ଆଜି କଳିଙ୍ଗରେ ଓଡ଼ିଶା-ଗୋଆ ମୁକାବିଲା

ଭୁବନେଶ୍ବର: ପ୍ଲେ ଅଫ୍ ଯୋଗ୍ୟତା ଲାଗି ସଂଘର୍ଷ କରୁଥିବା ଓଡ଼ିଶା ଏଫ୍‌ସି ଲଗାତାର ଭାବେ ଦୁଇଟି ଘରୋଇ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଆତ୍ମବିଶ୍ବାସରେ ରହିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ଦୁଇ ମ୍ୟାଚ୍‌ ସୋମବାର ଓ ଶୁକ୍ରବାର ଯଥାକ୍ରମେ ଗୋଆ ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ସହିତ ଖେଳିବ। ଗୋଆ ମୁକାବିଲାରେ ଓଡ଼ିଶା ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ଫତୋର୍ଦାରେ ଅନୁଷ୍ଠିତ ପ୍ରଥମ ଚରଣ ମୁକାବିଲାରେ ୧୦ ଜଣିଆ ଓଡ଼ିଶାକୁ ଗୋଆ ୩-୦ରେ ହରାଇ ଦେଇଥିଲା। ଚଳିତ ଋତୁରେ ଓଡ଼ିଶା ୧୬ ମ୍ୟାଚ୍‌ରୁ ୨୩ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ଥିବାରୁ ପ୍ଲେ ଅଫ୍‌ ଯୋଗ୍ୟତା ନେଇ ଏହି ଦୁଇ ଘରୋଇ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ହେବ।

ଉଭୟ ମ୍ୟାଚ୍‌ରୁ ଓଡ଼ିଶା ପୂରା ପଏଣ୍ଟ ପାଇପାର‌ିଲେ ପ୍ଲେ ଅଫ୍ ସ୍ବପ୍ନ ସାକାର ଦିଗରେ ବଢ଼ିପାରିବ। ଅନ୍ୟପକ୍ଷରେ ଗୋଆ ୨୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଥିବାରୁ ଏହି ମ୍ୟାଚ୍‌ ଜିତିବା ଆଶାରେ ରହିଛି। କେରଳ ଓ ଇଷ୍ଟ ବେଙ୍ଗଲ ବିପକ୍ଷରେ ଲଗାତାର ବିଜୟ ସହ ଦଳ ଏଠାକୁ ଆସିଛି। ‘ଏହି ମ୍ୟାଚ୍‌ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମ୍ପୂର୍ଣ୍ଣ ୩ ପଏଣ୍ଟ ପାଇପାରିଲେ ଲିଗ୍‌ରେ ବଡ଼ ପାଦ ବଢ଼ାଇ ପାରିବୁ’ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଯୋସେଫ୍ ଗମ୍ବାଉ। ଆଇଏସଏଲ୍ ଇତିହାସରେ ଓଡ଼ିଶା ଏଫ୍‌ସି ଏବଂ ଗୋଆ ଏଫ୍‌ସି ୭ ଥର ପରସ୍ପର ସହ ମୁକାବିଲା କରିଥିବା ବେଳେ ଓଡ଼ିଶା ବିଜୟଶୂନ୍ୟ ରହିଛି। ଗୋଆ ୫ ଜିତି ଅନ୍ୟ ଦୁଇଟିକୁ ଅମୀମାଂସିତ ରଖିଛି।

ସମ୍ବନ୍ଧିତ ଖବର