ଭୁବନେଶ୍ବର: ଶେଷ ୧୦ ମ୍ୟାଚ୍ରେ ଅପରାଜେୟ ରହି ଓଡ଼ିଶା ଏଫ୍ସି ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତା ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି। ହାଇଦ୍ରାବାଦସ୍ଥିତ ଜିଏମ୍ସି ବାଲାଯୋଗୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ସୋମବାର ମ୍ୟାଚ୍ରେ ଓଡ଼ିଶା ଏଫ୍ସି ୩-୦ ଗୋଲ୍ରେ ଏକତରଫା ଭାବେ ଘରୋଇ ଦଳ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରି ଏହି ସଫଳତା ପାଇଛି। ମ୍ୟାଚ୍ର ୨୭ ମିନିଟ୍ରେ ଡିଏଗୋ ମୌରିସିଓଙ୍କ ଗୋଲ୍ରେ ଓଡ଼ିଶା ଏଫ୍ସି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧର ଆହତ ସମୟରେ ଇସାକ୍ ଭାନ୍ଲାଲରୁଆଟଫେଲାଙ୍କ ପାସ୍କୁ ରୟ କ୍ରୀଷ୍ଣ (୪୫+୧ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ୨-୦ରେ ଆଗୁଆ ରଖିଥିଲେ। ପ୍ରିନ୍ସଟନ୍ ରେବେଲୋଙ୍କ ପାସ୍ରେ ମୌରିସିଓ ୭୫ତମ ମିନିଟ୍ରେ ଆଉ ଏକ ଗୋଲ୍ ଦେଇ ବ୍ୟକ୍ତିଗତ ଭାବେ ଦ୍ବିତୀୟ ସଫଳତା ପାଇବା ସହ ଦଳକୁ ୩-୦ରେ ବିଜୟ ଭେଟି ଦେଇଥିଲେ। ଏଥିସହ ଓଡ଼ିଶା ଏଫ୍ସି ୧୪ ମ୍ୟାଚ୍ ଖେଳି ୯ ବିଜୟ, ୩ ଅମୀମାଂସିତ ଓ ୨ ପରାଜୟରୁ ମୋଟ ୩୦ ପଏଣ୍ଟ୍ ପାଇଛି।
ହାଇଦ୍ରାବାଦକୁ ହରାଇ ଶୀର୍ଷରେ ଓଡ଼ିଶା ଏଫ୍ସି
/sambad/media/post_attachments/wp-content/uploads/2024/02/fgjgdjggj.jpg)