ଭୁବନେଶ୍ବର: ସୁପର କପ୍ ପଦାର୍ପଣରେ ଓଡ଼ିଶା ଏଫ୍ସି ବିଜେତା ହେବାର ଗୌରବ ଅର୍ଜନ କରିଛି। ମଙ୍ଗଳବାର କେରଳର କୋଝିକୋଡ଼ସ୍ଥିତ ଇଏମ୍ଏସ୍ କର୍ପୋରେସନ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଏହି ଭୁବନେଶ୍ବର ଭିତ୍ତିକ ଦଳ ୨-୧ ଗୋଲ୍ରେ ଦେଶର ଶୀର୍ଷସ୍ତରୀୟ ଦଳ ବେଙ୍ଗାଲୁରୁ ଏଫ୍ସିକୁ ମାତ୍ ଦେଇଛି। ଚଳିତ ଘରୋଇ ଋତୁରେ ବେଙ୍ଗାଲୁରୁର ଏହା ତୃତୀୟ ଫାଇନାଲ୍ ହୋଇଥିବାରୁ ସୁପର କପ୍ର ପ୍ରମୁଖ ଦାବିଦାର ଥିଲା। ହେଲେ ଜଗରନଟ୍ସ ଭାବେ ପରିଚିତ ଓଡ଼ିଶା ଏଫ୍ସି ଏହି ଦଳର ସବୁ ଆଶାକୁ ଧୂଳିସାତ୍ କରିଦେଇଥିଲା।
ମ୍ୟାଚ୍ର ୨୩ତମ ମିନିଟ୍ରେ ଦଳକୁ ମିଳିଥିବା ଫ୍ରି କିକ୍କୁ ଆଇଏସ୍ଏଲ୍ ଗୋଲ୍ଡେନ୍ ବୁଟ୍ ବିଜେତା ଡିଏଗୋ ମୌରିସିଓ ଗୋଲ୍ରେ ପରିଣତ କରି ଜଗରନଟ୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାର ୧୫ ମିନିଟ୍ ପରେ ଜେରି ମାୱିମିଙ୍ଗଥାଙ୍ଗାଙ୍କ ସୁନ୍ଦର ପାସ୍କୁ ବେଙ୍ଗାଲୁରୁ ଗୋଲ୍ ପୋଷ୍ଟ୍କୁ ମୌରସିଓ ପଠାଇ ଯୁଗଳ ସଫଳତା ପାଇଥିଲେ। ଏହି ଗୋଲ୍ ବଳରେ ଓଡ଼ିଶା ଏଫ୍ସି ପ୍ରଥମାର୍ଦ୍ଧକୁ ୨-୦ରେ ନିଜ ପକ୍ଷରେ ରଖିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ବେଙ୍ଗାଲୁରୁ ଗୋଲ୍ ଶୁଝିବାକୁ ବହୁ ଚେଷ୍ଟା କରିଥିଲା। ହେଲେ ଓଡ଼ିଶା ଗୋଲି ଅମିରିନ୍ଦର ସିଂହ ସବୁ ନିଷ୍ଫଳ କରିଦେଇଥିଲେ। ତେବେ ୮୫ତମ ମିନିଟ୍ରେ ବେଙ୍ଗାଲୁରୁକୁ ମିଳିଥିବା ପେନାଲ୍ଟିକୁ ସୁନିଲ ଛେତ୍ରୀ ଗୋଲ୍ ଦେଇ ସ୍ଥିତି ୧-୨ କରିଥିଲେ। ଏହା ପରେ ଗୋଲ୍ ନ ହେବାରୁ ଓଡ଼ିଶା ୨-୧ ବ୍ୟବଧାନରେ ବିଜୟୀ ହୋଇଥିଲା। ଓଡ଼ିଶାର ଏହି ବିଜୟ ସହ କ୍ଲିଫାର୍ଡ ମିରାଣ୍ଡା ପ୍ରଥମ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଭାବେ ସୁପର କପ୍ ଜିତିବାର ଗୌରବ ପାଇଥିଲେ। ଦୁଇଟି ଗୋଲ୍ ଦେଇଥିବା ମୌରିସିଓ ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।