ଭୁବନେଶ୍ବର : ଜଗରନଟ୍ସ ଭାବେ ପରିଚିତ ଓଡ଼ିଶା ଏଫ୍ସି ତା’ର ଦ୍ବିତୀୟ ଆଇଡବ୍ଲୁଏଲ୍ (ଇଣ୍ଡିଅନ୍ ମହିଳା ଲିଗ୍)ରେ ରବିବାର କିକ୍ଷ୍ଟାର୍ଟ ଏଫ୍ସିକୁ ଭେଟିବ। ନିଜର ପ୍ରଥମ ମ୍ୟାଚ୍ରେ ଏହି ଭୁବନେଶ୍ବର ଭିତ୍ତିକ ମହିଳା ଫୁଟ୍ବଲ୍ ଦଳ ସିଆର୍ପିଏଫ୍ ଏଫ୍ସିକୁ ୬-୦ ଗୋଲ୍ରେ ହରାଇ ଦୃଢ଼ ମନୋବଳରେ ରହିଛି। ଗ୍ରେସ, ସିନ୍ଥିଆ, ଫୌସ୍ତିନା, ଲିଣ୍ଡା, ବାଲା ଓ ଯଶୋଦା ଗୋଟିଏ ଲେଖାଏଁ ଗୋଲ୍ ଦେଇ ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ। ତେଣୁ ବାଲାଙ୍କ ନେତୃତ୍ବଧୀନ ଓଡ଼ିଶା ଦଳ ଆସନ୍ତାକାଲି ବିଜୟ ସହ ପୂରା ୩ ପଏଣ୍ଟ କରାୟତ୍ତ କରିବାକୁ ଚାହିଁବ।
ଅନ୍ୟପକ୍ଷରେ କିକ୍ଷ୍ଟାର୍ଟ ଏଫ୍ସି ନିଜର ପ୍ରଥମ ମ୍ୟାଚ୍ରେ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିଅନ୍ଠୁ ହାରିଯାଇଥିଲା। ଏହି ଦଳ କର୍ଣ୍ଣାଟକ ମହିଳା ଲିଗ୍ରେ ଚମତ୍କାର ପ୍ରଦର୍ଶନ କରି ଆଇଡବ୍ଲୁଏଲ୍କୁ ଯୋଗ୍ୟତା ଅର୍ଜନ କରିଥିଲା। ଭାରତର ଅନ୍ତର୍ଜାତୀୟ ଖେଳାଳି ଡାଲିମା ଛିବରଙ୍କ ନେତୃତ୍ବରେ ଦଳ ପ୍ରତ୍ୟାବର୍ତ୍ତନ କରିବାକୁ ରବିବାର ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍ ଅହମଦାବାଦର ଶାହିବଗ ପୁଲିସ ଗ୍ରାଉଣ୍ଡରେ ରାତି ୮ଟାରେ ଖେଳାଯିବ।