ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗନେବେ ଓଡ଼ିଶାର ପୂର୍ଣ୍ଣିମା ଓ ଜଉନା

ଭୁବନେଶ୍ୱର: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ‘ରାଜ୍ୟ ଗୋଷ୍ଠୀ କ୍ରୀଡା’ର ଆଥଲେଟିକ୍‌ ବର୍ଗରେ ଓଡ଼ିଶାର ବାଳିକା ପୂର୍ଣ୍ଣିମା ହେମ୍ବ୍ରମ ଓ ଜଉନା ମୁର୍ମୁ ଭାଗ ନେବେ। ଏଥି ପାଇଁ ପଞ୍ଜାବର ପଟିଆଲାସ୍ଥିତ ଆଥଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ଭାରତୀୟ ଟିମ୍‌ ଚୟନ କରାଯାଇଛି। ଚୟନ ସମିତି ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପାଇଁ ୩୧ ଜଣିଆ ସଦସ୍ୟଙ୍କୁ ଚୟନ କରିଛନ୍ତି। ପୁରୁଷ ଟିମ୍‌ରେ ୧୮ ଜଣ ଓ ମହିଳା ଟିମ୍‌ରେ ୧୩ ଜଣଙ୍କୁ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆର ଗୋଲ୍ଡ କଷ୍ଟ ଠାରେ ଆଗାମୀ ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ। ଚୟନ ସମିତିର ବୈଠକ ପଟିଆଲା ଠାରେ ଗତ ମାର୍ଚ୍ଚ ୮ରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୂର୍ଣ୍ଣିମା ଓ ଜଉନାଙ୍କୁ ସ୍ଥାନ ମିଳିବା ପରେ ଓଡ଼ିଶାର ଖେଳାଳି ଓ ଖେଳପ୍ରେମୀଙ୍କ ମନରେ ଉତ୍ସାହ ଦେଖାଯାଇଛି। ସେମାନଙ୍କର ସଫଳତା ପାଇଁ ଓଡ଼ିଶାର ଖେଳାଳି ଓ ଖେଳପ୍ରେମୀ ଶୁଭକାମନା ଜଣାଇଛନ୍ତି।

ଚୟନ ସମିତିର ବୈଠକରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ତଥା ପଦ୍ମଶ୍ରୀ ଜିଏସ୍‌ ରନ୍ଧଓ୍ଵା, ଆଥଲେଟିକ୍‌ ଫେଡେରେସନର ଉପ ସଭାପତି ଆଡିଲେ ଜେ ସୁମରିଓ୍ଵାଲା, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ପଦ୍ମଶ୍ରୀ ବାହାଦୂର ସିଂହ, ଅର୍ଜୁନ ପୁରସ୍କାର ପ୍ରାପ୍ତ ପଦ୍ମଶ୍ରୀ ରାମ ସିଂହ, ଏସିଅ ଖେଳକୁଦ ପଦକ ବିଜେତା ପଦ୍ମଶ୍ରୀ ବାହାଦୂର ସିଂହ ସାଗୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର