ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍ରେ ଭୁବନେଶ୍ବର ଭତ୍ତିକ ଦଳ ଓଡ଼ିଶା ଏଫ୍ସି ୦-୨ ଗୋଲ୍ରେ ପଡ଼ୋଶୀ ଜାମସେଦପୁରଠୁ ହାରିଯାଇଛି। ଫଳରେ ଏହି ମ୍ୟାଚ୍ରୁ ୧ ପଏଣ୍ଟ ସହ ପ୍ଲେ ଅଫ୍ ସ୍ଥାନ ପକ୍କା କରିବା ଆଶା ରଖିଥିବା ଓଡ଼ିଶାର ଭାଗ୍ୟ ଝୁଲି ରହିଲା। ଗୁରୁବାର ବେଙ୍ଗାଲୁରୁ ଏଫ୍ସି ଓ ଏଫ୍ସି ଗୋଆ ମ୍ୟାଚ୍ ପରେ ଏହି ସ୍ଥାନ ନିଶ୍ଚିତ ହେବ। ବେଙ୍ଗାଲୁରୁ-ଗୋଆ ମ୍ୟାଚ୍ ଅମୀମାଂସିତ ରହିଲେ କିମ୍ବା ଗୋଆ ହାରିଲେ ଓଡ଼ିଶାର ପ୍ଲେ ଅଫ୍ ନିଶ୍ଚିତ ହୋଇଯିବ।
ଲିଗ୍ ବିଜେତା ମୁମ୍ବାଇ ସିଟି ଏଫ୍ସି ସହ ଟେବୁଲର ଦ୍ବିତୀୟରେ ଥିବା ହାଇଦ୍ରାବାଦ ଏଫ୍ସି ସିଧାସଳଖ ସେମିଫାଇନାଲ୍ରେ ପହଞ୍ଚି ସାରିଛି। ଅନ୍ୟ ଦୁଇ ସ୍ଥାନ ଲାଗି ଟେବୁଲର ୩ରୁ ୬ ମଧ୍ୟରେ ଥିବା ୪ ଦଳ ପ୍ଲେ ଅଫ୍ ଖେଳି ସେମିରେ ପହଞ୍ଚିବେ। ୪ ଦଳରୁ ୩ ଦଳ ଏଟିକେ ମାହନ ବାଗାନ ଏଫ୍ସି, ବେଙ୍ଗାଲୁରୁ ଏଫ୍ସି ଓ କେରଳ ବ୍ଲାଷ୍ଟର୍ସ ଏଫ୍ସି ଯଥାକ୍ରମେ ତୃତୀୟରୁ ପଞ୍ଚମରେ ରହି ପ୍ଲେ ଅଫ୍ରେ ପହଞ୍ଚି ସାରିଛନ୍ତି। ସଂପ୍ରତି ଓଡ଼ିଶା ଏଫ୍ସି (୩୦ ପଏଣ୍ଟ) ଟେବୁଲର ଷଷ୍ଠ ସ୍ଥାନରେ ରହିଥିଲେ ମଧ୍ୟ ଏହା ପଛକୁ ଥିବା ଗୋଆ (୨୭ ପଏଣ୍ଟ)ର ଆଉ ଗୋଟିଏ ମ୍ୟାଚ୍ ବାକି ରହିଛି। ଗୋଆ ଜିତିଗଲେ ୩୦ ପଏଣ୍ଟରେ ପହଞ୍ଚିବ ଏବଂ ଓଡ଼ିଶାଠୁ ଗୋଲ୍ ବ୍ୟବଧାନରେ ଆଗରେ ଥିବାରୁ ପ୍ଲେ ଅଫ୍ ସ୍ଥାନ ପକ୍କା କରିବ। ଓଡ଼ିଶାର ଅଭିଯାନ ସପ୍ତମ ସ୍ଥାନରେ ଶେଷ ହେବ।
ପ୍ଲେ ଅଫ୍ ଯୋଗ୍ୟତା ପାଇଁ ମାତ୍ର ଏକ ପଏଣ୍ଟ ଆବଶ୍ୟକ କରୁଥିବା ଓଡ଼ିଶା ଏଫ୍ସି ବୁଧବାର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ର ପ୍ରଥମ ୪୫ ମିନିଟ୍ରେ ଆଖିଦୃଶିଆ ଖେଳ ଖେଳିପାରନଥିଲା। ଦଳଠୁ ଅଶାଜନକ ଖେଳ ଦେଖିବାକୁ ମିଳିନଥିଲା। ଏପରିକି ପ୍ରଥମାର୍ଦ୍ଧରେ କୌଣସି ସୁଯୋଗ ବି ସୃଷ୍ଟି କରିପାରିନଥିଲା ଘରୋଇ ଦଳ। ହେଲେ ଭ୍ରମଣକାରୀ ଜାମସେଦପୁର ଏଫ୍ସି ଏହି ଅର୍ଦ୍ଧରେ ଏକାଧିକ ସୁଯୋଗ ସୃଷ୍ଟି କରି ଆଗରେ ରହିଥିଲା। କିନ୍ତୁ ଓଏଫ୍ସିର ଡେଫେଣ୍ଡର ଓ ଗୋଲିର ଚମତ୍କାରିତା ଯୋଗୁଁ ଗୋଲ୍ ଦେଇପାରିନଥିଲା। ଏମିତିବି ଡାନିଏଲ୍ ଚୁକୁଙ୍କ ନେତୃତ୍ବାଧୀନ ଜାମସେଦପୁର ୨ଟି ଭଲ ସୁଯୋଗ ପାଇଥିଲା। ହେଲେ ଓଡ଼ିଶାର ଡିଫେଣ୍ଡର ନରେନ୍ଦର ଗେହଲେଟ ପ୍ରାଚୀର ଭଳି ଦଳକୁ ବଞ୍ଚାଇଥିଲେ। ହେଲେ ଦ୍ବିତୀୟାର୍ଦ୍ଧରେ ମଧ୍ୟ ଓଡ଼ିଶା ସବୁ ବର୍ଗରେ ବିଫଳ ହୋଇଥିଲା।
ଜାମସେଦପୁର ୬୧ ଓ ୬୩ ମିନିଟ୍ରେ ଦୁଇଟି ଗୋଲ୍ ଦେଇ ଘରୋଇ ଦଳକୁ ପଛରେ ପକାଇଥିଲା। ଡାନିଏଲ୍ ଚୁକୁଙ୍କ ପାସ୍ରେ ହାରିସନ ସାୱେର ଦଳ ପ୍ରଥମ ଗୋଲ୍ ଦେଇଥିଲେ। ଦ୍ବିତୀୟଟି ସାୱେରଙ୍କ ପାସ୍ରେ ରିତିକ କୁମାର ଦାସ ଦେଇଥିଲେ। ଗୋଲ୍ ବରଣ ପରେ ଏହାକୁ ଶୁଝିବାକୁ ଓଡ଼ିଶା ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା। ଅନ୍ୟପକ୍ଷରେ ଓଡ଼ିଶା ଏଫ୍ସିଠୁ ଜାମସେଦପୁର ପ୍ରଥମ ପରାଜୟର ପ୍ରତିଶୋଧ ନେବା ସହ ଚଳିତ ଋତୁ ଶେଷ କରିଥିଲା। ରିତିକ ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆଜିର ମ୍ୟାଚ୍କୁ ୬୮୧୪ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଉପଭୋଗ କରିଥିଲେ।