ଭୁବନେଶ୍ବର: ଆଇଏସ୍‌ଏଲ୍‌ରୁ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ମଙ୍ଗଳବାର ଓଡ଼ିଶା ଏଫ୍‌ସି ଭେଟିବ ପଞ୍ଜାବ ଏଫ୍‌ସିକୁ। କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ସନ୍ଧ୍ୟା ସାଢେ ୭.୩୦ରେ ଆରମ୍ଭ ହେବ। ଘରୋଇ ମ୍ୟାଚ୍‌ଗୁଡ଼ିକରେ ଅପରାଜେୟ ଥିବା ଓଡ଼ିଶା ଏଫ୍‌ସି ଲିଗ୍‌ ପର୍ଯ୍ୟାୟରେ ଆଉ ୩ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ବିଜେତା ହେବା ଦୌଡ଼ରେ ରହିଛି। ବର୍ତ୍ତମାନ ଓଡ଼ିଶା ଏଫ୍‌ସି ୧୯ ମ୍ୟାଚ୍‌ରୁ ୩୬ ପଏଣ୍ଟ ପାଇଛି। ଟେବୁଲ୍‌ ଟପ୍ପର ମୁମ୍ବାଇ ସିଟି ଏଫ୍‌ସିଠାରୁ ଏହି ଦଳ ୮ ପଏଣ୍ଟ ପଛରେ ଅଛି। ଅନ୍ୟପକ୍ଷରେ ପଞ୍ଜାବ ଏଫ୍‌ସି ପଦାର୍ପଣ ଋତୁରେ ଚମତ୍କାର ପ୍ରଦର୍ଶନ କରିଛି। ‌ଗତ ମ୍ୟାଚ୍‌ରେ ଏଫ୍‌ସି ଗୋଆ ସହିତ ଅମୀମାଂସିତ ରଖିଥିବା ପଞ୍ଜାବ ଏବେ ୨୧ ପଏଣ୍ଟ ପାଇ ଅଷ୍ଟମ ସ୍ଥାନ‌ରେ ରହିଛି। ଏହି ଭ୍ରମଣକାରୀ ଦଳ ୩ ପଏଣ୍ଟ ସନ୍ଧାନରେ ଥିବା‌ବେଳେ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ବର ଆସିଛି। ଚଳିତ ଆଇପିଏଲ୍‌ରେ ଏହି ଦୁଇ ଦଳ ପୂର୍ବରୁ ଡିସେମ୍ବରରେ ଦିଲ୍ଲୀର ଜବାହରଲାଲ୍‌ ନେ‌ହରୁ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ଏଫ୍‌ସି ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା।

Advertisment

ସୋମବାର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେରା କହିଛନ୍ତି, ଘରୋଇ ପଡ଼ିଆରେ ଖେଳିବା ସବୁବେଳେ ସ୍ବତନ୍ତ୍ର। ଆମେ ଲିଗ୍‌ରେ ସବୁଠୁ ଶ୍ରେଷ୍ଠ ଦଳମାନଙ୍କୁ ହରାଇବା ଲକ୍ଷ୍ୟରେ ଖେଳୁଛୁ। ଏଥିପାଇଁ ପ୍ରଶଂସକମାନଙ୍କ ସମର୍ଥନ ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହିଥାଏ। ମଙ୍ଗଳବାର ମ୍ୟାଚ୍‌ରେ ମଧ୍ୟ ଦର୍ଶକମାନେ ବହୁମାତ୍ରାରେ ଷ୍ଟାଡିୟମ୍‌ରେ ଉପସ୍ଥିତ ରହି ଘରୋଇ ଦଳର ଖେଳାଳିଙ୍କୁ ଉତ୍ସାହିତ କରିବେ ବୋଲି ଆଶା। ପଞ୍ଜାବ ଏଫ୍‌ସି ଏକ ସୁଂଗଠିତ ଦଳ ଏବଂ ସ୍ଥିର ପ୍ରଦର୍ଶନ ଦେଇଆସୁଛି। ଆମେ ଏହି ଦଳର ସାମର୍ଥ୍ୟ ଓ ଦୁର୍ବଳତାକୁ ପରଖିସାରିଛୁ। ସେହି ଅନୁସାରେ ରଣନୀତି ମଧ୍ୟ ପ୍ରସ୍ତୁତ ରହିଛି। ମ୍ୟାଚ୍‌ରୁ ଆମେ ୩ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ଖେଳିବୁ। କିନ୍ତୁ ଏହା ‌ଏତେ ସହଜ ହେବନି। ତଥାପି ସମସ୍ତ ପ୍ରକାରର ଆହ୍ବାନ ପାଇଁ ଆମେ ପ୍ରସ୍ତୁତ ଅଛୁ। ସେହିପରି ଗୋଲ୍‌ରକ୍ଷକ ଲାଲ୍‌ଥୁଆମାୱିଆ ରାଲ୍‌ଟେ କହିଛନ୍ତି, ମଙ୍ଗଳବାରର ମ୍ୟାଚ୍‌ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ହେବ। ଏଥିପାଇଁ ସମସ୍ତ ଖେଳାଳି ପ୍ରସ୍ତୁତ ରହିଥିବା ବେଳେ ପ୍ରଶଂସକଙ୍କୁ ଦଳ ଆଦୌ ନିରାଶ କରିବନି।