ଓଡ଼ିଶା ଏଫ୍‌ସି ଜର୍ସି ଉନ୍ମୋଚିତ

ଭୁବନେଶ୍ୱର : ‘ଓଡ଼ିଶା ଏଫ୍‌ସି’ ଫୁଟ୍‌ବଲ୍ ଦଳର ଗଠନ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ଏହି ଧାରାକୁ ଆହୁରି ଆଗେଇ ନେଇ ବୁଧବାର ଦଳର ଜର୍ସି ଏବଂ କିଟ୍ ଏକ ସ୍ଥାନୀୟ ହୋଟେଲରେ ଉନ୍ମୋଚିତ ହୋଇଛି। ଓଡ଼ିଶା ଏଫ୍‌ସି ଘରୋଇ ପରିବେଶରେ ଧଳା ରଙ୍ଗର ଜର୍ସି ପିନ୍ଧିବ। ବାହାରେ ନୀଳ ଏବଂ କଳା ରଙ୍ଗର ଜର୍ସିରେ ଓହ୍ଲାଇବ। ଘରୋଇ ମ୍ୟାଚ୍ ଲାଗି ଦଳର ‌ଗୋଲ୍ ରକ୍ଷକ ହଳଦିଆ ଏବଂ ବାହାରେ ବାଇଗଣୀ ରଙ୍ଗର ଜର୍ସି ପିନ୍ଧିବେ। ନୂଆ ଜର୍ସିରେ ‘ଓଡ଼ିଶା’ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥିଲା ବେଳେ କାନ୍ଧ ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରାୟୋଜକଙ୍କ ନାଁ ରହିଛି। ଦଳର ଲୋଗୋକୁ ମଧ୍ୟ ପ୍ରମୁଖ ସ୍ଥାନ ମିଳିଛି।

‘ଓଡ଼ିଶା ଏଫ୍‌ସି’ ଗଠନ ପରେ ଓଡ଼ିଶାରେ ଫୁଟ୍‌ବଲ୍‌ର ଲୋକପ୍ରିୟତା ବହୁଗୁଣ ବଢ଼ିବା ସହ ରାଜ୍ୟରୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବେ ବୋଲି ଆଶା କରାଯାଉଛି। ଏହି ଦଳ ଲାଗି ଓଡ଼ିଶା ସରକାର ଭିତ୍ତିଭୂମି ଯୋଗାଇ ଦେଇଥିଲା ବେଳେ ମାଲିକାନା ସତ୍ତ୍ବ ‘ଜିଏମ୍‌ଏସ୍’ କଂପାନି ପାଖରେ ରହିଛି। ଚଳତ ବର୍ଷର ଆଇଏସ୍‌ଏଲ୍‌ରେ ପ୍ରଥମ ଥର ପାଇଁ ‘ଓଡ଼ିଶା ଏଫ୍‌ସି’ ଅଂଶ ଗ୍ରହଣ କରିବ। ପୂର୍ବରୁ ଏହି କ୍ଲବ୍ ଦିଲ୍ଲୀ ଡାଇନାମସ୍ ନାଁରେ ଖେଳୁଥିଲା। ନୂ୍ଆ କିଟ୍ ଏବଂ ଜର୍ସି ସହ ନୂଆ ନାଁରେ ଦଳ ଏଥର ଲଢ଼େଇ କରିବ।

ବୁଧବାର ଗୋଟିପୁଅ ନୃତ୍ୟ ଏବଂ ଶଙ୍ଖ ନାଦର ମନ୍ତ୍ର ମୁଗ୍ଧକର ପରିବେଶ ମଧ୍ୟରେ ଓଡ଼ିଶା ଏଫ୍‌ସିର ଜର୍ସି ଉନ୍ମୋଚିତ ହୋଇଥିଲା। ଏଥିରେ ଦେଶୀ ଓ ବିଦେଶୀ ଖେଳାଳିଙ୍କ ସହ ଦଳର ପରିଚାଳନା ନିର୍ଦେଶକ ରୋହନ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ଶାହ, ମୁଖ୍ୟ ପ୍ରଶିକ୍ଷକ ଜୋସେଫ ଗମ୍ବାଉ, ସହକାରୀ ପ୍ରଶିକ୍ଷକ ଥଙ୍ଗବୋଇ ସିଙ୍ଗତୋ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା ଏବଂ ଓଡ଼ିଶା ଏଫ୍‌ସି ଫ୍ୟାନ୍‌ କ୍ଲବ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଆଇଏସ୍‌ଏଲ୍‌ର ଷଷ୍ଠ ସଂସ୍କରଣ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ। ଓଡ଼ିଶା ଏଫ୍‌ସି ୨୨ ତାରିଖରେ ଜାମସେଦପୁର ଏଫ୍‌ସି ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଓଡ଼ିଶା ଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ ତା’ର ଘରୋଇ ମ୍ୟାଚ୍ ଖେଳିବ।

ସମ୍ବନ୍ଧିତ ଖବର