ଭୁବନେଶ୍ବର: ପୂର୍ବ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସକୁ ୪-୨ ଗୋଲ୍ରେ ପରାସ୍ତ କରି ବିଜୟ ଖାତା ଖୋଲିଥିବା ଓଡ଼ିଶା ଏଫ୍ସି ଦଳ ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ରବିବାର ଚେନ୍ନାୟିନ୍ ଏଫ୍ସିକୁ ଭେଟିବ। ବାମ୍ବୋଲିମ୍ର ଜିଏମ୍ସି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବାକୁ ଯାଉଥିଲା ବେଳେ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଥିବା ଓଡ଼ିଶା ଏଫ୍ସି ଲଗାତାର ବିଜୟ ହାସଲ ଲକ୍ଷ୍ୟ ରଖିଛି। କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଦଳରେ କେତେକ ପରିବର୍ତନ କରିଥିଲୁ। ଅଷ୍ଟ୍ରେଲୀୟ ଡିଫେଣ୍ଡର ଜାକୋବ୍ ଟ୍ରଟ୍ ଭିନ୍ନ ଭୂମିକା ନିଭାଇଥିଲେ ଏବଂ ଦଳ ପାଇଁ ଭଲ ଅବଦାନ ଛାଡ଼ିଥିଲେ। ସେଣ୍ଟର ବ୍ୟାକ୍ରେ ବୋରା ମଧ୍ୟ ଚମତ୍କାର ଖେଳିଥିଲେ। ତେବେ ଡିଆଗୋ ମୌରିସିଓ ଚଳିତ ଋତୁରେ ଦଳର ସବୁଠୁ ଚମତ୍କାର ଖେଳାଳି ରହିଛନ୍ତି। ୨୯ ବର୍ଷ ବୟସ୍କ ଏହି ବ୍ରାଜିଲ ତାରକା ୯ ମ୍ୟାଚ୍ରୁ ୫ ଗୋଲ୍ କରିସାରିଛନ୍ତି। ସେ ଖୁବ୍ ବିପଦପୂର୍ଣ୍ଣ ଖେଳାଳି। ସେ ଭଲ ଭାବେ ମ୍ୟାଚ୍ର ସ୍ଥିତିକୁ ବୁଝିପାରନ୍ତି। ତଥାପି ଚଳିତ ଋତୁ ଆମ ପାଇଁ ଭଲ ଆରମ୍ଭ ଦେଇନି। ସେହି ଦୃଷ୍ଟିରୁ ଚେନ୍ନାୟିନ୍ ବିପକ୍ଷ ମ୍ୟାଚ୍ କଷ୍ଟକର ହୋଇପାରେ ହେଲେ ଦଳ କେରଳ ବ୍ଲାଷ୍ଟର୍ସକୁ ହରାଇ ଯେଉଁ ମନୋବଳ ଦୃଢ଼ କରିଛି ତାହାକୁ ପାଥେୟ କରି ବିଜୟ ଧାରାରେ ରହିପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଓଡ଼ିଶା ଏଫ୍ସିର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର। ଆମେ ଏକ ସଂଘର୍ଷମୂଳକ ମ୍ୟାଚ୍ ଆଶା କରିବୁ। ହେଲେ ପୂର୍ଣ୍ଣ ୩ ପଏଣ୍ଟ ହାସଲର ମଧ୍ୟ ଆଶା ରଖିବୁ ବୋଲି କହିଛନ୍ତି ବକ୍ସଟର।
ଏପର୍ଯ୍ୟନ୍ତ ଓଡ଼ିଶା ଏଫ୍ସି ୯ ମ୍ୟାଚ୍ରୁ ଗୋଟିଏ ବିଜୟ, ୬ ପରାଜୟ ଓ ୨ ଅମୀମାଂସିତରୁ ୫ ପଏଣ୍ଟ୍ ପାଇଁ ତାଲିକାର ଶେଷ ସ୍ଥାନରେ ଅପରିବର୍ତିତ ରହିଛି। ଅନ୍ୟପକ୍ଷରେ ସମାନ ସଂଖ୍ୟକ ୯ ମ୍ୟାଚ୍ରୁ ୨ ବିଜୟ, ୩ ପରାଜୟ ଏବଂ ୪ ଅମୀମାଂସିତ ବଳରେ ଚେନ୍ନାୟିନ୍ ଏଫ୍ସି ଏହି ୧୧ ଦଳୀୟ ପ୍ରତିଯୋଗିତାରେ ୧୦ ପଏଣ୍ଟ୍ ସହ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଏହି ଦଳ ମଧ୍ୟ ଓଡ଼ିଶା ଏଫ୍ସି ବିପକ୍ଷରେ ବିଜୟ ହାସଲ କରି ପୂର୍ଣ୍ଣ ୩ ପଏଣ୍ଟ୍ କରାୟତ୍ତ କରି ପଞ୍ଚମ ସ୍ଥାନକୁ ଲମ୍ଫ ଦେବା ଲକ୍ଷ୍ୟରେ ରହିଛି।
ବେଙ୍ଗାଲୁରୁର ଚତୁର୍ଥ ପରାଜୟ
ଶନିବାର ମ୍ୟାଚ୍ରେ ପୂର୍ବ ବିଜେତା ବେଙ୍ଗାଲୁରୁ ଏଫସିକୁ ୧-୦ ଗୋଲ୍ରେ ହରାଇ ପୂର୍ବାଞ୍ଚଳ ଦଳ ଇଷ୍ଟବେଙ୍ଗଲ୍ ନିଜ ଦ୍ବିତୀୟ ବିଜୟ ହାସଲ କରିଛି। ଏକମାତ୍ର ଗୋଲ୍ ୨୦ତମ ମିନିଟରେ ଦେଇଥିଲେ ମଟି ଷ୍ଟିମ୍ୟାନ୍। ଦ୍ବିତୀୟାର୍ଧରେ ସୁନିଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଦଳ ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ଗୋଲ ଦେବାରେ ସକ୍ଷମ ହୋଇନଥିଲା। ଏଥି ସହ ବେଙ୍ଗାଲୁରୁ ଲଗାତାର ଚତୁର୍ଥ ପରାଜୟ ବରଣ କରିଛି, ଯାହାକି ୨୦୧୭ ମସିହାରେ ଏହି ଦଳ ଆଇଏସ୍ଏଲରେ ଯୋଗଦେବା ପରଠାରୁ ପ୍ରଥମ ଥର ଘଟିଛି। ମୁଖ୍ୟ ପ୍ରଶିକ୍ଷକ ଚାର୍ଲସ କୁଆଡାର୍ଟଙ୍କୁ ବିଦା କରିବାର ପ୍ରଥମ ମ୍ୟାଚ୍ରେ ବି ବେଙ୍ଗାଲରୁ ନିଜ ଭାଗ୍ୟ ଫିଟାଇପାରିନାହିଁ। ଉଭୟ ଦଳ ଶନିବାର ନିଜ ନିଜ ଦଶମ ମ୍ୟାଚ୍ ଖେଳିଥିବା ବେଳେ ଲିଗ୍ ଟେବୁଲରେ ବେଙ୍ଗାଲୁରୁ ୧୨ ପଏଣ୍ଟ ସହ ଷଷ୍ଠ ଏବଂ ଇଷ୍ଟବେଙ୍ଗଲ୍ ୧୦ ପଏଣ୍ଟ ସହ ନବମରେ ଅପରିବର୍ତ୍ତିତ ରହିଛି।