ଆଜି ଏଟିକେ ମୋହନ ବାଗାନକୁ ‌ଭେଟିବ ଓଡ଼ିଶା ଏଫ୍‌ସି

ଭୁ‌ବନେଶ୍ବର : ବିଜୟ ପାଇଁ ସଂଘର୍ଷ ଚଳାଇଥିବା ଓଡ଼ିଶା ଏଫ୍‌ସି ଶନିବାର ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ପଡ଼ୋଶୀ ଏଟିକେ ମୋହନ ବାଗାନ ଏଫ୍‌ସିକୁ ଭେଟିବ। ୧୧ ଦଳୀୟ ପ୍ରତିଯୋଗିତାର ଶେଷ ସ୍ଥାନରେ ଥିବା ଓଡ଼ିଶା (୮ ପଏଣ୍ଟ୍‌) ପାଇଁ ଏହି ମ୍ୟାଚ୍‌ ଫାଇନାଲ୍‌ ସଦୃଶ। କାରଣ ଏହି ମ୍ୟାଚ୍‌ ହାରିଲେ ପ୍ଲେ ଅଫ୍‌ ଖେଳିବା ଆଶା ସମ୍ପୂର୍ଣ୍ଣ ମଉଳିଯିବ। ତେଣୁ ଦଳ ଜିତିବା ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରିବ। ସଂପ୍ରତି ଭୁବନେଶ୍ବର ଦଳ ୧୪ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ପାଇଥିଲା ବେଳେ ୫ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଛି ଏବଂ ୮ଟିରେ ପରାଜିତ ହୋଇଛି। ‌ଓଡ଼ିଶା ଗୋଲ୍‌ ବରଣ କରିବାରେ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ଦୁଇଟି ଆତ୍ମଘାତୀ ବାଦ୍‌ ଦଳ ମାତ୍ର ୧୧ ଗୋଲ୍‌ ମାରିବାକୁ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ଏଟିକେ ମୋହନ ବାଗାନ (୨୭ ପଏଣ୍ଟ୍‌) ୧୪ ମ୍ୟାଚ୍‌ରୁ ୮ ବିଜୟ, ୩ ଲେଖାଏଁ ଅମୀମାଂସିତ ଓ ପରାଜୟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫ୍‌ ଖେଳିବାର ଆଶା ବଳବତ୍ତର ରଖିଛି। ଫଳରେ ଏହି କୋଲ୍‌କାତାର ଦଳ ଓଡ଼ିଶାଠୁ ବହୁ ଆଗରେ ରହିଛି। ହେଲେ ପ୍ରଥମ ଚରଣ ମ୍ୟାଚ୍‌ରେ ଓଡ଼ିଶା ଏହି ଦଳକୁ କଡ଼ା ଟକ୍କର ଦେଇଥିଲା। ‌ଆହତ ସମୟରେ କ୍ରିଷ୍ଣା ରୟଙ୍କ ଗୋଲ୍‌ ବଳରେ ବାଗାନ ଜିତିବାକୁ ସକ୍ଷମ ହୋଇଥିଲା। ତେଣୁ ଶନିବାର ମ୍ୟାଚ୍‌ରେ ବାଗାନକୁ ଓଡ଼ିଶା ସହଜରେ ବାଟ ଛାଡ଼ିବନି। ଓଡ଼ିଶା ଦଳର ଅଧିନାୟକ ଷ୍ଟିଭେନ୍‌ ଟେଲର ବାସନ୍ଦ ହୋଇଥିବାରୁ ଏହି ମ୍ୟାଚ୍‌ ଖେଳିପାରିବେନି। ଦଳ ପାଇଁ ଏହା ଏକ ବଡ଼ ଝଟ୍‌କା। ତଥାପି ପୂର୍ବତନ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟରଙ୍କ ବଦ‌ଳରେ ଗେରାଲ୍ଡ ପେଟନ (ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ)ଙ୍କ ତତ୍ତ୍ବାବଧାନରେ କଳିଙ୍ଗ ଯୋଦ୍ଧା ନୂଆ ଆଶା ନେଇ ପଡ଼ିଆକୁ ଓହ୍ଲାଇବ।

ଗତ ୬ ମ୍ୟାଚ୍‌ରେ ଆମର ପ୍ରଦର୍ଶନ ସକାରାତ୍ମକ ରହିଛି। ବିଜୟର ନିକଟବର୍ତ୍ତୀ ହୋଇ ଅଳ୍ପକେ ପୂରା ପଏଣ୍ଟ୍‌ ହାତେଇବାରୁ ବିଫଳ ହୋଇଛୁ। ଏହି ଭୁଲ୍‌କୁ ସୁଧାରିବାକୁ ପୂରା ଚେଷ୍ଟା କରିବୁ। ବିଶେଷ କରି ସଠିକ୍‌ ପାସ୍‌ ସହ କିଭଳି ସୁଯୋଗକୁ ଗୋଲ୍‌ରେ ପରିଣତ କରିବୁ ତାହା ଉପରେ ଧ୍ୟାନ ଦେବୁ। ଟେଲର ନ ଖେଳିବା ଆମ ପାଇଁ ବଡ଼ କ୍ଷତି। ସେ ପୂରା ଋତୁରେ ଚମତ୍କାର ଖେଳିଥିଲେ। ଯାହା ବି ହେଉ ଆସନ୍ତାକାଲି ଆମେ ଦୃଢ଼ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇବୁ। ବିଜୟ ପାଇଁ ପିଲାମାନଙ୍କ ସକାରାତ୍ମକ ମନୋଭାବ ରହିଛି। ବାଗାନ ଭଲ ଦଳ। ସେମାନଙ୍କ ପାଖରେ ଚମତ୍କାର ଖେଳାଳି ଅଛନ୍ତି ଏବଂ ନିଜର ସାମର୍ଥ୍ୟ ଅନୁସାରେ ଖେଳିବାକୁ ବଦ୍ଧ ପରିକର। ତଥାପି ଆମେ ଆଶା ପୂରଣ କରିପାରିବୁ ବୋଲି ପେଟନ୍‌ ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀ‌ରେ ପ୍ରକାଶ କରିଛନ୍ତି।

ମୁମ୍ବାଇ ବିପକ୍ଷରେ ଯାହା ଥିଲା ଓଡ଼ିଶା ବିପକ୍ଷରେ ମଧ୍ୟ ସେହି ସମାନ ରଣନୀତି ଅପଣାଇବୁ। ‌ପ୍ରଶିକ୍ଷକ ବଦଳିଥିବାରୁ ସେମାନେ ଏବେ ସ୍ବତନ୍ତ୍ର ସ୍ଥିତିରେ ରହିଛନ୍ତି। ପ୍ରଶିକ୍ଷକ ବଦଳିଲେ ଫଳାଫଳ ବି ବଦଳିପାରେ, ଖେଳାଳିଙ୍କ ମନୋବଳ ବଢ଼ିଯାଏ ବୋଲି ଏଟିକେ ମୋହନ ବାଗାନ ପ୍ରଶିକ୍ଷକ ଆଣ୍ଟୋନିଓ ଲୋପେଜ ହାବାସ କହିଛନ୍ତି। ମଧ୍ୟଭାଗ ଖେଳାଳି କାର୍ଲ ମ୍ୟାକ୍‌ହଗ୍‌ ବାସନ୍ଦ ହୋଇଥିବାରୁ ତାଙ୍କ ସ୍ଥାନରେ ଏଫ୍‌ସି ଗୋଆରୁ ଆସିଥିବା ଲେନି ରୋଦ୍ରିଗୁଏଜ୍‌ ଖେଳିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଚେନ୍ନାୟିନ୍‌-ବେଙ୍ଗାଲୁରୁ ଗୋଲ୍‌ ଶୂନ୍ୟ
ଗୋଆ : ଶୁକ୍ରବାର ଚେନ୍ନାୟିନ୍‌ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଛି। ନିର୍ଧାରିତ ସମୟରେ ଉଭୟ ଦଳ ଗୋଲ୍‌ ‌ଦେବାକୁ ସକ୍ଷମ ହୋଇନଥିଲେ। ଫଳରେ ଉଭୟ ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ୍‌ ବାଣ୍ଟି ନେଇଥିଲେ। ଏହି ମ୍ୟାଚ୍‌ ଅମୀମାଂସିତ ଯୋଗୁଁ ‌ବେଙ୍ଗାଲୁରୁ (୧୯ ପଏଣ୍ଟ୍‌) ଟେବୁଲର ଷଷ୍ଠ ଏବଂ ଚେନ୍ନାୟିନ୍‌ (୧୭ ପଏଣ୍ଟ୍‌) ଅଷ୍ଟମ ସ୍ଥାନରେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର