ଭୁବନେଶ୍ବର : ପ୍ରଥମ ଥର ଭାରତୀୟ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିବା ଓଡ଼ିଶା ଏଫ୍‌ସି ତାହାର ପରବର୍ତ୍ତୀ ମୁକାବିଲା ଶନିବାର ଏଟିକେ ମୋହନ ବାଗାନ ବିପକ୍ଷରେ ଖେଳିବ। କୋଲକାତାର ବିବେକାନନ୍ଦ ଯୁବା ଭାରତୀ କ୍ରୀଡ଼ାଙ୍ଗନରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। କୋଲକାତାର ଏହି ପୁରାତନ କ୍ଲବ୍‌ ବିପକ୍ଷରେ ଓଡ଼ିଶା ଏଫ୍‌ସି ପ୍ରାୟ ମାସେ ତଳେ ମ୍ୟାଚ୍‌ ଖେଳିଥିଲା, ଯେଉଁଥିରେ ଘରୋଇ ଦଳ ଆରମ୍ଭରୁ ୨ ଗୋଲ୍‌ରେ ଅଗ୍ରଣୀ ନେବା ସହ ମ୍ୟାଚ୍‌କୁ ୨-୦ରେ ଶେଷ କରିଥିଲା। ଭୁବନେଶ୍ବରରେ ହୋଇଥିବା ମୁକାବିଲାରେ ଘରୋଇ ଦଳ ଭଲ ଖେଳିଥିଲେ ବି ମ୍ୟାଚ୍‌ ଅମୀମାଂସିତ ରହିଥିଲା। ତେଣୁ ଗୋଟିଏ ପରାଜୟ ଓ ଅମୀମାଂସିତ ମ୍ୟାଚ୍‌ ଅଭିଜ୍ଞତାକୁ ନେଇ ଓଡ଼ିଶା ଏଫ୍‌ସି ନକ୍‌ଆଉଟ୍‌ରେ ତୃତୀୟ ଥର ପାଇଁ ମୋହନବାଗାନ୍‌କୁ ଭେଟିବାକୁ ଯାଉଥିବାରୁ ଏଥର ଜିତିବା ଲକ୍ଷ୍ୟରେ ଖେଳିବୁ ବୋଲି ପ୍ରଶିକ୍ଷକ ଜୋସେଫ୍‌ ଗମ୍ବାଉ କହିଛନ୍ତି।

Advertisment

ଓଡ଼ିଶା ଏଫ୍‌ସି ପ୍ରଥମ ଥର ଏତେ ଉପରକୁ ଉଠିଥିବାରୁ ଟ୍ରଫି ଜିତିବା ପରବର୍ତ୍ତୀ ଲକ୍ଷ୍ୟ ରହିବ। ତେଣୁ ଦଳୀୟ ଖେଳାଳିମାନେ ମାନସିକ ଭାବେ ଶକ୍ତ ରହିଥିଲା ବେଳେ ବାହା‌ରେ ଖେଳୁଥିବା ମ୍ୟାଚ୍‌ଗୁଡ଼ିକରୁ ଭଲ ଫଳ ପାଇଆସୁଛି। ଚଳିତ ଋତୁରେ ଓଡ଼ିଶା ଏଫ୍‌ସି ୯ ମ୍ୟାଚ୍‌ ଜିତିଥିଲା ବେଳେ ୩୦ ପଏଣ୍ଟ ପାଇଥିଲା। ନକ୍‌ଆଉଟ୍‌ରେ ପ୍ରବେଶ କରିସାରିଥିଲେ ବି ଦଳର ଜିତିବା ଭୋକ ମେଣ୍ଟୁନାହିଁ। ତେଣୁ ଶନିବାର ଜୋସେଫ୍‌ ଗମ୍ବାଉଙ୍କ ଦଳ ପୂର୍ବ ପ୍ରଦର୍ଶନକୁ ଦୋହରାଇ ଆଉ ପାଦେ ଆଗକୁ ବଢିବାକୁ ଚାହିଁବେ। ଅନ୍ୟପକ୍ଷରେ ମୋହନବାଗାନ୍‌ ୧୦ ମ୍ୟାଚ୍‌ ଜିତି ୩୪ ପଏଣ୍ଟ ପାଇଛି। ତେବେ ଘରୋଇ ପରିବେଶରେ ନକ୍ଆଉଟ୍‌ ଖେଳାଯିବାକୁଥିବାରୁ ଏହାର ଫାଇଦା ଉଠାଇବାକୁ ଖେଳାଳିମାନେ ଚେଷ୍ଟା କରିବେ। ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଗମ୍ବାଉ ନକ୍‌ଆଉଟ୍‌ ମୁକାବିଲା ପାଇଁ ସମସ୍ତ ଖେଳାଳି ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି। ଏହି ମ୍ୟାଚ୍‌ ଓଡ଼ିଶା ଏଫ୍‌ସି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ଯଦି ଏହାକୁ ଜିତିଯାଉ ତାହେଲେ ଆଗକୁ ବଢିବୁ। ମୋହନ ବାଗାନ ମଧ୍ୟ ଏହି ଲକ୍ଷ୍ୟ ‌ନେଇ ଖେଳିବ। ତେଣୁ ମ୍ୟାଚ୍‌ରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ସେ କହିଛନ୍ତି।

ଆଇଏସ୍‌ଏଲ୍‌ର ଚଳିତ ସଂସ୍କରଣରେ ଓଡ଼ିଶା ଏଫ୍‌ସିର ବ୍ରାଜିଲିଆନ୍‌ ଷ୍ଟାର୍‌ ଡିଏଗୋ ମୌରିସିଓ ସର୍ବାଧିକ ଗୋଲ୍‌ ସ୍କୋରର ତାଲିକାର ଆଗରେ ଅଛନ୍ତି। ୨୦ ମ୍ୟାଚ୍‌ରୁ ସେ ୧୨ ଗୋଲ୍‌ ଦେଇଥିଲା ବେଳେ ତାଙ୍କ ପଛକୁ ସମାନ ସଂଖ୍ୟକ ଗୋଲ୍‌ ସହ ଇଷ୍ଟ ବେଙ୍ଗଲର କ୍ଲେଇଟନ୍‌ ସିଲ୍‌ଭା ରହିଛନ୍ତି। ‌ହେଲେ ଇଷ୍ଟ ବେଙ୍ଗଲର ଆଉ ମ୍ୟାଚ୍‌ ନଥିବାରୁ ଯଦି ଡିଏଗୋ ଗୋଟିଏ ବି ଗୋଲ୍‌ ଦିଅନ୍ତି ତାହେଲେ ଦ୍ବିତୀୟ ସ୍ଥାନ ଗୁରୁତ୍ବହୀନ ହୋଇଯିବ। ତଥାପି ତୃତୀୟ ସ୍ଥାନରେ ଥିବା ମୁମ୍ବାଇ ସିଟି ଏଫ୍‌ସିର ଜର୍ଜ ଡିଆଜ୍‌ (୧୧) ସର୍ବାଧିକ ଗୋଲ୍‌ ଦୌଡ଼ରେ ସକ୍ରିୟ ଅଛନ୍ତି।