ଭୁବନେଶ୍ବର: ଭାରତୀୟ ଜିମ୍ନାଷ୍ଟିକ୍ସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିବା ଦୀପା କର୍ମକାର ପୁଣି ଚର୍ଚ୍ଚାରେ। ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ୍ ଭାବେ କେବଳ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ ପାଇଁ ନୁ‌ହେଁ ବିପଜ୍ଜନକ ପଣ୍ଡୁନୋଭା ଲ୍ୟାଣ୍ଡ୍‌ କରିଥିବାରୁ ବି ଦୀପାଙ୍କୁ ‌େଢର ପ୍ରଶଂସା ମିଳିଛି ଦେଶ ବିଦେଶରୁ। ୨୦୧୬ ରିଓ ଅଲିମ୍ପିକ୍ସର ଭଲ୍ଟ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଏହି ତ୍ରିପୁରା ଝିଅ, ଭାରତୀୟ ଜିମ୍ନାଷ୍ଟିକ୍ସକୁ ନୂଆ ଦିଶା ଦେଇଛନ୍ତି। ବିଶେଷ କରି ମହିଳା ଜିମ୍ନାଷ୍ଟିକ୍ସ ପାଇଁ ଅମଡ଼ାବାଟର ପଥିକ ସାଜି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବିଶ୍ବକପ୍‌, ରାଜ୍ୟ ଗୋଷ୍ଠୀ ଓ ଏସୀୟ ପଦକ ଜିତିସାରିଥିବା ଦୀପାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିଛି। ଓଡ଼ିଶା ଏବେ ଦୀପାଙ୍କୁ ନୂଆ ଅନୁଭୂତି ଓ ସ୍ମରଣୀୟ ଅଭିଜ୍ଞତାର ସ୍ପର୍ଶ ଦେଇଛି। ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଏଏମଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚ୍‌ପିସିର ଅଲିମ୍ପିଆନ୍ ଦୀପା, ୮ ବର୍ଷ ପରେ ଜାତୀୟ ପ୍ରତିଯୋଗିତାକୁ ଫେରିବା ସହ ଚାମ୍ପିଅନ୍ ହୋଇଛନ୍ତି। ଗତବର୍ଷ ଏଠାରେ ଟ୍ରାଏଲ୍ସ ଦେଇଥିଲେ ମଧ୍ୟ ଦୀପା ଏସୀୟ କ୍ରୀଡ଼ା ଦଳରୁ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ନେଇ ସେ ଆଶାବାଦୀ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇନାହାନ୍ତି।

Advertisment

‘କେବଳ ଦେଶବାସୀ ନୁହନ୍ତି କି ଜିମ୍ନାଷ୍ଟିକ୍ସ ଦୁନିଆ ନୁହେଁ, ମୁଁ ବି ଢେର ଆଶାବାଦୀ ଅଛି ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍‌ ନେଇ। ଏଥି ପାଇଁ ମୁଁ କଠିନ ପରିଶ୍ରମ ଓ ତାଲିମ ନେଉଛି। କିଭଳି ସୁଯୋଗ ଆସୁଛି ଦେଖିବାକୁ ଅଛି। ଆଗାମୀ କିଛି ମାସରେ ଥିବା ଏକାଧିକ ବିଶ୍ବକପ୍‌ ଓ ଏସୀୟ ପ୍ରତିଯୋଗିତାର ପ୍ରଦର୍ଶନ ନିର୍ଣ୍ଣାୟକ ହେବ’ ବୋଲି ଦୀପା ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଭାବେ ମୁଁ ମୋ ଶ୍ରେଷ୍ଠ ପ୍ରୟାସ କରୁଛି। ଦୀର୍ଘ ୮ ବର୍ଷ ପରେ ଜାତୀୟ ପ୍ରତିଯୋଗିତା ଖେଳିବାକୁ ଭୁବନେଶ୍ବର ଆସିଥିଲି। କେବଳ ଅଲରାଉଣ୍ଡ୍‌ ଇଭେଣ୍ଟ୍‌ ଉପରେ ଏକାଗ୍ରତା ରଖି ପ୍ରସ୍ତୁତ ହୋଇଥିଲି, ଏଥିରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଖୁସି ଅଛି। ଆପାର୍ଟସ୍ କି ଅନ୍ୟ ଇଭେଣ୍ଟ୍‌ ମୁଁ ଛାଡ଼ିନାହିଁ, ଆଗକୁ ଖେଳିବି। ନିଜକୁ ପ୍ରବର୍ତାଇବା ଅଭିଯାନ ଜାରି ରଖିଛି। ଗୁରୁ ନନ୍ଦୀ ସାର୍ (ବିଶ୍ବେଶ୍ବର) ଓ ପରିବାର ବିନା ମୁଁ କିଛି ନୁ‌ହେଁ। ନନ୍ଦୀ ସାର୍‌ ମୋତେ ପିଲାବେଳୁ ଗଢ଼ିଛନ୍ତି। ତାଙ୍କ ବିନା ମୁଁ କିଛି ବି ନୁ‌ହେଁ’ ବୋଲି କହିଛନ୍ତି ୩୦ ବର୍ଷୀୟ‌ା ଅଗରତାଲା ଜିମ୍ନାଷ୍ଟ ଦୀପା। ଓଡ଼ିଶା ମୋ ପାଇଁ ଭଲ ବିତିଛି। ଗତବର୍ଷ ଜାତୀୟ ଟ୍ରାଏଲ୍ସରେ ଭଲ କରିଥିବା ବେଳେ ଏବେ ଜାତୀୟ ପ୍ରତିଯୋଗିତାରେ ବିଜେତା ହୋଇପାରିଛି। କଳିଙ୍ଗ ଷ୍ଟାଡିୟମ୍‌ ଜିମ୍ନାଷ୍ଟିକ୍ସ ଏଚ୍‌ପିସିର ଭିତ୍ତିଭୂମି, ସରଞ୍ଜାମ, ତାଲିମ ବ୍ୟବସ୍ଥା, ପ୍ରଶିକ୍ଷଣ, ଛାତ୍ରାବାସ, ମାଲିସ୍ ଆଦି ଦେଶରେ ଶ୍ରେଷ୍ଠ ସୁବିଧା ସୁଯୋଗ ଯୋଗାଉଛି। ଓଡ଼ିଶା ସରକାର ଏଥି ପାଇଁ ଧନ୍ୟବାଦର ପାତ୍ର। ଆଶା କରିବି ଓଡ଼ିଶାରେ ଏହି ଖେଳ ଆଗକୁ ବଢ଼ିବ ଏବଂ ଭାରତୀୟ ଜିମ୍ନାଷ୍ଟିକ୍ସ ବି ଶିଖର ଛୁଇଁବ। ଏହି ରାଜ୍ୟରୁ ରାକେଶ ପାତ୍ର ବହୁବାର ଜାତୀୟ ଚାମ୍ପିଅନ୍ ହୋଇଥିବା ବେଳେ ଏବେ ତପନ ମହାନ୍ତି ଉଦୀୟମାନ ପ୍ରତିଭା ଭାବେ ଉଭା ହୋଇଛନ୍ତି। ଏମାନେ ନିଶ୍ଚିତ ଦିନେ ପଦକ ଜିତି ଦେଶର ଗୌରବ ବଢ଼ାଇବେ ବୋଲି ଦୀପା ପ୍ରକାଶ କରିଥିଲେ।