ଭୁବନେଶ୍ବର: ଭୁବନେଶ୍ବରଭିତ୍ତିକ ପେସାଦାର ଫୁଟ୍ବଲ୍ ଦଳ ଓଡ଼ିଶା ଏଫ୍ସିର ଜୟଯାତ୍ରା ଜାରି ରହିଛି। ଆଇଏସ୍ଏଲ୍ରେ ପ୍ରଶଂସନୀୟ ପ୍ରଦର୍ଶନ ସହିତ ଗତ ବର୍ଷକ ମଧ୍ୟରେ ଏହି ଦଳ ଡୁରାଣ୍ଡ୍ କପ୍ କ୍ବାର୍ଟରଫାଇନାଲ୍ ଓ ସୁପର୍ କପ୍ ବିଜେତା ହୋଇ ଆଣିଥିବା ଗୌରବକୁ ଆଉ ପାଦେ ଆଗକୁ ବଢ଼ାଇଛି। ସୋମବାର ଓଡ଼ିଶା ଏଫ୍ସି ନିଜ ୪ ବର୍ଷର ଯାତ୍ରାରେ ସବୁଠାରୁ ବଡ଼ ମୁହୂର୍ତ୍ତ ପାଇଛି। ଐତିହାସିକ ସଫଳତା ଅର୍ଜନ କରି ପ୍ରଥମ ଥର ଏଏଫ୍ସି କପ୍ ଯୋଗ୍ୟତା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମ୍ରେ ସୋମବାର ଖେଳାଯାଇଥିବା ଉତ୍ତେଜନାପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ଏଫ୍ସି ୧-୦ ଗୋଲ୍ରେ ଶକ୍ତିଶାଳୀ ଢ଼ାକା ଦଳ ବସୁନ୍ଧରା କିଙ୍ଗ୍ସକୁ ପରାସ୍ତ କରି ଏହି ସ୍ମରଣୀୟ କୃତିତ୍ବ ପାଇଛି। ବିଜୟୀ ଜଗରନଟ୍ସ ପାଇଁ ଏକମାତ୍ର ଗୋଲ୍ଟି ଦେଇଥିଲେ ମୁର୍ତାଦା ଫଲ୍ (୬୧ ମିନିଟ୍)।
ଏହା ପୂର୍ବରୁ କିନ୍ତୁ ପ୍ରଥମାର୍ଦ୍ଧର ଇନଜ୍ୟୁରି ଟାଇମ୍ (୪୫+୨ ମିନିଟ୍)ରେ ଫାଉଲ୍ ପାଇଁ ଅସରର୍ ଗଫୁରଭ୍ଙ୍କୁ ଲାଲ୍ କାର୍ଡ ଦେଖାଯିବାରୁ ବସୁନ୍ଧରା କିଙ୍ଗ୍ସ ଦ୍ବିତୀୟାର୍ଦ୍ଧକୁ ୧୦ ଜଣରେ ଖେଳିଥିଲା। ଏହି ସମୟରେ ଢ଼ାକା ଦଳ ଦୃଢ଼ ପ୍ରତିବାଦ କରିବା ସହ ରେଫରିଙ୍କ ସହ ପ୍ରବଳ ଯୁକ୍ତିତର୍କ ଓ ହାତାହାତି ଭଳି ପରିସ୍ଥିତି ଉପୁଜିଥିଲା। ମ୍ୟାଚ୍ ପରେ ମଧ୍ୟ ଭିଏତନାମ ରେଫରି ଏନଗୋ ଡୁଏ ଲାନ୍ଙ୍କୁ ଘେରି ରହିଥିଲେ ବସୁନ୍ଧରା ଖେଳାଳି। ଓଡ଼ିଶା ଏଫ୍ସି କିନ୍ତୁ ଏଏଫ୍ସି କପ୍ର ନକ୍ ଆଉଟ୍ ଯୋଗ୍ୟତା ଅର୍ଜନ କରି ଇଣ୍ଟର୍ ଜୋନାଲ୍ ପ୍ଲେ ଅଫ୍ ସେମିଫାଇନାଲ୍ ଖେଳିବାକୁ ନିଶ୍ଚିତ ହୋଇଯାଇଛି। ୪ ଦଳୀୟ ଗ୍ରୁପ୍ ‘ଡି’ରେ ପ୍ରଥମ ୨ ମ୍ୟାଚ୍ ହାରିବା ପରେ ଓଡ଼ିଶା ଏଫ୍ସି କ୍ରମାଗତ ୪ ବିଜୟ ପାଇ ଏହି ସଫଳତା ପାଇଛି। ବସୁନ୍ଧରା କିଙ୍ଗ୍ସଠାରୁ ପ୍ରଥମ ମ୍ୟାଚ୍ ପରାଜୟର ମଧ୍ୟ ମଧୁର ପ୍ରତିଶୋଧ ନେଇଛି ସର୍ଜିଓ ଲୋବେରାଙ୍କ ଓଡ଼ିଶା ଏଫ୍ସି। ଷ୍ଟାର୍ଟିଂ ଏକାଦଶରେ ସମସ୍ତ ୬ ବିଦେଶୀ ଖେଳାଳିଙ୍କୁ ଖେଳାଇବା ମଧ୍ୟ ଲୋବେରାଙ୍କ କୌଶଳ କାମ କରିଛି।