ଭୁବନେଶ୍ବର : ଚଳିତ ଇଣ୍ଡିଆନ୍ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ପ୍ରଥମ ପରାଜୟ ବରଣ କରିଛି। ରବିବାର ଗ୍ରୁପ୍-ବି’ରେ ନିଜର ଦ୍ବିତୀୟ ମ୍ୟାଚ୍ରେ ଏହି ଭୁବନେଶ୍ବର ଭିତ୍ତିକ ଦଳ ୦-୨ ଗୋଲ୍ରେ କର୍ଣ୍ଣାଟକର କିକ୍ଷ୍ଟାର୍ଟ ଏଫ୍ସିଠୁ ହାରି ଯାଇଥିଲା। ପ୍ରଥମ ମ୍ୟାଚ୍ରେ ସିଆର୍ପିଏଫ୍ ଏଫ୍ସିକୁ ସହଜରେ ହରାଇଥିବା ଏହି ଦଳ ରବିବାର ଅହମଦାବାଦର ଶାହିବଗ ପୁଲିସ ଷ୍ଟାଡିୟମରେ ଚମତ୍କାରିତା ଦେଖାଇବାରେ ବିଫଳ ହୋଇଥିଲା।
୨୦ତମ ମିନିଟ୍ରେ ବିପକ୍ଷ ଦଳର ଖେଲାଳି ଅଞ୍ଜୁଙ୍କୁ ଫାଉଲ ମାରିବାରୁ ଓଡ଼ିଶା ଏଫ୍ସିକୁ ଫ୍ରିକିକ୍ ମିଳିଥିଲା। ଏହି ଫ୍ରିକିକ୍କୁ ବାଲା ଦେବୀ ମାରିଥିଲେ ମଧ୍ୟ ବଲ୍ ବାର୍ରେ ବାଜି ବାହାରକୁ ଚାଲିଯିବାରୁ ଓଡ଼ିଶା ଏଫ୍ସି ଅଗ୍ରଣୀ ନେବାରୁ ବଞ୍ଚିତ ହୋଇଥିଲା। ୩୬ତମ ମିନିଟ୍ରେ କିଓକୋ ଏଲିଜାବେଥ କାତୁଙ୍ଗୱାଙ୍କ ଗୋଲ୍ରେ କିକ୍ଷ୍ଟାର୍ଟ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହି ଗୋଲ୍ ଶୁଝିବାକୁ ଓଡ଼ିଶା ଏଫ୍ସି ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା। ୭୩ତମ ମିନିଟ୍ରେ ଲାଇଶ୍ରମ ବିବିଚା ଦେବୀ ଗୋଲ୍ ଦେଇ କିକ୍ଷ୍ଟାର୍ଟର ଅଗ୍ରଣୀ ବ୍ୟବଧାନକୁ ୨-୦ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନହେବାରୁ କିକ୍ଷ୍ଟାର୍ଟ ବିଜୟ ସହ ପୂରା ୩ ପଏଣ୍ଟ ପକଟେସ୍ଥ କରିଥିଲା।