ବିଜୟ ସହ ଅଭିଯାନ ଶେଷ ଲକ୍ଷ୍ୟରେ ଓଡ଼ିଶା, ଆଜି କେରଳ ବ୍ଲାଷ୍ଟର୍ସକୁ ଭେଟିବ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ରବିବାର ତା’ର ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ। ସେମିଫାଇନାଲ୍‌ ‌ଦୌଡ଼ରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିଥିବା ଓଡ଼ିଶାର ଏହି ନିଜସ୍ବ ଦଳ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର କେରଳ ବ୍ଲାଷ୍ଟର୍ସ ଏଫ୍‌ସିକୁ ଭେଟିବ। ସଂପ୍ରତି ଓଡ଼ିଶା ୧୭ ମ୍ୟାଚ୍‌ ଖେଳି ୭ ଲେଖାଏଁ ବିଜୟ ଓ ପରାଜୟ ଏବଂ ୩ ଅମୀମାଂସିତ ସହ ୨୪ ପଏଣ୍ଟ୍‌ ପାଇ ତାଲିକାର ଷଷ୍ଠ ସ୍ଥାନ‌େର ରହିଛି। ଅନ୍ୟପକ୍ଷରେ କେରଳ ବ୍ଲା‌ଷ୍ଟର୍ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ ବିଜୟ, ୬ ଅମୀମାଂସିତ ଓ ୮ ପରାଜୟରୁ ୧୮ ପଏଣ୍ଟ୍‌ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। କେରଳ ବ୍ଲାଷ୍ଟର୍ସର ଘରୋଇ ପଡ଼ିଆ କୋଚିରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚ୍‌କୁ ଓଡ଼ିଶା ଏଫ୍‌ସି ଗୋଲ୍‌ ଶୂନ୍ୟ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଘରୋଇ ପଡ଼ିଆରେ ମଧ୍ୟ ଓଡ଼ିଶା ଏଫ୍‌ସି ଚମତ୍କାର ଖେଳିଛି। କେବଳ ବେଙ୍ଗାଲୁରୁ ଏଫ୍‌ସି ଓ ଏଫ୍‌ସି ଗୋଆଠୁ କଳିଙ୍ଗରେ ହାରିଛି ଓଡ଼ିଶା। ତେବେ ସେମିଫାଇନାଲ୍‌‌ ଖେଳିବା ଆଶା ନଥିଲେ ମଧ୍ୟ ‌ଘରୋଇ ପଡ଼ିଆରେ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ ଓଡ଼ିଶା। ଉଭୟ ଦଳ ‌ନିଜ ନିଜର ‌ଶେଷ ଦୁଇ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଓଡ଼ିଶା ଘରୋଇ ପଡ଼ିଆରେ ନର୍ଥ ଇଷ୍ଟ୍‌ ୟୁନ‌ାଇଟେଡ୍‌କୁ ହରାଇଥିଲା ବେଳେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ଦେଇଥିଲା କେରଳ ବ୍ଲାଷ୍ଟର୍ସ। ତାଲିକାର ତୃତୀୟ ସ୍ଥାନରେ ଥିବା ବେଙ୍ଗାଲୁରୁକୁ ହରାଇଥିବାରୁ ଶୁକ୍ରବାର ପୂରା ମନୋବଳ ସହ ଓଡ଼ିଶାକୁ ଟକ୍କର ଦେବା ଲକ୍ଷ୍ୟରେ ରହିଛି ଅତିଥି ଦଳ।

ପଞ୍ଚମରେ ରହିବା ଲକ୍ଷ୍ୟ: ଗୋମ୍ବାଉ
ଆମର ସେମିଫାଇନାଲ୍‌ ଖେଳିବା ବାଟ ବନ୍ଦ ହୋଇଯାଇଛି। ତଥାପି ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛୁ। ଏବେ ଆସନ୍ତା ସଂସ୍କରଣ ଉପରେ ନଜର ରହିଛି। ଚଳିତ ବର୍ଷ ଆମ ଖେଳାଳିମାନେ ଭଲ କରିଛନ୍ତି। ବିଶେଷ କରି ଓଡ଼ିଶାର ଦର୍ଶକମାନେ ଆମକୁ ପ୍ରଚୁର ସମର୍ଥନ ଅଜାଡ଼ି ଦେଇଛନ୍ତି। ଯାହାର ଫଳସ୍ବରୂପ ଆମେ ଘରୋଇ ପଡ଼ିଆରେ ଲଗାତାର ୩ ମ୍ୟାଚ୍‌ ଜିତି ପାରିଥିଲୁ। ରବିବାର ମ୍ୟାଚ୍‌ ଜିତି ଆମେ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛୁ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଯୋଶେପ୍‌ ଗୋମ୍ବାଉ।

ବିଜୟ ପାଇଁ ଖେଳିବୁ: ସାଟୋରିଏ
ଆମର ଏହା ଶେଷ ମ୍ୟାଚ୍‌ ହୋଇଥିବାରୁ ନିଶ୍ଚିତ ବିଜୟ ପାଇଁ ଖେଳିବୁ। ଆରମ୍ଭରୁ ଆମର ପ୍ରଦର୍ଶନ ଭଲ ନଥିଲା ହେଲେ ଏବେ ଏହି ଧାରା ବଦଳିଛି। ଆମେ ବିଜୟ ମଧ୍ୟ ପାଇଛୁ। ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିବା ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ପାରିଛୁ। ଚଳିତ ବର୍ଷ ଆମେ ବହୁ ଅଭିଜ୍ଞତା ପାଇଛୁ। ‌‌ବିଜୟ ସହ ଅଭିଯାନ ‌ଶେ‌ଷ କରିବା ଲକ୍ଷ୍ୟ ରଖିଛୁ ‌ବୋଲି କହିଛନ୍ତି କେରଳ ବ୍ଲାଷ୍ଟର୍ସର ମୁଖ୍ୟ ପ୍ରଶିକ୍ଷକ ଏଲ୍‌କୋ ସାଟୋରିଏ।

ସମ୍ବନ୍ଧିତ ଖବର