ଦୁଇ ବର୍ଷ ପରେ ଘରକୁ ଫେରିଲା ଓଡ଼ିଶା ଏଫ୍‌ସି: ଡୁରାଣ୍ଡ କପ୍‌ ଉପରେ ପ୍ରଶିକ୍ଷକ ଗମ୍ବାଉଙ୍କ ନଜର

ଭୁବନେଶ୍ବର: କୋଭିଡ୍-୧୯ ପାଇଁ ଗତ ଦୁଇ ବର୍ଷ ହେବ ଗୋଆରେ ରହି ବନ୍ଦ ଦ୍ବାର ଭିତରେ ଆଇଏସ୍‌ଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ଖେଳୁଥିବା ଓଡ଼ିଶା ଏଫ୍‌ଏସି ଘରକୁ ଫେରିଛି। ଆସନ୍ତାଋତୁ ପାଇଁ ଭୁବନେଶ୍ବରରେ ରହି ପ୍ରସ୍ତୁତି ଆରମ୍ଭ କରିଛି। ଦଳ ସ୍ଥାନୀୟ ୧୨୦ ବାଟାଲିୟନ ପଡ଼ିଆରେ ଅଭ୍ୟାସ କରୁଥିଲା ବେଳେ ଦୀର୍ଘ ବ୍ୟବଧାନ ପରେ ଖେଳାଳି ଓ ପ୍ରଶିକ୍ଷକ ମଣ୍ଡଳି ଓଡ଼ିଶା ଫେରି ‌‌ବେଶ୍ ଉତ୍ସାହିତ ଅଛନ୍ତି। ସେହିଭଳି ୨୦୧୯-୨୦ରେ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଥିବା ଜୋସେଫ ଗମ୍ବାଉ ପୁଣି ଥରେ ଫେରିଛନ୍ତି। ୨୦୨୨-୨୩ ଋତୁରେ ଦଳ ତାଙ୍କ ପ୍ରଶିକ୍ଷଣରେ ଖେଳିବ। ସେହିଭଳି ଓଡ଼ିଶା ଏଫ୍‌ସି ମହିଳା ଦଳର ପ୍ରଶିକ୍ଷକ ଭାବେ କ୍ରିପସନ୍ ଛେତ୍ରୀ ଯୋଗଦେଇଛନ୍ତି। ଛେତ୍ରୀ ଏହା ପୂର୍ବରୁ ଓଡ଼ିଶା ରାଜ୍ୟ ମହିଳା ଫୁଟବଲ୍ ଦଳ ସହ ସେଥୁ ଏଫ୍‌ସି ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ସଫଳତାର ସହ ତୁଲାଇ ସାରିଛନ୍ତି।

ସୋମବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ପ୍ରାକ୍ ଋତୁ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍‌ର ସଭାପତି ରାଜ୍ ଅଥୱାଲେ ସମଗ୍ର ଓଡ଼ିଶାରେ ସହର ଭିତ୍ତିକ ପ୍ରଶଂସକ ଗୋଷ୍ଠୀ ସୃଷ୍ଟି କରିବା ଲାଗି ଦଳ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିବା ପ୍ରକାଶ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ନୂଆ ନୂଆ ଫୁଟବଲ୍ ବୈଷୟିକ ଜ୍ଞାନ ସହ ଖେଳାଳିଙ୍କୁ ପରିଚିତ କରାଇବା ଲାଗି ଓଡ଼ିଶା ଏଫ୍‌ସି ଇଂଲଣ୍ଡର ୱାଟଫୋର୍ଡ ଏଫ୍‌ସି ଏବଂ ବ୍ରାଜିଲର ଅଭାଇ ଏଫ୍‌ସି ସହ ସହବନ୍ଧନ କରିଥିବା ସୂଚନା ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଗମ୍ବାଉ ସଂପ୍ରତି ଦଳ କିଭଳି ଭାବେ ଡୁରାଣ୍ଡ କପ୍‌ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରିଛି ସେ ବିଷୟରେ ବିସ୍ତୃତ ବିବରଣୀ ‌ପ୍ରଦାନ କରିଥିଲେ। ଓଡ଼ିଶାରୁ ଅଧିକରୁ ଅଧିକ ଫୁଟବଲ୍ ତାରକା ସୃଷ୍ଟି କରିବାକୁ ହେଲେ ପ୍ରଥମେ ରାଜ୍ୟରେ ପ୍ରଚଳିତ ଫୁଟବଲ୍ ବ୍ୟବସ୍ଥାକୁ ସଜାଡ଼ିବା ସହ ଏଠାରେ ଫୁଟବଲ୍ ସଂସ୍କୃତି ସୃଷ୍ଟି କରିବାକୁ ହେବ ବୋଲି ସହକାରୀ ପ୍ରଶିକ୍ଷକ କ୍ଲିଫର୍ଡ ମିରାଣ୍ଡା ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ମହାପ୍ରବନ୍ଧକ ଅଭିଷେକ ବାନାର୍ଜୀଙ୍କ ସହ କ୍ଲବର ମିଡିଆ ବିଭାଗ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଡୁରାଣ୍ଡ କପ୍ ଚଳିତ ମାସ ୧୬ ତାରିଖରୁ ଭାରତର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ। ଏଥିରେ ଆଇଏସ୍‌ଏଲ୍‌ର ୧୧, ଆଇ-ଲିଗ୍‌ର ୫ ଓ ଭାରତୀୟ ସେନାର ୪ ଦଳ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର