଅର୍ଥ ଦେବାକୁ ପ୍ରସ୍ତୁତ ଅଛୁ। ମୁଁ ଏଭଳି କରି ଖୁସି ହେବି। କିନ୍ତୁ ଏଭଳି ଭାବେ କୌଣସି ଷଡ଼୍ଯନ୍ତ୍ର ନ ହେଉ। ଅତୀତ ଅତୀତ ହୋଇଗଲାଣି। ନୂଆ ଅଧ୍ୟାୟର ବେଳ ଉପନୀତ। କିନ୍ତୁ ଗୋଟିଏ ଟେବୁଲ୍ରେ ସେମାନେ (ସରକାର) ବସିବା ଜରୁରି। ସରକାର ଓ କ୍ଲବ୍ ଏକାଠି ଥିବାବେଳେ ସଫଳତା ମିଳିଛି। ଷ୍ଟାଡିୟମ୍ ନ ମିଳିଲେ ଓଡ଼ିଶାରେ କିଭଳି ଖେଳିବୁ? ସରକାର ଏହାକୁ ଗମ୍ଭୀରତାର ସହ ନେବାକୁ ମୁଁ ଅନୁରୋଧ କରୁଛି। ଓଡ଼ିଶାରେ ଫୁଟ୍ବଲ୍ର ବିକାଶ ପାଇଁ ମୁଁ ଏଠାକୁ ଆସିଛି, ଏହା ବିରୋଧରେ କାମ କରିବାକୁ ନୁହେଁ। ଚଳିତ ବର୍ଷ ମୁଁ କଥା ଦେଉଛି ଓଡ଼ିଶା ଏଫ୍ସି ଦଳର ପ୍ରଥମ ଦଳରେ ନିଶ୍ଚିତ ଜଣେ/ଦୁଇ ଜଣ ଓଡ଼ିଆ ଖେଳାଳି ରହିବେ। ଦୟାକରି ଆମେ ଗଢ଼ିଥିବା ଦଳକୁ ନଷ୍ଟ କରିଦିଅନ୍ତୁ ନାହିଁ।’’
ସରକାରଙ୍କ ଉପରେ ବର୍ଷିଲେ ଓଡ଼ିଶା ଏଫ୍ସି ମାଲିକ, ଜର୍ସିର ଆଗପଟେ ‘ଓଡ଼ିଶା’ ଲେଖାକୁ ନେଇ ଟଣାଓଟରା
‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ସରକାର ଏବଂ ଓଡ଼ିଶା ଏଫ୍ସି ମଧ୍ୟରେ ପଡ଼ିଆ କି ପଇସାକୁ ନେଇ ନୁହେଁ ଖେଳାଳିଙ୍କ ଛାତିରେ ‘ଓଡ଼ିଶା’ ଲେଖାକୁ ନେଇ ସହମତି ହୋଇପାରିନାହିଁ। ପୁରୁଣା ବୁଝାମଣାକୁ ଓଡ଼ିଶାା ଏଫ୍ସି ଜାରି ରଖିବାକୁ ଚାହୁନାହିଁ। ଯେଉଁଥିରେ ଖେଳାଳିଙ୍କ ଛାତିରେ ‘ଓଡ଼ିଶା’ ଲେଖା ରହୁଥିଲା। ନୂଆ ପ୍ରସ୍ତାବରେ କ୍ଲବ୍ ଏହାକୁ ଜର୍ସିର ପଛପଟେ ରଖିବାକୁ ପ୍ରସ୍ତାବ ଦେଇଛି। ସରକାର ଏହାକୁ ଗ୍ରହଣ କରିପାରିନାହାନ୍ତି। ଏ ସମ୍ପର୍କରେ କିନ୍ତୁ କିଛି ସ୍ପଷ୍ଟ ଉତ୍ତର ଦେଇନାହିଁ କ୍ରୀଡ଼ା ଓ ଯୁବସେବା ବିଭାଗ। ଅନ୍ୟପକ୍ଷରେ କିଛି ଦିନ ତଳେ ଓଡ଼ିଶା ଅଲିମ୍ପିକ୍ ସଂଘର ସାଧାରଣ ସମ୍ପାଦକ ତଥା ‘ଫାଓ’ର ବରିଷ୍ଠ ପଦାଧିକାରୀ ଅଭିଜିତ ପାଲ୍ଙ୍କ ମନ୍ତବ୍ୟ ମଧ୍ୟ ଭିନ୍ନ କଥା କହୁଥିଲା। ପୂର୍ବ ସରକାର ଅନାବଶ୍ୟକ ଭାବେ ଓଡ଼ିଶା ଏଫ୍ସିକୁ ରାଜ୍ୟକୁ ଆଣିଥିଲେ। ଓଡ଼ିଶାରେ ଫୁଟ୍ବଲ୍ର ବିକାଶରେ ଏହି କ୍ଲବ୍ର କିଛି ଯୋଗଦାନ ନାହିଁ ବୋଲି ସେ କହିଥିଲେ। ଏଥିରୁ ସରକାର ଓ ସଂଘ ମଧ୍ୟରେ ଭିନ୍ନମତ ରହିଥିବା ପ୍ରମାଣିତ ହୋଇଛି।
ସୂଚନାଯୋଗ୍ୟ, ‘ଓଡ଼ିଶା ଏଫ୍ସି’ର ମୂଳ ନାଁ ଥିଲା ‘ଦିଲ୍ଲୀ ଡାଇନାମସ୍’। ତେବେ ଅଗଷ୍ଟ ୩୧, ୨୦୧୯ ରେ ଦଳର ନାଁ ‘ଓଡ଼ିଶା ଏଫ୍ସି’କୁ ପରିବର୍ତ୍ତିତ ହୋଇଥିଲା। କୋଭିଡ୍ ପ୍ରତିବଂଧକ ଭିତରେ କ୍ଲବ୍ ୨୦୧୯-୨୦ରୁ ୨୦୨୨-୨୩ ‘ଆଇଏସ୍ଏଲ୍’ ଋତୁରେ ବିଶେଷ ପ୍ରଭାବ ଛାଡ଼ି ପାରି ନଥିଲା। ହେଲେ ୨୦୨୩-୨୪ରେ ପ୍ଲେ ଅଫ୍ରେ ଖେଳିବାର ସୌଭାଗ୍ୟ ପାଇଥିଲା। ସୁପର କପ୍ରେ ୨୦୨୩ରେ ବିଜେତା ଓ ଗତ ବର୍ଷ ଉପବିଜେତା ହୋଇଥିଲା ବେଳେ ଚଳିତ ବର୍ଷ ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲା। ସେହିଭଳି ଦୁଇବର୍ଷ ତଳେ ଗଠିତ ହୋଇଥିବା ଓଡ଼ିଶା ଏଫ୍ସି ମହିଳା ଦଳ ଆଇଡବ୍ଲ୍ୟୁଏଲ୍ରେ ୨୦୨୩-୨୪ ଋତୁରେ ବିଜେତା ହୋଇଥିଲା।
ଏଆଇଏଫ୍ଏଫ୍ ପ୍ରିମିୟର୍ ୧ କ୍ଲବ୍ ଲାଇସେନ୍ସ କଟିଲା
ଭୁବନେଶ୍ବର: ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ଗୁରୁବାର ମଧ୍ୟରାତ୍ରରେ ୨୦୨୫-୨୬ ଋତୁ ଲାଗି ପ୍ରିମିୟର ୧ କ୍ଲବ୍ ଲାଇସେନ୍ସ ଫଳାଫଳ ଘୋଷଣା କରିଛି। ଏହାକୁ ପାଇବାରେ ଭୁବନେଶ୍ବର ଭିତ୍ତିକ ଫୁଟ୍ବଲ୍ ଦଳ ଓଡ଼ିଶା ଏଫ୍ସି ବିଫଳ ହୋଇଛି। ଯାହା ଓଡ଼ିଶା ଏଫ୍ସିକୁ ଅଡ଼ୁଆରେ ପକାଇଛି। ଓଡ଼ିଶା ଏଫ୍ସି ସହ ଅନ୍ୟ ଆଇଏସ୍ଏଲ୍ କ୍ଲବ୍ ମହମଡ଼ାନ ସ୍ପୋର୍ଟିଂ, ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍ସି, କେରଳ ବ୍ଲାଷ୍ଟର୍ସ ଏଫ୍ସି ଓ ହାଇଦ୍ରାବାଦ ଏଫ୍ସି ମଧ୍ୟ ପ୍ରିମିୟର ୧ କ୍ଲବ୍ ଲାଇସେନ୍ସ ପାଇବାରେ ବିଫଳ ହୋଇଛନ୍ତି। ଯେଉଁ କ୍ଲବ୍ର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି, ସେମାନେ ଲାଇସେନ୍ସ ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ବିରୋଧରେ ଆବେଦନ କରିପାରିବେ କିମ୍ବା ଜାତୀୟ କ୍ଲବ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ରହିତାଦେଶ ପାଇଁ ଅନୁରୋଧ କରିପାରିବେ’’।