ଓଡ଼ିଶା ଏଫ୍‌ସିର ଦ୍ବିତୀୟ ପର୍ଯ୍ୟାୟ ପ୍ରତିଭା ଅନ୍ବେଷଣ

ଶୁଭମଙ୍କ ଭଳି ଖେଳାଳି ଖୋଜୁଛୁ: ସିଙ୍ଗତୋ

ଭୁବନେଶ୍ବର: ଓଡ଼ିଶା ଏଫ୍‌ସିର ଦ୍ବିତୀୟ ପର୍ଯ୍ୟାୟ ତୃଣମୂଳସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ରବିବାର ୟୁନିଟ୍‌-୬ ବାଳକ ହାଇସ୍କୁଲ୍‌ ଏବଂ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ବର ଏବଂ ରାଉରକେଲାରୁ ମନୋନୀତ ପ୍ରାୟ ୭୦ ଜଣ ଏଥିରେ ଅଂଶଗ୍ରହଣ କରିଥିଲେ। ୧୮ ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳିଙ୍କ ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଦୁଇଟି ଭାଗରେ ପୂର୍ବାହ୍ନ ଓ ଅପରାହ୍ନରେ କରାଯାଇଥିଲା। ଚୂଡାନ୍ତ ପର୍ଯ୍ୟାୟ ଲାଗି ଖେଳାଳି ମନୋନୀତ ହେବା ପରେ ସେଥିରୁ ଆସନ୍ତା ଋତୁର ହିରୋ ଏଲିଟ୍‌ ଲିଗ୍‌ ୧୮ ବର୍ଷରୁ କମ୍‌ ଓଡ଼ିଶା ଏଫ୍‌ସି ଦଳରେ ସେମାନଙ୍କୁ ସ‌ୁଯୋଗ ମିଳିବ। ଓଡ଼ିଶା ଏଫ୍‌ସିର ସହକାରୀ ପ୍ରଶିକ୍ଷକ ଥଙ୍ଗବୋଇ ସିଙ୍ଗତୋ, ତୃଣମୂଳ ପ୍ରଶିକ୍ଷକ ମହାବୀର ନାଥ, ଅଶ୍ବର୍ଯ୍ୟନ ପିଲ୍ଲାଇ, ତୃଣମୂଳ ପ୍ରବଂଧକ ସାୟନ୍ତନ ଗାଙ୍ଗୁଲି, ସହକାରୀ ଶୁଭମ ଦାସ ରବିବାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଯୁବ ବର୍ଗ ଲାଗି ଉପଯୁକ୍ତ ବ୍ୟବସ୍ଥା ସଜାଡ଼ି ରଖିବା ଲାଗି ସବୁବେଳେ ଏହି ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମ ହେଉଛି। ଅନ୍ୟ ଖେଳ ଭଳି ଓଡ଼ିଶା ସରକାର ଫୁଟ୍‌ବଲ୍‌କୁ ବେଶ୍‌ ସମର୍ଥନ କରି ଆସୁଛନ୍ତି। ଓଡ଼ିଶା ପିଲାଙ୍କ ପାଇଁ ଏହା ଅପୂର୍ବ ସୁଯୋଗ ଆଣି‌‌ ଦେଇଛି‌’ ବୋଲି କହିଛନ୍ତି ଥାଙ୍ଗବୋଇ ସିଙ୍ଗତୋ।‌ ପେସାଦାର ତାଲିମ ଏବଂ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍‌ ସ୍ଥାନୀୟ ଖେଳ‌ାଳିଙ୍କୁ ଜାତୀୟ ଏବଂ ଆଇଏସ୍‌ଏଲ୍‌ ବରିଷ୍ଠ ଦଳ ଲାଗି ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ନେଇଥାଏ। ଯୁବ ଖେଳାଳିଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ଏଫ୍‌ସିର ଫୁଟ୍‌ବଲ୍ ବିକାଶ ମୁଖ୍ୟ ଆକାଶ ନରୁଲା।

ଶୁଭମଙ୍କ ଭଳି ଖେଳାଳି ଖୋଜୁଛୁ: ସିଙ୍ଗତୋ
ଭୁବନେଶ୍ବର: ଓଡ଼ିଶା ଏଫ୍‌ସିର ବିଭିନ୍ନ ବର୍ଗ ଦଳ ପାଇଁ ସଂରକ୍ଷିତ ଖେଳାଳି ଖୋଜିବା ଲାଗି ତୃଣମୂଳସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ହେଉଛି। ସ୍ଥାନୀୟ ଖେଳାଳିଙ୍କ ନିକଟରେ ଥିବା ଫୁଟ୍‌ବଲ୍‌ ପ୍ରତିଭାଙ୍କୁ‌ ଚିହ୍ନଟ କରିବା ପରେ ନିଶ୍ଚିତ ସେମାନଙ୍କୁ ଭବିଷ୍ୟତ ଲାଗି ଗଢ଼ି ତୋଳାଯିବ। ରାଜ୍ୟ ବ୍ୟାପୀ ପ୍ରତିଭା ଅନ୍ବେଷଣ ସମ୍ଭବ ହୋଇନଥିଲେ ମଧ୍ୟ କଟକ, ରାଉରକେଲା, ଭୁବନେଶ୍ବର ଏବଂ ଏହାର ଆଖପାଖରୁ ଖେଳାଳିଙ୍କୁ ପ୍ରଥମ ଦୁଇ ପର୍ଯ୍ୟାୟରେ ସାମିଲ କରାଯାଇଛି। ଗୋଟିଏ ଦିନରେ ପ୍ରତିଭା ମିଳିଯିବେ ନାହିଁ କି ସେମାନଙ୍କୁ ପ୍ରସ୍ତୁତ କରାଯାଇ ପାରିବ ନାହିଁ। ତଥାପି ଆସିଥିବା ଖେଳାଳିଙ୍କ ମଧ୍ୟରେ ୨/୩ ଜଣ ପ୍ରତିଭାବାନ ଖେଳାଳି ରହିଛନ୍ତି। ଓଡ଼ିଶା ଏଫ୍‌ସି ଆଇଏସ୍‌ଏଲ୍ ଦଳରେ ଥିବା ଶୁଭମ ଷଡ଼ଙ୍ଗୀଙ୍କ ଭଳି‌‌ ଖେଳାଳିଙ୍କୁ ଆମେ ଖୋଜୁଛୁ। ନିଶ୍ଚିତ ଚୂଡାନ୍ତ ପର୍ଯ୍ୟାୟ ପ୍ରତିଭା ଅନ୍ବେଷଣ ପରେ କିଛି ଓଡ଼ିଶା ଖେଳାଳି ମିଳିଯିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଓଡ଼ିଶା ଏଫ୍‌ସିର ସହକାରୀ ପ୍ରଶିକ୍ଷକ ଥଙ୍ଗବୋଇ ସିଙ୍ଗ୍‌‌ତୋ।

ଓଡ଼ିଶା ଏଫ୍‌ସିର ଆଇଏସ୍‌ଏଲ୍‌-୨୦୨୦ ସେମିଫାଇନାଲ୍‌ ସମ୍ଭାବନା ସମ୍ପର୍କରେ ସିଙ୍ଗ୍‌ତୋ କହିଥିଲେ, ‘ନୂଆ ସହରକୁ ସ୍ଥାନାନ୍ତର ହେବା ଏତେ ସହଜ ନଥିଲା। ତଥାପି ଓଡ଼ିଶା ସରକାର ଓ ପ୍ରଶଂସକଙ୍କଠାରୁ ମିଳିଥିବା ସମର୍ଥନ ବଳରେ ଦଳ ଅଗ୍ରସର ହୋଇଛି। ସେମିଫାଇନାଲ୍ ପ୍ରବେଶ ନେଇ ଦଳର ସମ୍ଭାବନା ରହିଛି। କିନ୍ତୁ ସ୍ଥିତି ଏବେ ଆମ ହାତରେ କମ୍‌, ଅନ୍ୟ ହାତରେ ଅଧିକ ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ। ଆମର ଶେଷ ପ୍ରତିଦ୍ବନ୍ଦ୍ବୀ କେରଳ ବ୍ଲାଷ୍ଟର୍ସ ନିଶ୍ଚିତ ଏକ ଭଲ ଦଳ। ଗତ ମ୍ୟାଚ୍‌କୁ ବିଏଫସି ବିପକ୍ଷରେ ମଧ୍ୟ ଦଳ ଜିତିଛି। ଆମକୁ କିନ୍ତୁ ‘ଆମ ଟିମ୍ ଆମ ଗେମ୍‌’ରେ ବିଶ୍ବାସ ରଖି ପ୍ରଥମେ ଜିତିବାକୁ ପଡ଼ିବ ଏବଂ ଅନ୍ୟର ଫଳାଫଳ ଉପରେ ନିର୍ଭର କରିବାକୁ ହେବ ବୋଲି କହିଥିଲେ ଏହି ୪୫ ବର୍ଷୀୟ ମଣିପୁର ପ୍ରଶିକ୍ଷକ। ୨୦୧୩ରୁ ପ୍ରଶିକ୍ଷକ ଜୀବନ ଆରମ୍ଭ କରିଥିବା ସିଙ୍ଗ୍‌ତୋ ସିଲଂ ଲାଜଙ୍ଗ ଏବଂ କେରଳ ବ୍ଲାଷ୍ଟର୍ସ ସହିତ କାମ କରିଥିଲେ। ଏବେ ଯୋସେପ୍‌ ଗମ୍ବାଉଙ୍କ ଅଧୀନରେ ଓଡ଼ିଶା ଏଫ୍‌ସିର ସହକାରୀ ପ୍ରଶିକ୍ଷକ ରହିଛନ୍ତି।

ସମ୍ବନ୍ଧିତ ଖବର