ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିବସରେ ଓଡ଼ିଶା ପୁରୁଷ ଓ ମହିଳା ୪ ଗୁଣା ୧୦୦ ମିଟର ରିଲେ ଦଳ ରାଜ୍ୟ ପାଇଁ ଦୁଇଟି ପଦକ ଆଣିଛନ୍ତି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ଶ୍ରାବଣୀ ନନ୍ଦ ୧୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଥିଲେ। ଅଭିଷେକ ଦଳବେହେରା, ଦଣ୍ଡପତି ଜୟରାମ, ଲାଲୁପ୍ରସାଦ ଭୋଇ ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ପୁରୁଷ ଦଳ (୪୦.୨୪ ସେକେଣ୍ଡ) ରୌପ୍ୟ ଏବଂ ସୁଖୀ ବାସ୍କେ, ସବିତା ଟୋପ୍ପୋ, ବୋନିତା ଲାକ୍ରା ଓ ଶ୍ରାବଣୀ ନନ୍ଦଙ୍କୁ ନେଇ ଗଠିତ ମହିଳା ଦଳ (୪୬.୬୮ ସେକେଣ୍ଡ) କାଂସ୍ୟ ଜିତିଥିଲା।
ପୁରୁଷରେ ତାମିଲନାଡ଼ୁକୁ ସ୍ବର୍ଣ୍ଣ ଓ ପଞ୍ଜାବକୁ କାଂସ୍ୟ ଏବଂ ମହିଳାରେ କେରଳକୁ ସ୍ବର୍ଣ୍ଣ ଓ ଆନ୍ଧ୍ରପ୍ରଦେଶକୁ ରୌପ୍ୟ ମିଳିଥିଲା। ହେପ୍ଟାଥଲନରେ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ (୫୨୯୫ ପଏଣ୍ଟ) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଶୁକ୍ରବାର ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିବା ଜ୍ୟୋତି ୟାରାଜି ଶନିବାର ୧୦୦ ମିଟର ବାଧା ଦୌଡ଼ ମୁକୁଟ ଜିତି ଯୁଗଳ ସଫଳତା ପାଇଛନ୍ତି। ଜ୍ୟୋତିଙ୍କ ସହ ଗୁରୁବାର ୧୨ରୁ ଅଧିକ ଖେଳାଳି ଏସୀୟ କ୍ରୀଡ଼ା ଯୋଗ୍ୟତା ପାଇଥିଲେ।