ଭୁବନେଶ୍ବର: ଓଡ଼ିଶା ଏଫ୍‌ସିର ଆଇଏସ୍‌ଏଲ୍‌ ୨୦୨୪-୨୫ ଅଭିଯାନ ଶନିବାରଠୁ ଆରମ୍ଭ ହେବ। ସର୍ଜିଓ ଲୋବେରାଙ୍କ ଏହି ଦଳ ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଦୁଇ ଥରର ବିଜେତା ଚେନାୟିନ୍‌ ଏଫ୍‌ସିକୁ ଭେଟିବ। ୨୦୧୯ ପରଠୁ ଉଭୟ ଦଳ ୧୦ ଥର ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ୩ ଲେଖାଏଁ ମ୍ୟାଚ୍‌ ଜିତିଥିଲା ବେଳେ ଅନ୍ୟ ୪ଟି ଅମୀମାଂସିତ ରହିଥିଲା। ଗତ ଋତୁରେ ଓଡ଼ିଶା ଏଫ୍‌ସି କଳିଙ୍ଗ ଷ୍ଟାଡିୟମ୍‌ରେ ଚେନ୍ନାୟିନ୍‌କୁ ୨-୦ରେ ହରାଇଥିଲା ବେଳେ ତା’ ପଡ଼ିଆରେ ୧-୨ରେ ପରାଜୟ ବରଣ କରିଥିଲା। ଏହି ପରାଜୟ ଓଡ଼ିଶା ଏଫ୍‌ସିକୁ ଆଇଏସ୍‌ଏଲ୍‌ ଲିଗ୍‌ ସିଲ୍ଡ ଦୌଡ଼ରେ ପ୍ରଭାବ ପକାଇଥିଲା। ଚଳିତ ଋତୁ ଲାଗି ଏବେ ଦଳରେ ନୂଆ ଖେଳାଳି ହୁଗୋ ବୌମାସ, ରହିମ୍‌ ଅଲ୍ଲୀ, ରୋହିତ କୁମାର, ସାଭିଉର ଗାମା ଯୋଗ ଦେଇଥିଲା ବେଳେ ରେନିୟର ଫର୍ଣ୍ଣାଡିଜ୍‌ ଫେରିଛନ୍ତି। ଗତ ଋତୁରେ ଓଡ଼ିଶା ଏଫ୍‌ସି ଚତୁର୍ଥ ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଶେଷ କରିଥିଲା ବେଳେ ସେମିଫାଇନାଲ୍‌ରୁ ହାରି ବିଦାୟ ନେଇଥିଲା। 

Advertisment

ଶୁକ୍ରବାର ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଲୋବେରା ନୂଆ ଋତୁ ଓ ଦଳ ଉପରେ କହିଛନ୍ତି ଯେ ‘‘ଆମର ଦଳ ଓ ମ୍ୟାଚ୍‌ ପ୍ରସ୍ତୁତି ସର୍ବଦା ଖେଳର ଶୈଳୀରେ ବାରି ହୋଇଥାଏ। ଆମେ ଖେଳାଳିମାନଙ୍କ ପ୍ରୋଫାଇଲ୍‌ ଚିନ୍ତା କରି ଦଳ ଗଢ଼ିଥାଉ ଏବଂ ମ୍ୟାଚ୍‌କୁ ଯାଇଥାଉ। ଏହା ବୁଝିବା ଗୁରୁତ୍ବପୂର୍ଣ୍ଣ। କ୍ଲବ୍‌ ସହ ଦ୍ବିତୀୟ ଋତୁ ଆରମ୍ଭ ହେବାକୁ ଯାଉଛି। ପ୍ରତି ଖେଳାଳି ‌ଜାଣିଛନ୍ତି ମୁଁ କ’ଣ ଚାହେଁ। ଯାହା ଜଣେ ପ୍ରଶିକ୍ଷକ ଭାବେ ମୋତେ ବହୁତ ସହାୟକ ହେଉଛି। ଆସନ୍ତା କାଲି ଆମେ ଚମତ୍କାର ଖେଳିବା ସହ ଭଲ ଆରମ୍ଭକୁ ଅପେକ୍ଷା କରିଛୁ’’। ଦଳର ଗୋଲ୍‌କିପର ଅମ୍ରିନ୍ଦର ସିଂହ କହିଛନ୍ତି ଯେ ‘‘ମୁଁ ନିଜ ବିଷୟରେ ଅଧିକ ଭାବିବା ସହ ଆମେ କିପରି ଖେଳିବୁ, ଆକ୍ରମଣ ଓ ପ୍ରତିରକ୍ଷା କରିବୁ ଚିନ୍ତା କରିବାକୁ ପଡ଼ିଥାଏ। ବେଳେବେଳେ ଆମେ ଭଲ ଖେଳୁ ତ ବେଳେବେଳେ ବିପକ୍ଷ ଦଳ ଭଲ କରନ୍ତି। ଏହାକୁ ଧ୍ୟାନ ଦେବା ସହ ଆମର ‌ଯୋଜନା ପ୍ରସ୍ତୁତ କରିଥାଉ’’।

ପଏଣ୍ଟ ବାଣ୍ଟିଲେ ମୋହନବାଗାନ-ମୁମ୍ବାଇ ସିଟି
କୋଲ୍‌କାତା, ୧: ଗତ ଥରର ଦୁଇ ଫାଇନାଲିଷ୍ଟ ମୋହନବାଗାନ ସୁପର ଜାଏଣ୍ଟ୍‌-ମୁମ୍ବାଇ ସିଟି ଏଫ୍‌ସି ମ୍ୟାଚ୍‌ରୁ ଆରମ୍ଭ ହୋଇଛି ଚଳିତ ଋତୁର ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା। ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଛି। ଫଳରେ ଦୁଇ ଫାଇନାଲି‌ଷ୍ଟ ୧-୧ ପଏଣ୍ଟରେ ସନ୍ତୁଷ୍ଟ ରହିଛନ୍ତି। ଘରୋଇ ପଡ଼ିଆରେ ଖେଳୁଥିବା ଉପବିଜେତା ମୋହନବାଗାନ ୭୦ ମିନିଟ୍‌ ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିଜ ପକ୍ଷରେ ରଖିଥିଲା। ମୁମ୍ବାଇର ତିରି (୯ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୮ତମ ମିନିଟ୍‌ରେ ଆଲ୍‌ବର୍ଟ ‌ରଡ୍ରିଗୁଏଜ ଗୋଲ୍‌ ଦେଇ ‌ମୋହନବାଗାନକୁ ୨-୦ରେ ଆଗୁଆ ରଖିଥିଲେ। ତେବେ ‌ବିଜେତା ମୁମ୍ବାଇ ଦ୍ବିତୀୟାର୍ଦ୍ଧରେ ପ୍ରତ୍ୟାବର୍ତ୍ତନ କରିବା ସହ ୨ ଗୋଲ୍‌ ଲଦି ମ୍ୟାଚ୍‌ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଏହି ଦୁଇ ଗୋଲ୍‌ ତିରି (୭୦ ମିନିଟ୍‌) ଓ ଥାଏର କୌମା (୯୦ ମିନିଟ୍‌) ଦେଇଥିଲେ।