ଭୁବନେଶ୍ବର : ପ୍ରଥମ ଥର ଲାଗି ସୁପର କପ୍ ଖେଳୁଥିବା ଓଡ଼ିଶା ଏଫ୍ସି ଅପରାଜେୟ ଧାରା ଜାରି ରଖି ଫାଇନାଲ୍ ସ୍ଥାନ ପକ୍କା କରିଛି। ଶନିବାର ଦ୍ବିତୀୟ ସେମିଫାଇନାଲ୍ରେ ଏହି ଭୁବନେଶ୍ବର ଭିତ୍ତିକ ଫୁଟ୍ବଲ୍ ଦଳ ୩-୧ ଗୋଲ୍ରେ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସିକୁ ମାତ୍ ଦେଇଛି। କେରଳର ପାୟାନାଦ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ୱିଲ୍ମାର ଜୋର୍ଡାନ ଗିଲ୍ଙ୍କ ଗୋଲ୍ରେ ନର୍ଥଇଷ୍ଟ ୟୁନାଇଟେଡ୍ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଏହି ଖୁସି ବେଶୀ ସମୟ ରହିନଥିଲା। ଏହାର ୧୦ ମିନିଟ୍ ପରେ ଜେରି ମାୱିମିଙ୍ଗଥାଙ୍ଗାଙ୍କ ପାସ୍କୁ ନନ୍ଦ କୁମାର ଶେକର (୧୧ ମିନିଟ୍) ନର୍ଥଇଷ୍ଟ ୟୁନାଇଟେଡ୍ ଗୋଲ୍ ପୋଷ୍ଟ୍କୁ ପଠାଇ ସ୍ଥିତି ସମାନ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ୧-୧ରେ ଶେଷ ହୋଇଥିଲା।
ତେବେ ୬୩ତମ ମିନିଟ୍ରେ ଭିକ୍ଟର ରଡ୍ରିଗୁଏଜଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ନନ୍ଦ କୁମାର ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ଦଳକୁ ୨-୦ରେ ଆଗୁଆ କରିଥିଲେ। ଏହାପରେ ଡିଏଗୋ ମୌରସିଓ (୮୬ ମିନିଟ୍) ଗୋଲ୍ ଦେଇ ଓଡ଼ିଶା ଏଫ୍ସିକୁ ୩-୧ରେ ବିଜୟ ଭେଟି ଦେଇଥିଲେ। ଏଥି ସହ ନର୍ଥଇଷ୍ଟ ୟୁନାଇଟେଡ୍ ବିପକ୍ଷରେ ଓଡ଼ିଶାର ବିଜୟ ପରାଜୟ ବ୍ୟବଧାନ ୫-୦ରେ ପହଞ୍ଚିଛି। ଦୁଇଟି ଗୋଲ୍ ଦେଇଥିବା ନନ୍ଦ କୁମାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଏଫ୍ସି ମଙ୍ଗଳବାର କୋଝିକୋଡ଼ସ୍ଥିତ ଇଏମ୍ଏସ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବ।