ଭୁବନେଶ୍ବର: ଅହମଦାବାଦରେ ଚାଲିଥିବା ଇଣ୍ଡିଆନ୍‌ ମହିଳା ଲିଗ୍‌ (ଆଇଡବ୍ଲୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ହ୍ୟାଟ୍ରିକ ବିଜୟ ବିଜୟ ହାସଲ କରିଛି। ଶୁକ୍ରବାର ଏହି ଓଡ଼ିଶା ଭିତ୍ତିକ ଦଳ ୫-୦ ଗୋଲ୍‌ରେ ଲର୍ଡ୍ସ ଏଫ୍‌ ଏ କୋଚି-ୱାଇଏମ୍‌ଏଏକୁ ପରାସ୍ତ କରି ଏହି ସଫଳତା ପାଇଛି। ପୂର୍ବରୁ ଓଡ଼ିଶା ସିଆର୍‌ପିଏଫ୍‌କୁ ହରାଇବା ପରେ କିକ୍‌ ‌‌ଷ୍ଟାର୍ଟ ଏଫ୍‌ସିଠୁ ହାରିଯାଇଥିଲା। ଏହାପରେ ଦଳ ଆଉ ପରାଜୟ ମୁହଁ ଦେଖିନି। ତୃତୀୟ ମ୍ୟାଚ୍‌ରେ ଇ‌ଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନ ଏବଂ ଏହାପରେ ଚର୍ଚିଲ ବଦର୍ସ ଏଫ୍‌ସି ଗୋଆକୁ ପରାସ୍ତ କରିଥିଲା।

Advertisment

ଅହମଦାବାଦର ସାହିବଗ ପୁଲିସ ଷ୍ଟାଡିୟମରେ ଖେଳାଯାଇଥିବା ରବିବାର ମ୍ୟାଚ୍‌ର ପ୍ରଥମ ୪୦ ମିନିଟ୍‌ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ତେବେ ୪୧ ମିନିଟ୍‌ରେ ଓଡ଼ିଶା ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା। ସିନ୍ଥିଆ (୪୧ ମିନିଟ୍‌) ଓ ଅଧିନାୟିକା ବାଲା ଦେବୀ (୪୫+୧ ମିନିଟ୍‌) ଗୋଟିଏ ‌ଲେଖାଏଁ ଗୋଲ୍‌ ଦେଇ ଓଡ଼ିଶା ଦଳକୁ ପ୍ରଥମାର୍ଦ୍ଧରେ ଆଗୁଆ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ ଫୌସ୍ତିନା (୬୩ ମିନିଟ୍‌), ମାଳତୀ ମୁଣ୍ଡା (୮୬ ମିନିଟ୍‌) ଓ ଅଞ୍ଜୁ ତମାଙ୍ଗ (୮୯ ମିନିଟ୍‌) ଗୋଟିଏ ଲେଖ‌ାଏଁ ଗୋଲ୍‌ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ। ବାଲା ଦେବୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ। ଏହି ସହିତ ଗ୍ରୁପ୍‌-ବି’ରେ ଓଡ଼ିଶା ଏଫ୍‌ସି ୫ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ଏବଂ ୧୨ ପଏଣ୍ଟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛି।