ପରାଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ବର: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଗୋଆର ବାମୋଲିମସ୍ଥିତ ଜିଏମ୍‌ସି ‌ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିକୁ ୧-୦ ଗୋଲ୍‌ରେ ହାଇଦ୍ରାବାଦ ଏଫ୍‌ସି ପରାସ୍ତ କରିଛି। ମ୍ୟାଚ୍‌ର ୩୪ତମ ମିନିଟ୍‌ରେ ଓଡ଼ିଶାର ଷ୍ଟିଭେନ୍‌ ଟେଲର ହାଇଦ୍ରାବାଦର ହାଲିଚରଣ ନାର୍ଜାରିଙ୍କୁ ଫାଉଲ୍‌ ମାରିବାରୁ ‌ହଳଦିଆ କାର୍ଡ ପାଇଥିଲେ। ଏଥିସହ ରେଫରି ‌ପେନାଲ୍ଟି ଦେବାରୁ ଏହି ସୁବର୍ଣ୍ଣ ସୁଯୋଗକୁ ଆରିଡାନ୍‌ ସାଣ୍ଟାନା (୩୫ ମିନିଟ୍‌) ଗୋଲ୍‌ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଧ ୧-୦ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ଉଭୟ ଦଳ ଗୋଲ୍‌ ଦେବାକୁ କଡ଼ା ସଂଘର୍ଷ କରିଥିଲେ। ହେଲେ ‌କେହି କାହାରିକି ଗୋଲ୍‌ ଦେବାରେ ସକ୍ଷମ ହୋଇନଥିଲେ। ‌ପ୍ରାରମ୍ଭିକ ଅଗ୍ରଣୀ ପାଇଥିବା ହାଇଦ୍ରାବାଦ ମ୍ୟାଚ୍‌ ଜିତି ନେବା ସହ ଗତ ବର୍ଷ ଓଡ଼ିଶା ଏଫ୍‌ସି ବିପକ୍ଷ ଯୁଗଳ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା। ମଙ୍ଗଳବାର ଜାମସେଦପୁର ଏଫ୍‌ସି ସହ ଚେନ୍ନାୟିନ୍‌ ଏଫ୍‌ସି ମୁକାବିଲା ହେବ।

ସମ୍ବନ୍ଧିତ ଖବର