ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫସି ତୃତୀୟ ପରାଜୟ ବରଣ କରିଛି। ରବିବାର ଗୁଆହାଟୀସ୍ଥିତ ଇନ୍ଦିରା ଗାନ୍ଧି ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ଏଫ୍ସିକୁ ୨-୩ ଗୋଲ୍ରେ ହରାଇଛି ଘରୋଇ ଦଳ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସି। ମ୍ୟାଚ୍ର ଦ୍ବାଦଶ ମିନିଟ୍ରେ ଆଲାଇଡିନ୍ ଆଜାରାଇଙ୍କ ଗୋଲ୍ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୪୦ତମ ମିନିଟ୍ରେ ଆଜାରାଇ ଆଉ ଏକ ଗୋଲ୍ ଦେଇ ପ୍ରଥମାର୍ଦ୍ଧରେ ଦଳକୁ ୨-୦ରେ ଆଗୁଆ ରଖିଥିଲେ।
ଦ୍ବିତୀୟାର୍ଦ୍ଧରେ ଓଡ଼ିଶା ଏଫ୍ସି ପ୍ରତ୍ୟାବର୍ତ୍ତନ କରିଥିଲା। ୬୦ତମ ମିନିଟ୍ରେ ଗାମାଙ୍କ ପାସ୍କୁ ହୁଗୋ ବୌମାସ ଗୋଲ୍ରେ ପରିଣତ କରି ସ୍ଥିତି ୧-୨ କରିଥିଲେ। ଏହାର ୧୧ ମିନିଟ୍ ପରେ ନର୍ଥଇଷ୍ଟ ୟୁନାଇଟେଡ୍ର ଗୁଇଲେର୍ମୋ ଫର୍ଣ୍ଣାଡିଜ୍ (୭୧ ମିନିଟ୍) ଗୋଲ୍ ଦେଇ ୩-୧ ସ୍ଥିତିକୁ ଆଣିଥିଲେ। ୮୩ ମିନିଟ୍ରେ ଓଡ଼ିଶାର ଡିଏ ଗୋ ମୌରିସିଓ ଆଉ ଗୋଟିଏ ଗୋଲ୍ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ। ଓଡ଼ିଶା ଏଫ୍ସି ପରବର୍ତ୍ତୀ ମ୍ୟାଚ୍ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍ରେ ୧୦ ତାରିଖରେ ପଡ଼ୋଶୀ ମୋହନ ବାଗାନ ସୁପର ଜାଏଣ୍ଟ୍କୁ ଭେଟିବ।