କଟକ: ଓଡ଼ିଶା କ୍ରିକେଟ୍‌ରେ ପ୍ରତିଭାର ଅଭାବ ନାହିଁ। କେବଳ କ୍ରିକେଟର୍‌ଙ୍କ ମଧ୍ୟରେ ସ୍ବପ୍ନ ଭରିଦେଲେ ଭଲ କ୍ରିକେଟର ବାହାରିବେ, ଓଡ଼ିଶା ପାଇଁ ଗୌରବ ଆଣିପାରିବେ ବୋଲି ଓସିଏ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ରିକେଟ୍‌ର ମୁଖ୍ୟ କୋଚ୍ ଦିନେଶ ମୋଙ୍ଗିଆ କହିଛନ୍ତି। ଓଡ଼ିଶା କ୍ରିକେଟ୍‌ ଅତୀତରେ ଏବଂ ଏବେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଓଡ଼ିଶା କ୍ରିକେଟରମାନେ ଜାତୀୟ ଦଳ‌ରେ ଖେଳି ଦେଶରେ ସୁନାମ ଅର୍ଜନ କରିଛନ୍ତି। ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ ଓ ସଂଜୟ ରାଉଳଙ୍କ ଭଳି ଖେଳାଳି ଓଡ଼ିଶା ପାଇଁ ଗୌରବ ଆଣିପାରିଥିଲେ। ଓଡ଼ିଶା କ୍ରିକେଟ୍‌ରେ ସବୁବେଳେ ପ୍ରତିଭାବାନ ଖେଳାଳି ରହିଛନ୍ତି। କେବଳ ସେମାନଙ୍କ ଭିତରେ ସ୍ବପ୍ନ ଓ ବିଶ୍ବାସ ବଢାଇବା ତାଙ୍କର କାମ ହେବ ବୋଲି କହିଥିଲେ। ଓଡ଼ିଶା କ୍ରିକେଟ ନିଶ୍ଚିତ ଆଗକୁ ଯେ ବଢିପାରିବ ତାଙ୍କର ସେ ବିଶ୍ବାସ ରହିଛି।

Advertisment

କ୍ରିକେଟରଙ୍କ ସ୍ବପ୍ନ ବଡ ହେବା ଦରକାର। ପ୍ରତି ଖେଳାଳି ନିଜକୁ ବିରାଟ କୋହିଲ ଓ ରୋହିତ ଶର୍ମାଙ୍କ ସହିତ କିଭଳି ଖେଳିବେ ସେ ସପ୍ନ ନେଇ ନିଜକୁ ପ୍ରସ୍ତୁତ କରିବା ଦରକାର। କୋଚ୍‌ ଭାବେ ସେ କ୍ରିକେଟରଙ୍କ ଭିତରେ ଏହି ବିଶ୍ବାସ ଦେବାକୁ ସଂକଳ୍ପ ନେଇଛନ୍ତି। କୋଚ୍ ଭାବେ କେବଳ ଖେଳ ‌ଶିକ୍ଷା ଦେବେନି ବରଂ ଜଣେ ବଡଭାଇ ଭଳି କାମ କରିବେ। ଖେଳାଳିଙ୍କ ଭିତ‌‌ରେ ସମନ୍ବୟ ରକ୍ଷା କରିବା ତାଙ୍କର ପ୍ରାଥମିକତା ହେବ। ଓଡ଼ିଶା କ୍ରିକେଟର ଅଫିସିଆଲ୍‌ ଓ ଓସିଏ ସଂପାଦକଙ୍କ ସହିତ ସାକ୍ଷାତ କରିବା ପରେ ଓଡ଼ିଶା କ୍ରିକେଟର ଭିଜନ-୨୦୨୪ ସଂପର୍କରେ ଜାଣିଥିଲେ। ଓଡ଼ିଶା କ୍ରିକେଟ କିଭଳି ଆଗକୁ ଭଲ କରିବ, ଦଳ ଚାମ୍ପିଅନ୍ ହୋଇପାରିବ ସେହି ଭିଜନ ନେଇ ଓସିଏ କାମ କରୁଛି। ଆସନ୍ତା ଦୁଇବର୍ଷରେ ଓଡ଼ିଶାରେ କ୍ରିକେଟର ତିଆରି କରିବା ତାଙ୍କର ପ୍ରଧାନ କାମ ହେବ। ଭଲ କ୍ରିକେଟର ତିଆରି ହେଲେ ଓଡ଼ିଶାର ଗୌରବ ବଢିବ ବୋଲି କହିଥିଲେ ମୋଙ୍ଗିଆ।