କୋଲ୍କାତା: ବିଶ୍ବର ଅନ୍ୟତମ ସର୍ବପୁରାତନ ଫୁଟବଲ୍ ପ୍ରତିଯୋଗିତା ଡୁରାଣ୍ଡ କପ୍ର ଖେଳସୂଚୀ ଘୋଷଣା କରାଯାଇଛି। ପ୍ରତିଯୋଗିତାର କୋଲକାତା, ଗୁଆହାଟୀ ଓ କୋକ୍ରାଝରରେ ଅନୁଷ୍ଠିତ ହେବ। ସମସ୍ତ ଦଳମାନଙ୍କୁ ନେଇ ୬ ଟି ଗ୍ରୁପ୍ କରାଯାଇଛି। ପ୍ରତି ଗ୍ରୁପ୍ରେ ୪ଟି ଦଳ ସ୍ଥାନ ପାଇଛନ୍ତି। କୋଲ୍କାତା ଏକମାତ୍ର ସହର ଯେଉଁଠାରେ ଏକାଧିକ ସ୍ଥାନରେ ପ୍ରତିଯୋଗତାର ମ୍ୟାଚ୍ଗୁଡ଼ିକ ଖେଳାଯିବ। ଗ୍ରୁପ୍ ଡି’ ଓ ଗ୍ରୁପ୍ ଇ’ର ଅଧୀକାଂଶ ମ୍ୟାଚ୍ଗୁଡ଼ିକ ଗୁଆହାଟୀର ଇନ୍ଧିରା ଗାନ୍ଧି ଦୌଡ଼କୁଦ ଷ୍ଟାଡିୟମ୍ରେ ଖେଳାଯିବ। ନୂତନ ଭାବେ ସାମିଲ ହୋଇଥିବା କୋକ୍ରାଝର ସାଇ ପ୍ରଶିକ୍ଷଣ କେନ୍ଦ୍ର ପଡ଼ିଆରେ ଗୋଟିଏ କ୍ବାର୍ଟରଫାଇନାଲ୍ ମ୍ୟାଚ୍ ସହିତ ମୋଟ୍ ୯ଟି ମ୍ୟାଚ୍ ଖେଳାଯିବ। ପ୍ରତି ଗ୍ରୁପ୍ର ବିଜେତାଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଥିବା ଶ୍ରେଷ୍ଠ ଦୁଇଟି ଦଳଙ୍କୁ ନେଇ ନକ୍ଆଉଟ୍ ପର୍ଯ୍ୟାୟ ଖେଳାଯିବ। ସେପ୍ଟେମ୍ବର ୩ ତାରିଖରେ ବିବେକାନନ୍ଦ ଯୁବା ଭାରତୀ କ୍ରୀଡ଼ାଙ୍ଗନଠାରେ ଫାଇନାଲ୍ ଅନୁଷ୍ଠିତ ହେବ। ଏଥର ମୋଟ ୪୩ ମ୍ୟାଚ୍ ଖେଳାଯିବ।
ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଓଡ଼ିଶା ଏଫ୍ସି ଅଂଶଗ୍ରହଣ କରୁଥିଲା ବେଳେ ଗ୍ରୁପ୍ ଏଫ୍ରେ ସ୍ଥାନିତ ହୋଇଛି। ଗ୍ରୁପ୍ ଏଫ୍ର ମ୍ୟାଚ୍ଗୁଡ଼ିକ କୋକ୍ରାଝର୍ରେ ଖେଳାଯିବ। ଏହି ଗ୍ରୁପ୍ରେ ସ୍ଥାନୀୟ ଦଳ ବୋଡୋଲାଣ୍ଡ ଡୁରାଣ୍ଡ କପ୍ରେ ପଦାର୍ପଣ କରୁଥିଲା ବେଳେ ରାଜସ୍ଥାନ ୟୁନାଇଟେଡ୍ ଏଫ୍ ଓ ଭାରତୀୟ ସେନା ସାମିଲ ହୋଇଛନ୍ତି। ଗତଥରର ବିଜେତା ବେଙ୍ଗାଲୁରୁ ଏଫ୍ସି ଗ୍ରୁପ୍ ସି’ରେ କେରଳର ଦୁଇ ଲୋକପ୍ରିୟ ଦଳ କେରଳର ବ୍ଲାଷ୍ଟର୍ସ ଓ ଗୋକୁଳମ୍ କେରଳ ସହିତ ସ୍ଥାନ ପାଇଛି। ଭାରତୀୟ ବାୟୁସେନା ଦଳ ଏହି ଗ୍ରୁପ୍ର ଚତୁର୍ଥ ଦଳ ରହିଛି। କୋଲ୍କାତାରେ ଖେଳାଯିବାକୁ ଥିବା ମ୍ୟାଚ୍ଗୁଡ଼ିକ ମଧ୍ୟରୁ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ମୋହନ ବାଗାନ୍ ଓ ଇଷ୍ଟ ବେଙ୍ଗଲ ଗ୍ରୁପ୍ ଏ’ରେ ରାଉଣ୍ଡ ଗ୍ଲାସ ପଞ୍ଜାବ ଏଫ୍ସି ଓ ବାଂଲାଦେଶ ଆର୍ମି ସହିତ ସ୍ଥାନିତ ହୋଇଛନ୍ତି। ଗ୍ରୁପ୍ ବି’ରେ ମହମ୍ମଡାନ ସ୍ପୋର୍ଟିଂ, ମୁମ୍ବାଇ ସିଟି ଏଫ୍ସି, ଜମସେଦପୁର ଏଫ୍ସି ଓ ଭାରତୀୟ ନେଭିଙ୍କୁ ରଖାଯାଇଛି। ଗ୍ରୁପ୍ ଡି’ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି, ଏଫ୍ସି ଗୋଆ, ସିଲଙ୍ଗ ଲାଜଙ୍ଗ ଏଫ୍ସି, ଗ୍ରୁପ୍ ଇ’ରେ ହାଇଦ୍ରାବାଦ୍ ଏଫ୍ସି, ଚେନ୍ନାଇୟାନ ଏଫ୍ସି, ଦିଲ୍ଲୀ ଏଫ୍ସି ଓ ନେପାଳର ତ୍ରିଭୂବନ ଆର୍ମି ଫୁଟବଲ୍ କ୍ଲବ୍ ସ୍ଥାନ ପାଇଛନ୍ତି।