ଭୁବନେଶ୍ବର: ଲଗାତାର ଦୁଇ ଘରୋଇ ମ୍ୟାଚ୍ରେ ଓଡ଼ିଶା ୩ ପଏଣ୍ଟ ଲେଖାଏଁ ହାତେଇବା ପରେ ପୁଣି ଥରେ ବାହାରେ ଖେଳିବାକୁ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବାଧିନ ଦଳ ପ୍ରସ୍ତୁତ ହୋଇଛି। ମଙ୍ଗଳବାର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ରେ ହିମାଚଳ ପ୍ରଦେଶ ବିପକ୍ଷରେ ଓଡ଼ିଶା ଚଳିତ ଋତୁର ପଞ୍ଚମ ମ୍ୟାଚ୍ ଖେଳିବ। ତେବେ ସବୁଠୁ ଭଲ ଖବର ହେଉଛି ଯେ, ବରିଷ୍ଠ ଦ୍ରୁତ ବୋଲର ବସନ୍ତ ମହାନ୍ତି ସଂପୂର୍ଣ୍ଣ ଭାବେ ଫିଟ୍ ହୋଇ ଏହି ମ୍ୟାଚ୍ରେ ଖେଳିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ପିଚ୍ରେ ଘାସ ଅଧିକ ଥିବାରୁ ଦ୍ରୁତ ବୋଲରଙ୍କ ପାଇଁ ଲାଭଦାୟକ ହେବା ଅନୁମାନ କରାଯାଇଛି। ଯେଉଁଥିପାଇଁ ଓଡ଼ିଶା ତାହାର ଚୂଡ଼ାନ୍ତ ଏକାଦଶରେ କୌଣସି ନିୟମିତ ସ୍ପିନରଙ୍କ ବିନା ୪ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ ଯୁବ ଦ୍ରୁତ ବୋଲର ତରଣୀ ସା’ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୁନିଲ କୁମାର ରାଉଳ ପଦାର୍ପଣ କରିବା ସମ୍ଭାବନା ରହିଛି।
ନାଗାଲାଣ୍ଡ ବିପକ୍ଷରେ ଶାନ୍ତନୁ ମିଶ୍ରଙ୍କ ଦ୍ବିଶତକ ଓ ପ୍ରୟାସ ସିଂହଙ୍କ ଶତକ ସହିତ ହରିୟାଣା ବିପକ୍ଷରେ ଦଳଗତ ପ୍ରଦର୍ଶନ ଓଡ଼ିଶାକୁ ୩ ପଏଣ୍ଟ ଲେଖାଏଁ ଦେବାରେ ସହାୟତା କରିଥିଲା। କିନ୍ତୁ ବସନ୍ତ ପ୍ରଥମ ମ୍ୟାଚ୍ରୁ ଆହତ ହେବା ପରଠୁ ସୂର୍ଯ୍ୟକାନ୍ତଙ୍କୁ ନବାଗତଙ୍କୁ ସାଥି କରି ବୋଲିଂ କରିଆସୁଛନ୍ତି। କିନ୍ତୁ ସୂର୍ଯ୍ୟ ଏକାକି ଆରମ୍ଭରୁ ସଫଳତା ପାଉଥିଲେ ବି ସାଥୀମାନେ ପ୍ରାରମ୍ଭିକ ୱିକେଟ୍ ବାହାର କରିବାରେ ସେତେଟା ସଫଳ ହେଉନଥିଲେ। ଯେଉଁଥିପାଇଁ ଡ୍ରିମ୍ସର ସବୁଜ ପିଚ୍ରୁ ପ୍ରଥମ ଦିନରେ ଓଡ଼ିଶା ବୋଲର କାମଚଳା ସଫଳତା ପାଇଆସୁଥିଲେ। ହେଲେ ପଞ୍ଚମ ମ୍ୟାଚ୍ ବେଳକୁ ବସନ୍ତ-ସୂର୍ଯ୍ୟଙ୍କ ଯୋଡ଼ି ହାତରେ ନୂଆ ବଲ୍ ପଡ଼ିବ। ତେଣୁ ଅଧିକରୁ ଅଧିକ ୱିକେଟ ମିଳିବା ସମ୍ଭାବନା ରହୁଛି। ବଳକା କାମ ପ୍ରୟାସ ଓ ପଦାର୍ପଣ କରିବାକୁ ଯାଉଥିବା ସୁନିଲଙ୍କ ଉପରେ ନିର୍ଭର କରିବ। ନିୟମିତ ସ୍ପିନରଙ୍କ ବିନା ଗୋବିନ୍ଦ ପୋଦ୍ଦାର, କାର୍ତ୍ତିକ ବିଶ୍ବାଳ, ଶାନ୍ତନୁ ମିଶ୍ର, ଅଭିଷେକ ରାଉତ ଏହି ଅଭାବ ପୂରଣ କରିପାରିବେ। ତଥାପି ସବୁ ନଜର ପ୍ରାରମ୍ଭିକ ଦ୍ରୁତ ବୋଲରଙ୍କ ଉପରେ ରହିବ। ଅନ୍ୟପକ୍ଷରେ ଯଦି ଓଡ଼ିଶା ଟସ୍ ହାରିଯାଏ, ତାହେଲେ ଆରମ୍ଭରୁ ୱିକେଟ୍ ରକ୍ଷା କରିବା ଅନୁରାଗ-ଶାନ୍ତନୁଙ୍କ ଯୋଡ଼ି ପାଇଁ ବଡ଼ ଆହ୍ବାନ ହେବ। ଯଦିଓ ଉଭୟ ଭଲ ଫର୍ମରେ ଅଛନ୍ତି, ତଥାପି ଘାସୁଆ ପିଚ୍ରେ ରିଷି ଧାୱନଙ୍କ ଦ୍ରୁତ ବୋଲିଂ କ୍ରମ ଆଗରେ ଅଧିକ ସମୟ ବିତାଇବା କଠିନ ହୋଇପାରେ। ହିମାଚଳ ପ୍ରଥମ ମ୍ୟାଚ୍ରେ ହରିୟାଣାକୁ ହରାଇବା ପରଠୁ ବିଜୟ ସନ୍ଧାନରେ ରହିଛି। ତେଣୁ ଓଡ଼ିଶାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଥିବା ହିମାଚଳ ଘରୋଇ ପରିବେଶରୁ ଫାଇଦା ଉଠାଇବାକୁ ଉଦ୍ୟମ କରିବ।
୪୦୦ ମାଇଲ୍ଖୁଣ୍ଟଠୁ ୪ ୱିକେଟ୍ ଦୂରରେ ବସନ୍ତ
ଅାନ୍ତର୍ଜାତିକ କ୍ରିକେଟର୍ ଦେବାଶିଷ ମହାନ୍ତିଙ୍କ ପରେ ବସନ୍ତ ଦ୍ବିତୀୟ ଓଡ଼ିଆ ବୋଲର ଭାବେ ୪୦୦ ୱିକେଟ୍ ମାଇଲ୍ଖୁଣ୍ଟ ଅତିକ୍ରମ କରିବେ। ହିମାଚଳ ପ୍ରଦେଶ ବିପକ୍ଷରେ ପ୍ରସ୍ତୁତ ହୋଇଥିବା ସବୁଜ ପିଚ୍କୁ ଦେଖିବା ପରେ ଓଡ଼ିଶା ଶିବିରରେ ଏଭଳି ଆଗୁଆ ଖୁସିରେ ସମସ୍ତେ ମଜ୍ଜିଯାଇଛନ୍ତି। ବିକାଶ ପଡ଼ିଆରେ ବରୋଦା ବିପକ୍ଷରେ ଖେଳୁଥିଲା ବେଳେ ଗୋଇଠି ମୋଡ଼ି ହୋଇଯିବାରୁ ପରବର୍ତ୍ତୀ ୩ ମ୍ୟାଚ୍ରେ ସେ ଖେଳିନଥିଲେ। ତେଣୁ ଚଳିତ ଋତୁରେ ମାଇଲ୍ଖୁଣ୍ଟ ପାର୍ କରିବା ପାଇଁ ତାଙ୍କୁ ପାଖାପାଖି ୨୫ ଦିନ ଅପେକ୍ଷା କରିବାକୁ ପଡ଼ିଛି। ଚଳିତ ଋତୁ ପୂର୍ବରୁ ସେ ୩୯୪ ୱିକେଟ୍ ନେଇଥିଲା ବେଳେ ବରୋଦା ବିପକ୍ଷରେ ୨ ୱିକେଟ୍ ନେଇ ମାତ୍ର ୧୬ ଓଭର ବୋଲିଂ କରି ପଡ଼ିଆ ବାହାରକୁ ଆସିଯାଇଥିଲେ। ଆଉ ୪ ୱିକେଟ୍ ଦୂରରେ ଥିବାରୁ ହିମାଚଳ ବିପକ୍ଷରେ ସେ ଏହି ଅପେକ୍ଷାର ଅନ୍ତ ଘଟାଇବେ ବୋଲି ଅନୁମାନ କରାଯାଉଛି।