ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ରେ ସୋମବାର ଜାମସେଦପୁର ଏଫ୍‌ସିକୁ ଭେଟିବ ଓଡ଼ିଶା ଏଫ୍‌ସି। ଉଭୟ ଦଳ ନିଜ ନିଜର ଗତ ଦୁଇ ମ୍ୟାଚ୍‌ ଅମୀମାଂସିତ ରଖିଛନ୍ତି। ଫଳରେ ଅମୀମାଂସିତକୁ ବିଜୟରେ ପରିଣତ କରିବା ଲକ୍ଷ୍ୟ ନେଇ ବମ୍ବୋଲିମସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ମଧ୍ୟ ୨-୨ରେ ଅମୀମାଂସିତ ରହିଥିଲା।

Advertisment

ପ୍ଲେ ଅଫ୍‌ ଦୁଇ ତିନି ସପ୍ତାହ ଥିବାରୁ ଆମେ ତାହା ଉପରେ କହିବାକୁ ଚାହୁଁନୁ। ଏବେ ଆଗାମୀ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ମୋର ଅଶା ଅଛି ଜିତିବୁ। ଯାହା ପାଇଁ ଆମେ ଏହି ସଂସ୍କରଣ ଆରମ୍ଭରୁ ଉଦ୍ୟମ କରିଆସୁଛୁ ବୋଲି ଓଡ଼ିଶା ଏଫ୍‌ସି ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି। କଳିଙ୍ଗ ଯୋଦ୍ଧା ୧୩ ମ୍ୟାଚ୍‌ ଖେଳିଥିଲା ବେଳେ କେବଳ ଗୋଟିଏ ଜିତିଛି ଓ ୫ଟି ଅମୀମାଂସିତ ‌ରଖିବାକୁ ସକ୍ଷମ ହୋଇଛି। ଏଥିସହ ଏହି ଦଳ ୭ଟିରେ ପରାସ୍ତ ହୋଇ ୮ ପଏଣ୍ଟ ସହ ୧୧ ଦଳୀୟ ପ୍ରତିଯୋଗିତାର ‌ସର୍ବଶେଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଜାମସେଦପୁର ୧୫ ପଏଣ୍ଟ ପାଇ ତାଲିକା‌ର ଅଷ୍ଟମ ସ୍ଥାନରେ ରହିଛି। ଜାମସେଦପୁର ଏକ ଲଢ଼ୁଆ ଦଳ। ସେମାନଙ୍କ ଖେଳ ଦେଖିଛି। ସେମାନଙ୍କ ନିକଟରେ ଭଲ ଖେଳାଳି ଅଛନ୍ତି ଏବଂ କାହାକୁ ସହଜରେ ବାଟ ଛାଡ଼ନ୍ତିନି। ଏକ କଷ୍ଟକର ମ୍ୟାଚ୍‌ ଛଡ଼ା ଅନ୍ୟ କିଛି ଭାବିନି ବୋଲି ବକ୍ସଟର କହିଛନ୍ତି।

ଓଡ଼ିଶା ଭଳି ଜାମସେଦପୁର ମଧ୍ୟ ବିଜୟ ପାଇଁ ସଂଘର୍ଷ କରୁଛି। ୧୪ ମ୍ୟାଚ୍‌‌ ଖେଳି କେବଳ ୩ଟିରେ ବିଜୟ ପାଇଛି। ଆମେ ଗତ କିଛି ମ୍ୟାଚ୍‌ରେ ବିଜୟ ହାତଛଡ଼ା କରି ଅମୀମାଂସିତରେ ଖୁସି ରହିଥିଲୁ। ଏହାକୁ ବଦଳାଇବାକୁ ଚେ‌ଷ୍ଟା କରିବୁ। ପୂରା ୩ ପଏଣ୍ଟ୍‌ ପାଇବା ଲକ୍ଷ୍ୟରେ ଖେଳିବୁ। ଆମର ଆହୁରି ୬ଟି ମ୍ୟାଚ୍‌ ବାକି ରହିଛି। ଫଳରେ ଶୀର୍ଷ‌ ୪ରେ ରହିବାକୁ ଚେଷ୍ଟା କରିବୁ। ଓଡ଼ିଶା ଚଳିତ ଋତୁରେ ଆମ ସହ ତା’ର ପ୍ରଥମ ମ୍ୟାଚ୍‌ ଖେଳିଥିଲା ଏବଂ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲା। ଏଥର କିନ୍ତୁ ଆମେ ବିଜୟ ପାଇଁ ଖେଳିବୁ ବୋଲି ଜାମସେଦପୁର ଏଫ୍‌ସି ମୁଖ୍ୟ ପ୍ରଶିକ୍ଷକ ଓୱେନ କୋୟଲ କହିଛନ୍ତି। ଓଡ଼ିଶା ନିକଟରେ ଚମତ୍କାର ଖେଳାଳି ରହିଛନ୍ତି। ସେମାନେ ଗୋଲ୍‌ ସ୍କୋର୍‌ କରିବାକୁ ସକ୍ଷମ। କାଲିର ମ୍ୟାଚ୍‌ ଚମତ୍କାର ହେବ। ଉଭୟ ଦଳ ବିଜୟ ଲକ୍ଷ୍ୟରେ ଖେଳିବ ବୋଲି କୋୟଲ କହିଛନ୍ତି।

ଭୁବନେଶ୍ବରରେ ଓଡ଼ିଶା ଏଫ୍‌ସିର ଫୁଟ୍‌ବଲ୍‌ କର୍ମଶାଳା
ଭୁବନେଶ୍ବର: ଆଇଏସ୍‌ଏଲ୍‌ କ୍ଲବ୍‌ ଓଡ଼ିଶା ଏଫ୍‌ସି ରବିବାର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ଫୁଟ୍‌ବଲ୍‌ କର୍ମଶାଳା ଆୟୋଜନ କରିଥିଲା। ଏଥିରେ ଓଡ଼ିଶା ଏଫ୍‌ସି ଫ୍ୟାନ୍‌ କ୍ଲବ୍‌ ଜୁଗାରନଟ୍ସ ସହଯୋଗ କରିଥିଲା। ଏହି କର୍ମଶାଳାରେ ପ୍ରାୟ ୧୦୦ ଫୁଟ୍‌ବଲ୍‌ପ୍ରେମୀ ଯୋଗ ଦେଇଥିଲେ। କ୍ଲବ୍‌ ପକ୍ଷରୁ ଏହାକୁ ତୃଣମୂଳ ପ୍ରଶିକ୍ଷକ ଐଶ୍ବର୍ଯ୍ୟାନ୍‌ ପିଲାଇ, ସୌରଭ ଭିର୍ଡି, ତୃଣମୂଳ ପ୍ରବନ୍ଧକ ଶୁଭମ ଦାସ ଓ ସ୍ବାଧୀନ ଦାସ ପରିଚାଳନା କରିଥିଲେ। ଓଡ଼ିଶା ଏଫ୍‌ସି ଓଡ଼ିଶାରେ କ୍ରୀଡ଼ାର ବିକାଶ ଲାଗି କାର୍ଯ୍ୟ କରୁଛି। ଏଥିପାଇଁ ଆଜି ଆମେ କର୍ମଶାଳାର ଆୟୋଜନ କରିଥିଲୁ। ଏଥିରେ ଫୁଟ୍‌ବଲ୍‌ ଉପରେ ସାଧାରଣ ଜ୍ଞାନ ବାଣ୍ଟିଥିଲୁ ବୋଲି ଏହି ଅବସରରେ ଶୁଭମ କହିଛନ୍ତି।