ଆଇଏସ୍‌ଏଲ୍ ୟୁକେରେ ଖେଳିବ ଓଡ଼ିଶା ଏଫ୍‌ସି ଫ୍ୟାନ୍ସ

ଭୁବନେଶ୍ବର : ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ ଆବସରରେ ଏକ ଅଭିନବ ପ୍ରୟାସ କରାଯାଇଛି ବ୍ରିଟେନରେ। ପ୍ରବାସୀ ଭାରତୀୟ ଫୁଟ୍‌ବଲ ପ୍ରଶଂସକଙ୍କୁ ନେଇ ଏକ ଗୋଷ୍ଠୀ ଭିତ୍ତିକ ଫୁଟ୍‌ବଲ୍ ପ୍ରତିଯୋଗିତା ଅଗଷ୍ଟ ୨୨ ତାରିଖରେ ଲଣ୍ଡନ୍‌ରେ ଖେଳାଯିବ। ଏହି ଦିନିକିଆ ଫୁଟ୍‌ବଲ୍ ପ୍ରତିଯୋଗିତାର ନାମ ରଖାଯାଇଛି ଇଣ୍ଡିଆନ୍‌ ସୁପରଫ୍ୟାନ୍ସ ଲିଗ୍‌ ୟୁକେ (ଆଇଏସ୍‌ଏଲ୍‌ ୟୁକେ)। ଭାରତର ଆଇଏସ୍‌ଏଲ୍‌ ଢାଞ୍ଚାରେ ଅ‌ନୁପ୍ରେରିତ ହୋଇ ଏଭଳି ଏକ ପ୍ରତିଯୋଗିତାର ଉଦ୍ୟମ କରାଯାଇଛି। ବ୍ରିଟେନରେ ଲକ୍‌ଡାଉନ୍‌ ଉଠିବା ପରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏହା ପ୍ରଥମ ବଡ଼ ଏକତ୍ର ଉତ୍ସବ ହେବ।

ସବୁଠାରୁ ‌ଉଲ୍ଲେଖନୀୟ ବିଷୟ ହେଉଛି ଆଇଏସ୍‌ଏଲରେ ଖେଳୁଥିବା ଭୁବନେଶ୍ବର ଦଳ ଓଡ଼ିଶା ଏଫ୍‌ସିର ଏକ ପ୍ରଶଂସକ ଦଳ ମଧ୍ୟ ଆଇଏସ୍ଏଲ୍‌ ୟୁକେରେ ଖେଳିବ। ଏଥିପାଇଁ ଓଏଫ୍‌ସି ସଭାପତି ରାଜ ଅଟୱାଲ ମଧ୍ୟ ସମ୍ମତି ପ୍ରଦାନ ସହ ନିଜେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଓଡ଼ିଶା ଏଫ୍‌ସି ସହିତ ଏସ୍‌ସି ଇଷ୍ଟବେଙ୍ଗଲ୍‌ ଫ୍ୟାନ୍ସ, ଏଟିକେ ମୋହନ ବାଗାନ ଫ୍ୟାନ୍ସ, ମୁମ୍ବାଇ ସିଟି ଏଫ୍‌ସି ଫ୍ୟାନ୍ସ, ‌ଏଫ୍‌ସି ଗୋଆ ଫ୍ୟାନ୍ସ ଏବଂ କେରଳ ବ୍ଲାଷ୍ଟର୍ସ ଫ୍ୟାନ୍ସ ଦଳ ଅଂଶଗ୍ରହଣ କରିବେ। ବ୍ରିଟେନରେ ଫୁଟ୍‌ବଲ୍ ବେଶ ଲୋକପ୍ରିୟ ଥିବା ବେଳେ ଦେଶର ଫୁଟ୍‌ବଲ୍ ସଂଘ (ଏଫଏ) ମଧ୍ୟ ଏହି ପ୍ରତିଯୋଗିତାକୁ ଅନୁମୋଦନ ଦେଇଛି। ବ୍ରିଟେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଗାୟତ୍ରୀ ଇସାର୍‌ କୁମାର ମଧ୍ୟ ଏହି ପ୍ରବାସୀ ଭାରତୀୟଙ୍କୁ ସମର୍ଥନ କରିଆସିଛନ୍ତି। ‘ୟୁରୋ ୨୦୨୦ରେ ଇଂଲଣ୍ଡର ସଫଳତାକୁ ନଜରରେ ରଖି ବ୍ରିଟେନ୍‌ର ପ୍ରବାସୀ ଭାରତୀୟଙ୍କୁ ଫୁଟ୍‌ବଲ୍ ପ୍ରତି ଆକର୍ଷିତ କରିବା ଲାଗି ଏଭଳି ପ୍ରୟାସ କରାଯାଇଛି’ ବୋଲି ପ୍ରକାଶ କରିଛନ୍ତି ଆୟୋଜକ ବେଙ୍ଗଲ୍‌ ହେରିଟେଜ୍ ଫାଉଣ୍ଡେସନ୍‌ (ବିଏଚ୍‌ଏଫ୍‌)ର ସଭାପତି ସୌରଭ ନି‌‌‌‌‌ୟୋଗୀ। ଆଇଏସ୍‌ଏଲ୍‌ ଦଳଗୁଡ଼ିକର ସମର୍ଥନ ଚମତ୍କାର ବୋଲି ଦର୍ଶାଇଛନ୍ତି ବିଏଚ୍‌ଏଫ୍‌ର ଟ୍ରଷ୍ଟି କୌଶିକ ଚାଟାର୍ଜୀ।

ସମ୍ବନ୍ଧିତ ଖବର